ନୂଆଦିଲ୍ଲୀ,୨୮/୧୨; 'ଅପରେସନ ସିନ୍ଦୂର' ମାଡ଼କୁ ମନେ ପକାଇଛି ପାକିସ୍ତାନ । ସିନ୍ଦୂର ପ୍ରହାରରେ କିପରି ଥରହର ହୋଇଥିଲା ଆତଙ୍କୀସ୍ଥାନ ତାହା ଜଳ ଜଳ ହୋଇ ଦେଖାଯାଉଛି । ଭାରତୀୟ ସେନାର ହମଲାକୁ ଭୁଲି ପାରୁନାହୁଁ ପାକିସ୍ତାନ । 'ଅପରେସନ ସିନ୍ଦୂର'ରେ ଜୀବନ ବିକଳରେ ବଙ୍କରରେ ଲୁଚିଥିଲେ ପାକିସ୍ତାନ ସେନା ସମେତ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ । କାରଣ ସେମାନଙ୍କ ପାଖରେ ଆଉ କିଛି ବାଟ ନଥିଲା । ବଙ୍କରରେ ଲୁଚିବାକୁ ବାଧ୍ୟ ହୋଇଥିଲେ । ଏ ନେଇ ବଡ଼ ସ୍ୱୀକାରୋକ୍ତି କରିଛନ୍ତି ନିଜେ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ।

ପାକିସ୍ତାନରେ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ 'ଅପରେସନ ସିନ୍ଦୂର' ସମ୍ପର୍କରେ ସବୁକିଛି ସତ ସ୍ୱୀକାର କରିଛନ୍ତି । ସେ କହିଛନ୍ତି, "ମୋର ଜଣେ ପ୍ରତିନିଧି ମୋ ପାଖକୁ ଆସି କହିଲେ, 'ମହାଶୟ, ଯୁଦ୍ଧ ଆରମ୍ଭ ହୋଇଗଲାଣି । ଚାଲ ବଙ୍କର ଭିତରକୁ ଯିବା । ପ୍ରକୃତରେ, ମୁଁ ତାଙ୍କୁ ୪ ଦିନ ପୂର୍ବରୁ କହିଥିଲି ଯେ ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି । ବଙ୍କର ଭିତରେ ଲୁଚିବାକୁ ବାଧ୍ୟ ହୋଇଥିଲୁ । ବରିଷ୍ଠ ପାକିସ୍ତାନୀ ସେନା ଅଧିକାରୀ ମଧ୍ୟ ନିଜ ଜୀବନ ବଞ୍ଚାଇବା ପାଇଁ ବଙ୍କରକୁ ଯାଇଥିଲେ । 'ଅପରେସନ ସିନ୍ଦୂର' ସମୟରେ ପାକିସ୍ତାନୀ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ମଧ୍ୟ କିଛି ଦିନ ପାଇଁ ଦେଖିବାକୁ ମିଳିନଥିଲେ । "

ଭାରତକୁ ଧମକ- ଏତେ ସରି ହେବା ପରେ ବି ମୁହଁଫୁଟାଣି ଛାଡୁନାହିଁ । ଭାଷଣରେ ଜର୍ଦ୍ଦାରୀ ଆହୁରି କହିଥିଲେ, " ଆମେ ଯୁଦ୍ଧକ୍ଷେତ୍ର ପାଇଁ ପ୍ରସ୍ତୁତ । ଆମେ ଅସ୍ତ୍ରଶସ୍ତ୍ର ସହିତ ଲଢ଼ିବାକୁ ପ୍ରସ୍ତୁତ । ଆମେ ଆମର ଜୀବନ ବଳିଦାନ ଦେବାକୁ ମଧ୍ୟ ପ୍ରସ୍ତୁତ । ଭୁଲିଯାଅ ଆଗକୁ ରୁଟି ମିଳିବ କି ଗୁଳି । ଆମେ ଗୁଳି ଚଳାଇବୁ, ତୁମେ କଣ ଗୁଳି ମାରିବ । "

ଚଳିତବର୍ଷ ଏପ୍ରିଲ ୨୨ ତାରିଖରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଯେଉଁଥିରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାର ପ୍ରତିଶୋଧ ନେବାକୁ ଭାରତ ୬ ଏବଂ ୭ ମଇ ରାତିରେ 'ଅପରେସନ ସିନ୍ଦୂର' ଆରମ୍ଭ କରିଥିଲା । ଏଥିରେ ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡାକୁ ମାଟିରେ ମିଶାଇଥିଲା ଭାରତୀୟ ସେନା । ୧୦୦ ଆତଙ୍କୀ ନିପାତ ହୋଇଥିଲେ । ପଲଗାମର ପ୍ରତିଶୋଧ ନେଇଥିଲା ଭାରତ । ପାକିସ୍ତାନୀ ସେନା ଅନୁରୋଧ କରିବା ପରେ ହିଁ ଭାରତ ଯୁଦ୍ଧବିରତି ଘୋଷଣା କରିଥିଲା, କିନ୍ତୁ ପାକିସ୍ତାନ ଏସବୁକୁ ଆନୁଷ୍ଠାନିକ ଭାବରେ ପ୍ରତ୍ୟାଖ୍ୟାନ କରି ଆସୁଛି । ଏବେ, ପାକିସ୍ତାନର ରାଷ୍ଟ୍ରପତି 'ଅପରେସନ ସିନ୍ଦୂର' ସମ୍ପର୍କରେ ବଡ଼ ସ୍ୱୀକାରୋକ୍ତି କରିଛନ୍ତି । 

କହ ରଖୁଛୁ କି, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ସହିତ ସମସ୍ତ କୂଟନୈତିକ ସମ୍ପର୍କ ସମାପ୍ତ କରିଦେଇଥିଲା । ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ପରେ, ପାକିସ୍ତାନ ଏହାକୁ ପୁନଃସ୍ଥାପନ କରିବାକୁ ଗୁହାରି କରି ଭାରତ ସରକାରଙ୍କୁ ଅନେକ ଚିଠି ଲେଖିଛି ।