ନୂଆଦିଲ୍ଲୀ, ୧।୯: ଶରୀରକୁ ସୁସ୍ଥ ରଖିବା ପାଇଁ ଅନ୍ୟ ଭିଟାମିନ୍ ଭଳି ଭିଟାମିନ୍ ଡି ମଧ୍ୟ ଖୁବ୍ ଜରୁରୀ । ହେଲେ ଆବଶ୍ୟକତାଠୁ ଅଧିକ ଭିଟାମିନ୍ ଡି ଶରୀର ପାଇଁ କ୍ଷତିକାରକ । ୨୦୨୪ ମସିହାରେ ଆବଶ୍ୟକତାଠୁ ଅଧିକ ଭିଟାମିନ୍ ଡି ସେବନ ଯୋଗୁଁ ବ୍ରିଟେନର ୮୯ ବର୍ଷୀୟ ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଭିଟାମିନ ଡି ର ଓଭରଡୋଜ୍ ଯୋଗୁଁ ତାଙ୍କ ହାର୍ଟ ଏବଂ କିଡନୀ ଫେଲ୍ ହୋଇଯାଇଥିଲା । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ୧୯ରୁ ୭୦ ବର୍ଷୀୟ ବୟସ୍କ ବ୍ୟକ୍ତି ବିଶେଷଙ୍କୁ ପ୍ରତିଦିନ ୧୫ ମାଇକ୍ରୋଗ୍ରାମ୍ ଏବଂ ୭୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ୨୦ ମାଇକ୍ରୋଗ୍ରାମ୍ ଭିଟାମିନ ଡି ସେବନ କରିବା ଉଚିତ୍ । ସେହିପରି ଜଣେ ବୟସ୍କ ବ୍ୟକ୍ତି ଅତି ବେଶିରେ ପ୍ରତିଦିନ ୧୦୦ ମାଇକ୍ରୋଗ୍ରାମ୍ ଭିଟାମିନ ଡି ନେଇପାରିବେ । ପ୍ରତିଦିନ ଏହାଠୁ ଅଧିକ ଭିଟାମିନ ଡି ସେବନ କରିବା ବିଷ ସହ ସମାନ ।

ରିପୋର୍ଟ ଅନୁସାରେ, କିଛି ଲୋକଙ୍କ ପାଇଁ ୧୦୦ ମାଇକ୍ରୋଗ୍ରାମ ଭିଟାମିନ ଡି ବି କ୍ଷତିକାରକ ହୋଇପାରେ । ଭିଟାମିନ୍ ଡି ଶରୀରରେ ଅଧିକ ହେବା ଦ୍ୱାରା ରକ୍ତରେ କ୍ୟାଲସିୟମ ସ୍ତର ବଢ଼ିଯାଏ । ପ୍ରାରମ୍ଭିକ ଲକ୍ଷଣ ଭାବେ ବାନ୍ତି, କୋଷ୍ଠକାଠିନ୍ୟ, ପେଟ ଯନ୍ତ୍ରଣା ଏବଂ ଭୋକ କମ୍ ଲାଗେ । କିଛି ସ୍ଥିତି ମଣିଷ ଚେତାଶୂନ୍ୟ ହେବା ଆଶଙ୍କା ରହିଛି । କେବଳ ସେତିକି ନୁହେଁ, କିଡନୀ ଜନିତ ସମସ୍ୟା, ମାଂସପେଶୀ ଯନ୍ତ୍ରଣା ଓ ଦୁର୍ବଳ ଲାଗିବା ଏବଂ ହୃଦସ୍ପନ୍ଦନ ସହ ଜଡ଼ିତ ସମସ୍ୟା ମଧ୍ୟ ଦେଖାଦେଇପାରେ । ତେବେ ଏହାର ଅତ୍ୟଧିକ ପ୍ରଭାବ ପ୍ରଥମେ କିଡନୀ ଉପରେ ପଡ଼ିଥାଏ । ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ଅନୁସାରେ, ଏହାଦ୍ୱାରା କିଡନୀରେ ଷ୍ଟୋନ, କ୍ୟାଲସିୟମ ଜମିବା ଏବଂ ଅଚାନକ ଏହା ଖରାପ ହେବା ସମସ୍ୟା ଦେଖାଦିଏ । ଏହାପରେ ଏହାର ଅଧିକ ପ୍ରଭାବ ହାର୍ଟ ଉପରେ ପଡ଼ିଥାଏ । ଫଳରେ ହୃଦ୍ଘାତ ହେବା ଆଶଙ୍କା ଥାଏ । ଭିଟାମିନ ଡି ସ୍ୱାସ୍ଥ୍ୟ ଲାଗି ଜରୁରୀ । ତେବେ ଡାକ୍ତରଙ୍କ ପରାମର୍ଶରେ ଭିଟାମିନ୍ ଡି ନେବା ଉଚିତ୍ ।