କଟକ,୨୬/୧୨: ଶିକ୍ଷାନୁଷ୍ଠାନ ପାଢ଼ୀ ଟ୍ୟୁଟୋରିଆଲ୍‌ର  ମାଲିକ ଜେ.ବି. ପାଢ଼ୀଙ୍କ ଆତ୍ମହତ୍ୟା ଘଟଣାର ସାତ ବର୍ଷ  ପରେ ମଧ୍ୟ ଏହାର ତଦନ୍ତ ଶେଷ ହୋଇ ନାହିଁ । ଏନେଇ ରୁଜୁ  ମାମଲାରେ ହାଇକୋର୍ଟ ଆବେଦନକାରିଣୀଙ୍କୁ ସାନି ଏତଲା ରୁଜୁ ପାଇଁ ଅନୁମତି ଦେଇଛନ୍ତି । ସ୍ୱର୍ଗତ ଜେ.ବି. ପାଢ଼ୀଙ୍କ  ପତ୍ନୀ କବିତା ମହାପାତ୍ର ତାଙ୍କ ସ୍ୱାମୀଙ୍କ ଆତ୍ମହତ୍ୟା ଘଟଣାର  ତଦନ୍ତ ଶେଷ ହେଉ ନଥିବାରୁ ହାଇକୋର୍ଟରେ ମାମଲା ରୁଜୁ  କରିଥିଲେ । ମାମଲାର ଶୁଣାଣି ଅବସରରେ ଆବେଦନକାରିଣୀ  ସାନି ଏତଲା ରୁଜୁ ପାଇଁ ଅଦାଲତଙ୍କୁ ପ୍ରାର୍ଥନା କରିଥିଲେ ।  ବିଚାରପତି ଜଷ୍ଟିସ୍‌ ଗୌରୀଶଙ୍କର ଶତପଥୀ ପ୍ରାର୍ଥନାକୁ ଗ୍ରହଣ  କରି ଅନୁମତି ପ୍ରଦାନ କରିଛନ୍ତି । ଏତଲା ଦିଆଗଲେ ତାକୁ  ପୁଲିସ୍‌ ପଞ୍ଜୀକରଣ କରିବାକୁ କୁହାଯାଇଛି । 

କଟକ-ଭୁବନେଶ୍ୱର ମଧ୍ୟସ୍ଥଳୀରେ ପାଢ଼ୀ ଟ୍ୟୁଟୋରିଆଲ୍‌  ଚଳାଉଥିବା ଜେ.ବି. ପାଢ଼ୀ ୨୦୧୭ ଏପ୍ରିଲ ୬ରେ ଆତ୍ମହତ୍ୟା  କରିଥିଲେ । ସ୍ୱର୍ଗତ ପାଢ଼ୀ ଆତ୍ମହତ୍ୟା କରିବା ପୂର୍ବରୁ ଏକ  ସୁଇସାଇଡ୍‌ ନୋଟ୍‌ ଲେଖି ଯାଇଥିଲେ । ଯେଉଁଥିରେ ତାଙ୍କ  ମୃତ୍ୟୁ ପାଇଁ ସେ ୩୦ଜଣଙ୍କୁ ଦାୟୀ କରି ସେମାନଙ୍କ ନାମ  ଉଲ୍ଲେଖ କରିଥିଲେ । ଆତ୍ମହତ୍ୟା ପରେ ପରିବାର ଲୋକଙ୍କ  ପକ୍ଷରୁ ଭୁବନେଶ୍ୱର ବଡ଼ଗଡ଼ ଥାନାରେ ଏତଲା ଦିଆଯାଇଥିଲା ।  ଏତଲା ଦେବାର ୭ ବର୍ଷ ପରେ ମଧ୍ୟ ତଦନ୍ତ ଶେଷ ହେଉ  ନଥିବାରୁ ସ୍ୱର୍ଗତ ପାଢ଼ୀଙ୍କ ପତ୍ନୀ ଗତ ବର୍ଷ ହାଇକୋର୍ଟଙ୍କ  ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଏହି ମାମଲାର ଶୁଣାଣି  କରି ବଡ଼ଗଡ଼ ଥାନାକୁ ତଦନ୍ତ ତିନି ମାସ ମଧ୍ୟରେ ଶେଷ  କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ପୁଲିସ୍‌ କୌଣସି  ପଦକ୍ଷେପ ନ ନେବାରୁ କବିତା ମହାପାତ୍ର ପୁଣି ଥରେ  ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନକାରିଣୀଙ୍କ  ପକ୍ଷରୁ ଆଇନଜୀବୀ ନିଶିକାନ୍ତ ମିଶ୍ର ମାମଲା ପରିଚାଳନା  କରୁଥିବାବେଳେ ଆଇନଜୀବୀ ଅଖଣ୍ଡ, ସପନ କୁମାର ପାଲ,  ବର୍ଷା ସ୍ୱାଇଁ ସହଯୋଗ କରୁଥିଲେ ।