ନୂଆଦିଲ୍ଲୀ,୨୧/୦୬; ପ୍ରଥମେ ଭାରତ ମାତ୍ ଦେଲା । ଏହାପରେ ଦ.ଆଫ୍ରିକାଠୁ ହାରିଲା । ବାଂଲାଦେଶ ଆଗରେ ବି ଆଣ୍ଠେଇଲା । ଶେଷରେ ବିଶ୍ୱକପରୁ ବିଦା ହେଲା । ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପରେ ପାକିସ୍ତାନର ଅଭିଯାନ ସମାପ୍ତ ହୋଇଛି । ବାଂଲାଦେଶ ବିପକ୍ଷରେ ୨୩ ରନରେ ହାରିବା ସହିତ ବିଶ୍ୱକପରୁ ବିଦା ହୋଇଛି ଟିମ୍ । ଟୁର୍ଣ୍ଣାମେଣ୍ଟର ୧୫ତମ ମ୍ୟାଚ୍ ରେ, ବାଂଲାଦେଶ ମହିଳା କ୍ରିକେଟ୍ ଦଳ ପାକିସ୍ତାନକୁ ପରାସ୍ତ କରି ଇତିହାସ ସୃଷ୍ଟି କରିଥିଲା। ବାଂଲାଦେଶର ବୋଲର ଚମତ୍କାର ପ୍ରଦର୍ଶନ କରି ଅସମ୍ଭବ ବିଜୟ ହାସଲ କରିଛନ୍ତି । ଏହି ପରାଜୟ ସହିତ, ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛି । ଦଳର ଏହା ପରାଜୟର ହ୍ୟାଟ୍ରିକ୍ ଥିଲା । ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଏହା ବାଂଲାଦେଶର ପ୍ରଥମ ବିଜୟ । ସେହିପରି ନେଦଲ୍ୟାଣ୍ଡସ ବିଶ୍ୱକପ ଅଭିଯାନ ମଧ୍ୟ ସରିଛି ।
ଇଂଲଣ୍ଡ ଏବଂ ୱେଲ୍ସରେ ଚାଲିଥିବା ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପର ଲିଗ୍ ମ୍ୟାଚରୁ ପାକିସ୍ତାନର ଖେଳ ଶେଷ ହୋଇଛି । ବାଂଲାଦେଶ ବିପକ୍ଷରେ ପରାଜୟ ସହିତ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି । ଗ୍ରୁପ ଏରୁ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡସ ଦୁଇଟି ଟିମର ଯାତ୍ରା ସରିଛି । ଦୁଇ ଦଳର ୨ଟି ଲେଖାଏଁ ମ୍ୟାଚ୍ ରହିଛି । ଜିତିଲେ ବି ଆଉ କୌଣସି ଲାଭ ନାହିଁ । ବାଂଲାଦେଶର ଆଶା ଉଜ୍ଜୀବିତ ରହିଛି । ନେଦରଲାଣ୍ଡସ ଅଷ୍ଟ୍ରେଲିଆଠୁ ୯୮ରନରେ ପରାସ୍ତ ହୋଇଥିଲା । ଗ୍ରୁପ ଏରେ ଭାରତ ୨ଟି ମ୍ୟାଚ ଜିତି ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ଆଜି ଦ.ଆଫ୍ରିକା ବିପକ୍ଷରେ ଜିତିଲେ ଟେବୁଲ ଟପ୍ପର ହେବାର ସୁଯୋଗ ରହିଛି । ବର୍ତ୍ତମାନ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରେ ରହିଛି । ବାଂଲାଦେଶ ତୃତୀୟ ସ୍ଥାନରେ ରହିଥିବାବେଲେ ସାଉଥ ଆଫ୍ରିକା ଚତୁର୍ଥ ସ୍ଥାନରେ ରହିଛି ।
ଏହା ବି ପଢନ୍ତୁ...IND A vs SL A Final: ଗର୍ଜିଲା ବ୍ୟାଟ, ଇତିହାସ ରଚିଲେ ବୈଭବ...ଲିଷ୍ଟ ଏ କ୍ରିକେଟରେ ଦ୍ରୁତ ଅର୍ଦ୍ଧଶତକ, ଭାଙ୍ଗିଲା ୨୦ ବର୍ଷର ରେକର୍ଡ
ବାଂଲାଦେଶ ବନାମ ପାକିସ୍ତାନ ମ୍ୟାଚ୍ ବାବଦରେ କହିବାକୁ ଗଲେ, ପ୍ରଥମେ ବ୍ୟାଟିଂ କରି ୧୨୩ ରନ୍ କରିଥିଲା ବାଂଲା । ପାକିସ୍ତାନ ଲକ୍ଷ୍ୟ ହାସଲ କରି ପାରିନଥିଲା । ୨୦ ଓଭରରେ ମାତ୍ର ୧୦୦ ରନ୍ କରିବାକୁ ସକ୍ଷମ ହୋଇଥିଲା । ୨୩ରନରେ ପରାସ୍ତ ହୋଇଥିଲା ପାକିସ୍ତାନ ।