ଭୁବନେଶ୍ଵର, ୨୨/୧୨ : ରାଜ୍ୟରେ ଜାରି ରହିଛି ମଣ୍ଡି ସମସ୍ୟା। ବଡ଼ ବୈଠକ ଡାକିଲେ ସରକାର। ମଙ୍ଗଳବାର ଅପରାହ୍ନ ୩ଟାରେ ଲୋକସେବା ଭବନରେ ବୈଠକ ହେବ। ଏହି ବୈଠକରେ କୃଷି ମନ୍ତ୍ରୀ କେଭି ସିଂଦେଓ, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉପସ୍ଥିତ ରହିବେ। ଧାନ ଉଠାଣରେ କେଉଁଠି ସମସ୍ୟା ରହୁଛି ଓ ଏହାର ସମାଧାନ କେମିତି ହେବ ସେ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ।

ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ଯେ, ୩ ଲକ୍ଷ ୮୫ ହଜାର ୪୦୫ ଟନ୍ ଧାନ ବର୍ତ୍ତମାନ ସୁଦ୍ଧା ଉଠି ସାରିଲାଣି। ୮୫ ହଜାର ୧୮୩ ଜଣ ଚାଷୀ ଧାନ ଦେଇଛନ୍ତି। ପ୍ରତିଦିନ ଧାନ ଉଠୁଛି। ସରକାରକୁ ବଦନାମ କରିବାକୁ କିଛି ଲୋକ ଓ ବିରୋଧୀ ଦଳ ପ୍ରୟାସ କରୁଛନ୍ତି। ଆନ୍ଦୋଳନ ବିଭିନ୍ନ ସ୍ଥାନରେ ହେଉଛି । ଆମ ପାଖେ ଖବର ଅଛି। ଚାଷୀ ଚାହୁଁଛନ୍ତି ଧାନ ଆଣିଲେ ସଙ୍ଗେ ସଙ୍ଗେ ଉଠିଯାଉ ବୋଲି, ତାହା ସମ୍ଭବ ନୁହେଁ। ଯେହେତୁ ଦିନେ ଦୁଇଦିନ ସମୟ ଲାଗୁଛି, ଚାଷୀଙ୍କୁ କିଛି ଲୋକ ପ୍ରବର୍ତ୍ତାଇ ଆନ୍ଦୋଳନ କରୁଛନ୍ତି। 

ଚାଷୀଙ୍କ ସ୍ୱାର୍ଥ ପାଇଁ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି 

ସେପଟେ ଚାଷୀଙ୍କ ପାଇଁ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଛି। ବିଜେଡି ଉପସଭାପତି ସଞ୍ଜୟ ଦାସବର୍ମା କହିଛନ୍ତି ଯେ, ପଶ୍ଚିମ ଓଡ଼ିଶାରେ ବର୍ତ୍ତମାନ ଭୟଙ୍କର ସ୍ଥିତି। ଭାଲିଡ୍ ଟୋକନ ପାଇଁ ପ୍ରଥମ ଥର ପାଇଁ ଚାଷୀ ଧାରଣାରେ ବସିଛନ୍ତି। ଏପଟେ କେନ୍ଦ୍ର ସରକାର ଦେଉଥିବା ୭୯ ଟଙ୍କା ଏମଏସପି ରାଜ୍ୟର ଚାଷୀ ପାଇଲେ ନାହିଁ। ୨୦୨୪-୨୫ରେ ୨୦ ପ୍ରତିଶତ ଧାନ ସଂଗ୍ରହ ବାକି ରହିଛି। ଡବଲ ଇଞ୍ଜିନ ସରକାର ଧାନ ସଂଗ୍ରହରେ ସମ୍ପୂର୍ଣ୍ଣ ଭାବେ ବିଫଳ। ସାଟେଲାଇଟ ସର୍ଭେ ମାଧ୍ୟମରେ ଧାନ ଚାଷ ହୋଇଥିବା ସ୍ଥାନକୁ ମଧ୍ୟ କାଟି ଦିଆଯାଉଛି। ମୁଖ୍ୟମନ୍ତ୍ରୀ ଓ ସମ୍ପୃକ୍ତ ୩ ବିଭାଗକୁ ଡାକି ସମାଧାନ କରିବା ଉଚିତ୍। 

ବିଜେଡିର କାଉଣ୍ଟର

ସମବାୟ ମନ୍ତ୍ରୀଙ୍କ ପ୍ରତିକ୍ରିୟାକୁ ନେଇ ସଞ୍ଜୟ ଦାସବର୍ମା କାଉଣ୍ଟର କରିଛନ୍ତି। ସେ କହିଛନ୍ତି ଯେ, ମନ୍ତ୍ରୀଙ୍କ ବୟାନ ସବୁଠାରୁ ଯନ୍ତ୍ରଣାଦାୟକ। କିଭଳି ଧାନ ସଂଗ୍ରହ ହେବ ସେଥିପାଇଁ ଧ୍ୟାନ ଦିଅନ୍ତୁ। ଟୋକାନ ପାଇଁ ସମ୍ବଲପୁର ବନ୍ଦ ହେବା ଦଶନ୍ଧିରେ ପ୍ରଥମ । ଏବେ ଉଚିତ ଜବାବ ଚାଷୀ ଦେଉଛନ୍ତି। ଆଗକୁ ବିଜେଡି ମଧ୍ୟ ବିଧାନସଭାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ଲଢ଼େଇ କରିବ।

ଏହି ଖବରଟିକୁ ପଢନ୍ତୁ- ଟଙ୍କା ଫେରସ୍ତ ପାଇବେ କ୍ଷୁଦ୍ର ଚିଟ୍‌ ଫଣ୍ଡ୍ ଜମାକାରୀ, ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ