ଭଞ୍ଜନଗର: ପାଇଛାଲିଆ ଜଙ୍ଗଲରୁ ମିଳିଲା ହାତୀ ଛୁଆର ଖଣ୍ଡ ବିଖଣ୍ଡିତ କଙ୍କାଳ । ଉତ୍ତର ଘୁମୁସର ବନଖଣ୍ଡ ର ତାରାସିଂ ରେଞ୍ଜରେ ୩ ମାସରେ ମଲେଣି ୩ ହାତୀ । ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ତାରସିଂ ରେଞ୍ଜ ଗାୟଗଣ୍ଡା ସେକ୍ସନ ପାଇଛାଲିଆ ସଂରକ୍ଷିତ ଜଙ୍ଗଲ ପରିସରରେ ସୋମବାର ଏକ ହାତୀ ଛୁଆର କଙ୍କାଳ ବନ ବିଭାଗ ପକ୍ଷରୁ ଜବତ କରାଯାଇଛି। ହାତୀ ଛୁଆଟି ପ୍ରାୟ ଦୁଇମାସ ହେବ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି। ମୃତ ହାତୀ ଛୁଆର ବୟସ ୫ ବର୍ଷ ହେବ । ମାଈ ପ୍ରଜାତିର ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି।

ପ୍ରାଣୀ ବିଶେଷଜ୍ଞମାନେ ହାତୀର କଙ୍କାଳ ଓ କିଛି ଚମଡ଼ାକୁ ଯାଞ୍ଚ କରି ଏହାର ଅଧିକ ପରୀକ୍ଷା ପାଇଁ ହାଡ଼, ଚମଡ଼ା, ଦାନ୍ତକୁ ଭୁବନେଶର ଓୟୁଏଟି ଲେବୋରୋଟାରୀ କୁ ପଠାଇବା ବ୍ୟବସ୍ଥା କରାଯାଇଛି । ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ତାରା ସିଂ ରେଞ୍ଜର ପ୍ରଶାନ୍ତ ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛନ୍ତି । ହାତୀଟି ବହୁଦିନ ପୂର୍ବରୁ ମୃତ୍ୟୁବରଣ କରିଥିବା ଜଣାପଡିଛି। ତେବେ କେଉଁ କାରଣରୁ ମୃତ୍ୟୁବରଣ କରିଛି ସଠିକ ଜଣାପଡ଼ିନାହିଁ ।

ସୂଚନାଯୋଗ୍ୟ, ଏହି ରେଞ୍ଜର ଗାୟଗଣ୍ଡା ନିକଟରେ ଗତ ମାସ ୧୦ ତାରିଖରେ ଗୋଟିଏ ୧୧ ବର୍ଷର ଅଣ୍ଡିରା ହାତୀ ଅସୁସ୍ଥତା ଯୋଗୁ ମୃତ୍ୟୁବରଣ କରିଥିଲା। ଏଥିସହ ଆଉ ଏକ ଦନ୍ତା ହାତୀ ଗାୟଗଣ୍ଡା ନିକଟସ୍ଥ ଭୋଗରା ଜଙ୍ଗଲରେ ଗତ ମାର୍ଚ୍ଚ ମାସ ୧୦ ତାରିଖରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଥିଲା। ସୋମବାର ଆଉ ଏକ ହାତୀ ଛୁଆର ଖଣ୍ଡ ବିଖଣ୍ଡିତ ହାଡ କଙ୍କାଳ ପାଇଛାଲିଆ ଜଙ୍ଗଲରୁ ମିଳିବା ପରେ ଗୋଟିଏ ରେଞ୍ଜରେ ୩ ମାସରେ ୩ ଟି ହାତୀ ମୃତ୍ୟୁ ଘଟଣା ପରିବେଶ ପ୍ରେମୀମାନଙ୍କ ମନକୁ ଯଥେଷ୍ଟ କଷ୍ଟ ଦେଇଛି।

ଗତକାଲି ଜଣେ ଛେଳି ଚରାଳି ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବାବେଳେ ହାତୀ କଙ୍କାଳ ଦେଖି ଗ୍ରାମରେ କହିଥିଲେ। ଏହାପରେ କଥା ଯାଇ ବନ ବିଭାଗ ପାଖରେ ପହଞ୍ଚିଥିଲା। ସୋମବାର ବନ ବିଭାଗ ଅଧିକାରୀ ଏବଂ ଡାକ୍ତର ଟିମ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ଏହାପରେ ସେଠାରେ ଖଣ୍ଡ ବିଖଣ୍ଡିତ ହାଡ ଗୋଡ କଙ୍କାଳ ଖଣ୍ଡ ସବୁକୁ ପୋତି ଦିଆଯାଇଛି।

ଉକ୍ତ ହାତୀର ମାଂସ ଓ ଚମଡ଼ାକୁ କଲରାପତରିଆ ବାଘ ଖାଇଥିବା ପ୍ରମାଣ ସେଠାରୁ ମିଳୁଛି। ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇଥିବା ସମୟରେ ବାଘର ଏକାଧିକ ପାଦ ଚିହ୍ନ ସେଠାରେ ଦେଖିବାକୁ ପାଇଛନ୍ତି। କିନ୍ତୁ ହାତୀଟି କେଉଁଭଳି ପରିସ୍ଥିତିରେ ମୃତ୍ୟୁବରଣ କରିଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ପୂର୍ବରୁ ଦୁଇଟି ହାତୀ ଶାରୀରିକ ଅସୁସ୍ଥତା ରୁ ମୃତ୍ୟୁ ବରଣ କରିଥିବା ବେଳେ ସଦ୍ୟ ମିଳିଥିବା ହାତୀ ଛୁଆ କଙ୍କାଳ ର ପରୀକ୍ଷା ନିରୀକ୍ଷା ପରେ କେଉଁଥି ପାଇଁ ତାର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ଜଣାପଡିବ ବୋଲି ଡିଏଫଓ ମହାନ୍ତି ସ୍ପଷ୍ଟ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଗାୟଗଣ୍ଡା ପଞ୍ଚାୟତର ୨ କିମି ପାହାଡ ଉପରେ ଥିବା ଡଙ୍ଗା ଭୂଇଁ ଗାଁର ଉପର ମୁଣ୍ଡରେ ଆଉ ଏକ ପାହାଡ ଚଢିବା ପରେ ପାଇଛାଲିଆ ନିଘଞ୍ଚ ଜଙ୍ଗଲ ଭିତରେ ଏଭଳି ଏକ ହାତୀ ଛୁଆର ମୃତ୍ୟୁ ଘଟିଛି। ଏପରିକି କାଳବୈଶାଖୀ ବର୍ଷାରେ ମୃତ ହାତୀର କଙ୍କାଳ ଖଣ୍ଡ ସବୁ ବେଶ କିଛି ବାଟ ବୋହି ଯାଇ ଇତସ୍ତତ ଭାବେ ପଡିଥିବାରୁ ହାତୀଟିର ମୃତ୍ୟୁ ଦୀର୍ଘ ଦିନରୁ ହୋଇଥିବା ସ୍ପଷ୍ଟ ହୋଇଯାଇଛି ।