• ପହଲଗାମ ଆକ୍ରମଣର ଚାର୍ଜସିଟ୍ ଦାଖଲ କଲା NIA
  • ଅପରେସନ ମହାଦେବରେ ସଂପୃକ୍ତି ୩ ଆତଙ୍କୀ ନିହତ
  • ଚାର୍ଜସିଟରେ ଏଲଇଟି ଓ ଟିଆରଏଫ ଆତଙ୍କୀ ସଙ୍ଗଠନର ନାଁ

ନୂଆଦିଲ୍ଲୀ : ପହଲଗାମ ଆକ୍ରମଣର ପାଖାପାଖି ୮ ମାସ ପରେ ଜମ୍ମୁର ବିଶେଷ କୋର୍ଟରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନଆଇଏ) ଚାର୍ଜସିଟ୍ ଦାଖଲ କରିଛି। ଏନଆଇଏର ଯାଞ୍ଚରେ ଜଣାପଡ଼ିଛି ଯେ,ଏହି ହମଲାରେ ସିଧାସଳଖ ସାମିଲ ତିନି ଜଣ ଆତଙ୍କବାଦୀଙ୍କର ସେନାର ଅପରେସନ ମହାଦେବରେ ମୃତ୍ୟୁ ହୋଇଥିଲା। ଏହି ଆତଙ୍କବାଦୀଙ୍କ ନାମ ସୁଲେମାନ ଶାହ (ଓରଫ ଫୈଜଲ ଜଟ୍ଟ ହାସିମ ମୁସା) , ହମଜା (ଓରଫ ହମଜା ଅଫଗାନି) ଓ ଜିବ୍ରାନ (ଓରଫ ଜିବ୍ରାନ ଭାଇ)। ଏହା ବ୍ୟତୀତ , ହମଲାର ଗୋଟିଏ ଦିନ ପୂର୍ବରୁ ଆତଙ୍କବାଦୀଙ୍କୁ ଲଜିଷ୍ଟିକ୍ସ ସପୋର୍ଟ , ଆଶ୍ରୟ ଓ ଭୋଜନ ଉପଲବ୍ଧ କରାଇ ଥିବା ବଶିର ଅହମ୍ମଦ ଜୋଠର , ପରଭେଜ ଅହମ୍ମଦ ଜୋଠର ଓ ମହମ୍ମଦ ୟୁସୁଫ କଟାରୀଙ୍କ ନାମ ମଧ୍ୟ ଚାର୍ଜସିଟ୍ରେ ସାମିଲ କରିଛନ୍ତି। ଚାର୍ଜସିଟ୍ରେ ଆତଙ୍କୀ ସଙ୍ଗଠନ ଲଶ୍ମର-ଏ-ତୈୟବା (ଏଲଇଟି) ଓ ଏହାର ପ୍ରକ୍ସି ଦ ରେସିଷ୍ଟାନ୍ସ (ଟିଆରଏଫ)ର ମଧ୍ୟ ନାମ ନିଆ ଯାଇଛି।

ଏନଆଇଏର ଯାଞ୍ଚରେ ଜଣାପଡ଼ିଛି ଯେ, ବଶିର ଓ ପରଭେଜ ସ୍ଥାନୀୟ ନିବାସୀ। ରିପୋର୍ଟ ଅନୁସାରେ , ଏହି ଦୁଇ ଜଣ ଆତଙ୍କବାଦୀଙ୍କୁ ୨୧ ଅପ୍ରେଲର ରାତିରେ ହିଲ ପାର୍କି ଅଞ୍ଚଳର ଏକ କୁଡ଼ିଆରେ ରଖାଯାଇ ଥିଲା। ଏହି ଦୁଇ ଭାଇଙ୍କୁ ହମଲାର ପାଖାପାଖି ଦୁଇ ମାସ ପରେ ୨୨ ଜୁନରେ ଗିରଫ କରାଯାଇ ଥିଲା। ରିପୋର୍ଟ ଅନୁସାରେ , ଜୋଠର ଭାଇଙ୍କ ଫୋନ୍ରୁ କିଛି ପାକିସ୍ତାନୀ ନମ୍ୱର ମିଳିଥିଲା। ଏନଆଇଏ ଅନୁସାରେ , ଏହି ବ୍ୟକ୍ତିଙ୍କ ଉପରେ ସେହି ତିନି ଜଣ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବାର ଅଭିଯୋଗ ଅଛି , ଯାହାକୁ ଜୁଲାଇରେ ଭାରତୀୟ ସେନା ମାରି ଦେଇଥିଲା। ଗିରଫ କରାଯାଇ ଥିବା ଦୁଇ ଜଣ ବ୍ୟକ୍ତି (ପରଭେଜ ଅହମ୍ମଦ ଜୋଠର ଓ ବଶିର ଅହମ୍ମଦ ଜୋଠର)ଏହି ତିନି ଜଣ ଆକ୍ରମଣକାରୀଙ୍କୁ ପାକିସ୍ତାନର ନାଗରିକ ଭାବେ ଚିହ୍ନଟ କରିଥିଲେ ,ଯିଏ ପ୍ରତିବନ୍ଧିତ ସଙ୍ଗଠନ ଲଶ୍କର-ଏ-ତୈୟବା ସହ ଜଡ଼ିତ ଥିଲେ।

ଉଲ୍ଲେଖନୀୟ ଯେ, ପହଲଗାମ ହମଲାର ଜବାବରେ ଭାରତୀୟ ସଶସ୍ତ୍ର ବାହିନୀ ସାତ ମେ’ରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଆଡ୍ଡା ଉପରେ ସଠିକ୍ ହମଲା କରି ଥିଲେ। ଏହି ଅଭିଯାନକୁ ଅପରେସନ ସିନ୍ଦୂର ନାମ ଦିଆଯାଇ ଥିଲା। ଏହି ଅଭିଯାନରେ ଲଶ୍କର-ଏ-ତୈୟବା ଓ ଜୈଶ୍-ଏ-ମହମ୍ମଦର ମୁଖ୍ୟାଳୟ ଗୁଡ଼ିକ ତଥା ପ୍ରଶିକ୍ଷଣ କେନ୍ଦ୍ର ଗୁଡ଼ିକ ସହ ନଅଟି ସ୍ଥାନକୁ ଟାର୍ଗେଟ୍ କରାଯାଇ ଥିଲା, ଯେଉଁଠାରୁ ଭାରତ ବିରୋଧରେ ଆତଙ୍କବାଦୀ ହମଲାର ଯୋଜନା ପ୍ରସ୍ତୁତ କରାଯାଉ ଥିଲା।