ନୂଆଦିଲ୍ଲୀ, ୧୭/୦୩ : ଆଫଗାନିସ୍ତାନ ଦେଇ ଯାଇଛି ପାକିସ୍ତାନର ୩ ଜୀବନରେଖା। ଏହି ଲାଇଫ୍ ଲାଇନ୍ କାଟିଦେଲେ ଆତଙ୍କୀସ୍ତାନର ବନ୍ଦ ହୋଇଯିବ ନିଆଁ ପାଣି। ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହେବ ଦେଶରେ ଶକ୍ତି ଯୋଗାଣ ଏବଂ ରପ୍ତାନି। ଭୁଶୁଡ଼ିଯିବ ଅର୍ଥନୀତି । ବିଦ୍ୟୁତ୍ ଅଭାବରେ ଠପ୍ ହୋଇଯିବ ଶିଳ୍ପ ଉଦ୍ୟୋଗ। ଆକାଶ ଛୁଆଁ ହୋଇଯିବ ଦରଦାମ୍। ପାକିସ୍ତାନର ଏହି ୩ଟି ଲାଇଫ୍ ଲାଇନ୍ ହେଉଛି TAPI ଗ୍ୟାସ୍ ପାଇପଲାଇନ୍, CASA-1000 ବିଦ୍ୟୁତ୍ ପ୍ରୋଜେକ୍ଟ, ଏବଂ ଆଫଗାନିସ୍ତାନ ଦେଇ ଯାଇଥିବା ମଧ୍ୟ ଏସିଆ ଟ୍ରେଡ୍ କରିଡର। ଏହି ୩ଟି ଲାଇଫ୍ ଲାଇନ୍ ମଧ୍ୟରୁ ଯଦି ଆଫଗାନିସ୍ତାନ ଗୋଟିଏ ଉପରେ ଆକ୍ରମଣ କରିବ ତେବେ ପାକିସ୍ତାନର ଅବସ୍ଥା ବିଗିଡ଼ିଯିବ।
TAPI ଗ୍ୟାସ୍ ପାଇପଲାଇନ୍
ପାକିସ୍ତାନ ପାଇଁ TAPI ଗ୍ୟାସ୍ ପାଇପଲାଇନ୍ ଗୁରୁତ୍ଵପୂର୍ଣ୍ଣ। ଏହାଦ୍ଵାରା ପାକିସ୍ତାନକୁ ଶସ୍ତାରେ ବାର୍ଷିକ ୩.୫ ବିଲିୟନ କ୍ୟୁବିକ ମିଟର ପ୍ରାକୃତିକ ଗ୍ୟାସ୍ ମିଳୁଛି। ଇସଲାମାବାଦ ପୂର୍ବରୁ ଭୟଙ୍କର ଗ୍ୟାସ୍ ସଙ୍କଟ ଦେଇ ଗତି କରୁଛି। ଏବେ ଯଦି ଆଫଗାନିସ୍ତାନ ଏହି ପାଇପଲାଇନ୍ କୁ ଅଟକାଇ ଦେବ ତାହେଲେ ପାକ୍ ଆହୁରି ଅକଳରେ ପଡ଼ିବ। ବିଦ୍ୟୁତ୍ ପ୍ଲାଣ୍ଟ ବନ୍ଦ ହୋଇଯିବ। ଉଦ୍ୟୋଗ ଠପ୍ ହୋଇଯିବ। ମହଙ୍ଗା ମାଡ଼ରେ ସାଧାରଣ ଲୋକେ ସନ୍ତୁଳି ହେବେ।
CASA-1000 ବିଦ୍ୟୁତ୍ ପ୍ରୋଜେକ୍ଟ
CASA-1000 (ମଧ୍ୟ ଏସିଆ ଦକ୍ଷିଣ ଏସିଆ) ପ୍ରକଳ୍ପ ଦ୍ୱାରା ତାଜିକିସ୍ତାନ ଏବଂ କିର୍ଗିଜସ୍ତାନରୁ ଆଫଗାନିସ୍ତାନ ଦେଇ ପାକିସ୍ତାନକୁ ୧୩୦୦ ମେଗାୱାଟ୍ ଶସ୍ତା ବିଦ୍ୟୁତ୍ ଆସୁଛି। ପାକିସ୍ତାନର ବିଦ୍ୟୁତ୍ ଆବଶ୍ୟକତା ପୂରଣ କରୁଛି। ଏହା ଉପରେ ଆକ୍ରମଣ ହେଲେ ପାକିସ୍ତାନକୁ ମହଙ୍ଗା ବିଦ୍ୟୁତ୍ କିଣିବାକୁ ପଡିବ। ଏହା ଶିଳ୍ପ ଉତ୍ପାଦନକୁ ପ୍ରଭାବିତ କରିବ, ବିଦ୍ୟୁତ୍ ବିଲ୍ ବୃଦ୍ଧି କରିବ ଏବଂ ଅର୍ଥନୀତି ଉପରେ ବୋଝ ବଢାଇବ।
ମଧ୍ୟ ଏସୀୟ ଟ୍ରେଡ୍ କରିଡର
ଆଫଗାନିସ୍ତାନ ଦେଇ ପାକିସ୍ତାନ ମଧ୍ୟ ଏସୀୟ ବଜାର ଯାଏଁ ପହଞ୍ଚେ। ତୋରଖମ ଏବଂ ଚମନ ସୀମା ଦେଇ ଯାଇଥିବା ଏହି ବାଣିଜ୍ୟ କରିଡର ପାକିସ୍ତାନର ରପ୍ତାନିର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ପାକିସ୍ତାନ ଆଫଗାନିସ୍ତାନ ଦେଇ ମଧ୍ୟ ଏସିଆକୁ ଚିନି, ସିମେଣ୍ଟ ଏବଂ ଅନ୍ୟାନ୍ୟ ସାମଗ୍ରୀ ପଠାଏ। ଯଦି ଆଫଗାନିସ୍ତାନ ସୀମା ବନ୍ଦ କରେ, ଆକ୍ରମଣ କରେ କିମ୍ବା ରାସ୍ତା ଅବରୋଧ କରେ, ତେବେ ପାକିସ୍ତାନର ରପ୍ତାନି ବାଧାପ୍ରାପ୍ତ ହେବ। ଯାହା ଫଳରେ ବୈଦେଶିକ ମୁଦ୍ରା ଆୟ ହ୍ରାସ ପାଇବ। ପାକ୍ ଅର୍ଥ ବ୍ୟବସ୍ଥାକୁ ଶକ୍ତ ଝଟକା ଲାଗିବ।
ଏହି ଖବରଟିକୁ ପଢନ୍ତୁ- 'ଏବେ ଆଉ କଥାବାର୍ତ୍ତା ନାହିଁ, ପାକିସ୍ତାନଠୁ ନେବୁ ବଦଲା'...କାବୁଲରେ ଏୟାରଷ୍ଟ୍ରାଇକ୍ ପରେ ତାଲିବାନର ଘୋଷଣା