ନୂଆଦିଲ୍ଲୀ,୦୧/୦୫: ହୋର୍ମୁଜରେ ଜାରି ନାକାବନ୍ଦୀ ମଧ୍ୟରେ ଗୁରୁବାର ଅଶୋଧିତ ତୈଳ ଦର ୪ ବର୍ଷର ରେକର୍ଡ ଭାଙ୍ଗିଦେଇଛି । କାରବାର ମଝିରେ ଏହା ବ୍ୟାରେଲ ପିଛା ୧୨୬ ଡଲାରରେ ପହଞ୍ଚିଯାଇଥିଲା । ପରେ ଏଥିରେ ଅବଶ୍ୟ ସୁଧାର ଦେଖିବାକୁ ମିଳିଛି କିନ୍ତୁ ଯୁଦ୍ଧ ନ ଥମିବା ଯାଏ ତୈଳ ଦରରେ ଅସ୍ଥିରତା ଜାରି ରହିବ ବୋଲି ଆଶଙ୍କା କରିଛନ୍ତି ବଜାର ବିଶେଷଜ୍ଞ । ତୈଳ ଦର ୧୨୬ ଡଲାର ଛୁଇଁବା ପରେ ପରେ ଇରାନ ପ୍ରତିକ୍ରିୟା ପ୍ରକାଶ କରି କହିଛି ଯେ, ଆମେରିକାର ନାକାବନ୍ଦୀ ଏହାର ତେଲ ଉତ୍ପାଦନ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ ବରଂ ଦର ବଢ଼ିଗଲା । ଇରାନ ଆହୁରି ପ୍ରକାଶ କରିଛି ଯେ, ବ୍ୟାରେଲ ପିଛା ଅଶୋଧିତ ତୈଳ ଖୁବ୍ଶୀଘ୍ର ୧୪୦ ଡଲାରରେ ପହଞ୍ଚିଯିବ ।
ଏହା ମଧ୍ୟରେ ବର୍ଦ୍ଧିତ ତୈଳକୁ ନେଇ ବ୍ୟସ୍ତବିବ୍ରତ ଆମେରିକା ବିଶ୍ୱର ବିଭିନ୍ନ ଦେଶଗୁଡ଼ିକୁ ଗୁପ୍ତ ସନ୍ଦେଶ ପଠାଇ କହିଛି ଯେ, ସେମାନେ ହୋର୍ମୁଜରେ ଜାହାଜଗୁଡ଼ିକର ବାଧାମୁକ୍ତ ଚଳାଚଳକୁ ପୁନଃ ଆରମ୍ଭ କରିବା ପାଇଁ ଅନ୍ତରାଷ୍ଟ୍ରୀୟ ମେଣ୍ଟ କରନ୍ତୁ । ଆମେରିକାର ବିଦେଶ ମନ୍ତ୍ରାଳୟ ଦେଶଗୁଡ଼ିକୁ ଗୁପ୍ତ କୁଟନୈତିକ ତାର ମାଧ୍ୟମରେ ସନ୍ଦେଶ ପଠାଇଛି । ଇରାନ ଉପରେ ଆମେରିକାଇସ୍ରାଏଲର ହମ୍ଲା ଫେବ୍ରୁଆରୀ ୨୮ରୁ ଆରମ୍ଭ ହୋଇଥିଲା । ଯୁଦ୍ଧର ଦୁଇ ମାସ ପରେ ବି ବିଶ୍ୱର ପ୍ରମୁଖ ସାମୁଦ୍ରିକ ମାର୍ଗ ହୋର୍ମୁଜ ଷ୍ଟ୍ରେଟ୍ ବନ୍ଦ ଅଛି, ଯେଉଁ ବାଟ ଦେଇ ବିଶ୍ୱର ୨୦% ତେଲ ଏବଂ ଗ୍ୟାସ ପରିବହନ ହୋଇଥାଏ । ତେଣୁ ଯୋଗାଣ ଏକଦମ ଠପ୍ ହୋଇଯାଇଛି । ଫଳରେ ବିଶ୍ୱ ଉର୍ଜା ଦରରେ ବିଶାଳ ବୃଦ୍ଧି ଦେଖିବାକୁ ମିଳିଛି ।
ଏହାସହିତ ଏକ ଆର୍ଥିକ ମାନ୍ଦାବସ୍ଥାର ସଂକେତ ମିଳୁଛି । ଯଦି ସ୍ଥିତି ନ ସୁଧୁରେ ତେବେ ତୈଳ ଦର ବୃଦ୍ଧିରେ ବ୍ରେକ୍ ଲାଗିବା କଷ୍ଟକର । ଭାରତ ପାଇଁ ଏହା ଚିନ୍ତାର ବିଷୟ । କାରଣ ଭାରତର ଅଧା ତେଲ ଏହି ମାର୍ଗ ଦେଇ ଆସିଥାଏ । ଏହାସହିତ ବଡ଼ ମାତ୍ରାରେ ଗ୍ୟାସ ଏ ମାର୍ଗ ଦେଇ ଦେଶକୁ ଆମଦାନି ହୋଇଥାଏ । ଭାରତ ଏହାର ଆବଶ୍ୟକତାର ପ୍ରାୟ ୯୦% ତେଲ ଆମଦାନି କରିଥାଏ । ଏଣୁ ତୈଳ ଦର ବୃଦ୍ଧି ଭାରତକୁ ଅଧିକ ମାତ୍ରାରେ ପ୍ରଭାବିତ କରିବ । ଦେଶର ଆମଦାନି ବିଲ୍ ବଢ଼ିବ । ଭାରତରେ ୫ ରାଜ୍ୟରେ ନିର୍ବାଚନ ଶେଷ ହୋଇଛି । ତେଣୁ ଆଗକୁ ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ଆଶଙ୍କା ରହିଛି । ଯଦି ଇନ୍ଧନ ଦର ବଢ଼େ ତେବେ ଦେଶରେ ଦରଦାମ ସ୍ଥିତି ପୁଣି ତେଜିବ ।
ଆହୁରି ପଢନ୍ତୁ- 'ଆମେ ନ ଥିଲେ ଆମେରିକୀୟ ଫ୍ରେଞ୍ଚ ଭାଷା କହୁଥାନ୍ତେ,' ଟ୍ରମ୍ପଙ୍କୁ କିଙ୍ଗ ଚାର୍ଲସଙ୍କ କଟାକ୍ଷ
ଇରାନ-ଆମେରିକା ଯୁଦ୍ଧ ବନ୍ଦ କରିବା ଲାଗି ଉଦ୍ୟମ ଶିଥିଳ ପଡ଼ିଯାଇଛି । ଆମେରିକା ଇରାନର ତେଲ ରପ୍ତାନି ଉପରେ ନୌସୈନିକ ନାକାବନ୍ଦୀ କରି ଆଲୋଚନାରେ ଜାରି ଗତିରୋଧକୁ ଭାଙ୍ଗିବାର ଉଦ୍ୟମ କରୁଛି । ତେଲ ରପ୍ତାନି ଇରାନ ଅର୍ଥବ୍ୟବସ୍ଥାର ଜୀବନରେଖା ଏବଂ ନାକାବନ୍ଦୀ ଯୋଗୁ ଏହାକୁ ବଡ଼ ମାତ୍ରାରେ କ୍ଷତି ସହିବାକୁ ପଡୁଛି । ରିପୋର୍ଟ ଅନୁସାରେ, ଆମେରିକା-ଇରାନ ମଧ୍ୟରେ ଆଲୋଚନା ଠପ୍ ପଡ଼ିଯାଇଛି । ଟ୍ରମ୍ପ ଇରାନକୁ ଆଲୋଚନା ଟେବୁଲକୁ ଆଣିବା ପାଇଁ ଉଦ୍ୟମ କରୁଛନ୍ତି ଏବଂ ଏଥିପାଇଁ ଏହା ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି । ଏହି ଆଶଙ୍କା ମଧ୍ୟରେ ତେଲ ଦର ଉପରମୁହାଁ ହୋଇଛି ଏବଂ ବ୍ରେଣ୍ଟ କ୍ରୁଡ୍ କାରବାର ମଝିରେ ୧୨୬ ଡଲାରରେ ପହଞ୍ଚିଯାଇଥିଲା । ଏହା ୨୦୨୨ ମାର୍ଚ୍ଚରୁ ସର୍ବୋଚ୍ଚ ସ୍ତର । ତୈଳ ଦର ବୃଦ୍ଧି ଯୋଗୁ ବିଶ୍ୱବ୍ୟାପୀ ଦରଦାମ ସ୍ଥିତି ଉତ୍କଟ ହେଲାଣି । ଆଗକୁ ପେଟ୍ରୋଲ ଏବଂ ଡିଜେଲ ଦରରେ ବଡ଼ ବୃଦ୍ଧି ଘଟିପାରେ ବୋଲି ବଜାର ବିଶେଷଜ୍ଞମାନେ ଅନୁମାନ କରିଛନ୍ତି ।