ନମୌଜା,୨୩/୭ : ଖରସ୍ରୋତା ନଦୀର ଶାଖା ନଦୀ କାଣୀରେ ବନ୍ୟା ଆସି ଭାଙ୍ଗି ଦେଇଛି ଲୋକଙ୍କ ମେରୁଦଣ୍ଡ l ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ପେତପଡା ପଞ୍ଚାୟତରେ ୫ ଶହରୁ ଊର୍ଦ୍ଧ୍ବ ଘର । ସେଥିରେ ବସବାସ କରୁଥିବା ୫ହଜାରରୁ ଊର୍ଦ୍ଧ୍ବ ଲୋକ ଦୀର୍ଘ ୧୨ଦିନ ହେବ ପାଣି ଘେରରେ ଫଶି ରହିଛନ୍ତି l ୧୨ଦିନ ଧରି ପାଣି ଘେରରେ ରହିବା ପରେ ଖାଦ୍ୟ ଓ ପାନୀୟ ଜଳର ଅଭାବକୁ ନେଇ ବନ୍ୟା ବିପନ୍ନ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି l ଦୁଇ ଦିନ ହେବ ଯଦିଓ ବନ୍ୟା ଜଳ କମିଛି କିନ୍ତୁ ଆଜି ବି ପେତପଡା ପଞ୍ଚାୟତରେ ପାଣି ଭିତରେ ରହୁଛନ୍ତି l କିଛି କିଛି ସ୍ଥାନରେ ମାଟି ଘର ଭାଙ୍ଗି ଯାଇଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି ବନ୍ୟା ସମ୍ପୂର୍ଣ୍ଣ ଭାବେ ଚାଷ ବାସକୁ ପ୍ରଭାବିତ କରିବା ସହ ବନ୍ୟା ପାଣି ପଶି ସପ୍ତାହେ ହେବ ଚୁଲି ଜଳୁନି l ବନ୍ୟା ଆରମ୍ଭରୁ ବନ୍ୟା ଜଳରେ ନଳକୂପ ଗୁଡ଼ିକ ବୁଡ଼ି ଯାଇଥିବାବେଳେ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକେ l
ସେହିଭଳି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ୩ ରୁ ୪ ଫୁଟ ପାଣି ମଧ୍ୟ ଦେଇ ଲୋକେ ଜୀବନକୁ ବାଜି ଲଗାଇ ଯାତାୟାତ କରୁଛନ୍ତି l ଏପଟେ କୁମ୍ଭୀରର ଭୟ ଲୋକଙ୍କ ମନରେ ଉଙ୍କି ମାରୁଥିବାବେଳେ ସେପଟେ ବନ୍ୟାର ପ୍ରଖର ସ୍ରୋତ ରେ ଭାସିଯିବାର ଭୟ ମଧ୍ୟ ଘାରିଛି l ଏପରିକି ରାତିରେ ଗାଁ ଲୋକ ଘରୁ ବାହାରିବା ମୁସ୍କିଲ ହୋଇପଡିଛି l ବନ୍ୟା ଜଳ ସାମାନ୍ୟ ଖସିଥିଲେ ବି ବଢ଼ିବାରେ ଲାଗିଛି ଲୋକଙ୍କ ଦୁର୍ଦ୍ଦଶା l ଗୃହପାଳିତ ପଶୁଙ୍କ ପାଇଁ ବ୍ଲକ ପ୍ରଶାସନ ତରଫରୁ ଗୋଖାଦ୍ୟ ଯୋଗାଇ ଦିଆଯାଇଥିଲେ ମଧ୍ୟ ତାହା ଏ ଯାଏଁ ପେତପଡାର ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରି ନ ଥିବା ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି l
ବନ୍ୟା ଅଞ୍ଚଳରେ ଗୋଖାଦ୍ୟ ସମସ୍ୟା ପରିସ୍ଥିତିକୁ ଆହୁରି ଅଧିକ ଜଟିଳ କରିଛି l ଏହି ବନ୍ୟା ପାଣିରେ ସମ୍ପୂର୍ଣ୍ଣ ଉଜୁଡି ଗଲା ହେକ୍ଟର ହେକ୍ଟର ଚାଷ ଜମି l ବନ୍ୟା ଛାଡ଼ି ଯାଇଛି ସତ ହେଲେ ଚାଷୀଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି l କେଉଁଠି ତଳି ପଚି ଯାଇଛି ତ କେଉଁଠି ରୁଆ ହୋଇଥିବା ଧାନ ବନ୍ୟା ପାଣିରେ ଭାସି ଯାଇଛି, ଯାହାକୁ ନେଇ ଚିନ୍ତାରେ ଚାଷୀ l ଏ ସମସ୍ୟା ନେଇ ଆଳି ବିଡିଓ ଅବିନାଶ ବିଶ୍ୱଜିତ ସେଠୀଙ୍କୁ ପଚାରିବାରୁ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏ ସମସ୍ତ ସମସ୍ୟା ସମ୍ପର୍କରେ ମୁଁ ଅବଗତ ଅଛି l ବିଶେଷ କରି ପାନୀୟ ଜଳ ସମ୍ପର୍କରେ ଆରଡବ୍ଲୁଏସଏସ ବିଭାଗ ସହ ଆଲୋଚନା ହୋଇଛି l ଯଥାଶୀଘ୍ର ପାନୀୟ ଜଳ ସମସ୍ୟା ସହ ଅନ୍ୟ ସମସ୍ତ ଦିଗରେ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରାଯାଇ ଏହାର ସମାଧାନ ଦିଗରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l