ନୂଆଦିଲ୍ଲୀ, ୧୯।୬: ଯଦି ଆପଣ କୌଣସି ରେଷ୍ଟୁରାଣ୍ଟ, ଢାବା, କାଫେ କିମ୍ବା ଖାଦ୍ୟ ସାମଗ୍ରୀ ସହ ଜଡ଼ିତ ବ୍ୟବସାୟ କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ନିହାତି ଜରୁରୀ । ଦେଶର ସର୍ବୋଚ୍ଚ ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା FSSAI ପକ୍ଷରୁ ସାରା ଦେଶର ଖାଦ୍ୟ ବ୍ୟବସାୟୀଙ୍କ ପାଇଁ ଏକ ନୂଆ ତଥା କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଣିକି ଖାଦ୍ୟ ପ୍ରସ୍ତୁତି କିମ୍ବା ପ୍ରସେସିଂ ସମୟରେ କଳଙ୍କି ଲାଗିଥିବା, ଭାଙ୍ଗିଯାଇଥିବା କିମ୍ବା ରଙ୍ଗ ଲାଗିଥିବା ଛୁରୀ, ଚାକୁ ଏବଂ ବ୍ଲେଡ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଯାଇଛି । ଅନେକ ସ୍ଥାନରେ ଏଭଳି ଖରାପ କାଟିବା ସରଞ୍ଜାମ ବ୍ୟବହାର କରାଯାଉଥିବା ନେଇ FSSAI ନିକଟରେ ଅଭିଯୋଗ ହୋଇଥିଲା, ଯାହା ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳିବା ସହ ସମାନ ।
କଳଙ୍କି ଲଗା ଛୁରୀ-ବ୍ଲେଡ୍ କାହିଁକି ବିପଦଜନକ ?
FSSAI ଅନୁଯାୟୀ, ରୋଷେଇ ଘରେ ଖରାପ କିମ୍ବା କଳଙ୍କି ଲଗା ଉପକରଣ ବ୍ୟବହାର କରିବା ଦ୍ୱାରା ଖାଦ୍ୟରେ ମଇଳା, କେମିକାଲ୍ ଏବଂ ବ୍ୟାକ୍ଟେରିଆ ବ୍ୟାପିବାର ଆଶଙ୍କା ବହୁତ ବଢ଼ିଯାଇଥାଏ । ଏହା ଗ୍ରାହକଙ୍କୁ ଗମ୍ଭୀର ରୋଗରେ ପକାଇପାରେ ।
କ’ଣ କହୁଛି ଆଇନ ?
'ଖାଦ୍ୟ ସୁରକ୍ଷା ଏବଂ ମାନକ ନିୟମାବଳୀ, ୨୦୧୧' ଅନୁସାରେ, ଖାଦ୍ୟ ସଂସ୍ପର୍ଶରେ ଆସୁଥିବା ସମସ୍ତ ବାସନକୁସନ, ଛୁରୀ ଏବଂ ସରଫେସ୍ କେବଳ ଫୁଡ୍-ଗ୍ରେଡ୍,ନନ୍ ଟକ୍ସିକ୍ ଏବଂ କଳଙ୍କି-ପ୍ରତିରୋଧକ ସାମଗ୍ରୀରେ ତିଆରି ହେବା ଆବଶ୍ୟକ । ଖାଦ୍ୟ ନିୟାମକ ସଂସ୍ଥା ସମସ୍ତ ଫୁଡ୍ ବିଜନେସ୍ ଅପରେଟର୍ସ (FBOs) ଙ୍କୁ ସତର୍କ କରାଇ ଦେଇ ତୁରନ୍ତ କିଛି ପଦକ୍ଷେପ ନେବାକୁ କହିଛି । ସେହି ପଦକ୍ଷେପଗୁଡ଼ିକ ହେଉଛି, ନିଜ ରୋଷେଇ ଘରେ ବ୍ୟବହାର ହେଉଥିବା ସମସ୍ତ ଛୁରୀ, ଚାକୁ, ବ୍ଲେଡ୍ ଏବଂ କଟିଂ ଟୁଲ୍ସର ତୁରନ୍ତ ଯାଞ୍ଚ କରନ୍ତୁ । ଯଦି କୌଣସି ଉପକରଣରେ କଳଙ୍କି, ଫାଟ, ଭାଙ୍ଗିବା କିମ୍ବା ରଙ୍ଗ ଲାଗିଥିବାର ଦେଖାଯାଏ, ତେବେ ତାକୁ ତୁରନ୍ତ ହଟାଇ ନୂଆ ଏବଂ ସୁରକ୍ଷିତ ଟୁଲ୍ସ ଲଗାନ୍ତୁ । ସମସ୍ତ କଟିଂ ଟୁଲ୍ସର ନିୟମିତ ସଫେଇ ଏବଂ ଆବଶ୍ୟକ ସ୍ଥଳେ ସେଗୁଡ଼ିକୁ ଜୀବାଣୁ-ମୁକ୍ତ କରାଯିବା ଉଚିତ୍ ।
ଏହା ବି ପଢ଼ନ୍ତୁ... Food Security: ହଟିଲେ ଅଯୋଗ୍ୟ, ଯୋଡ଼ି ହେବେ ଯୋଗ୍ୟ; ଖୁବ୍ଶୀଘ୍ର ଜାରି ହୋଇପାରେ ଆଉ ୩ କୋଟି ରାସନ କାର୍ଡ
ଅବହେଳା କଲେ ଗଣିବେ ଭାରି ଜରିମାନା:
ଏହି ନିୟମକୁ ତୃଣମୂଳ ସ୍ତରରେ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ FSSAI ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ କଡ଼ା ଚେକିଂ କରିବାକୁ ନିର୍ଦ୍ଦେଶ ଦେଇଛି । ରିପୋର୍ଟ ଅନୁଯାୟୀ, ଯଦି କୌଣସି ଦୋକାନ କିମ୍ବା ରେଷ୍ଟୁରାଣ୍ଟରେ ନିୟମର ଉଲ୍ଲଂଘନ ହେଉଥିବା ଜଣାପଡ଼େ, ତେବେ 'ଖାଦ୍ୟ ସୁରକ୍ଷା ଏବଂ ମାନକ ଅଧିନିୟମ, ୨୦୦୬' ଅନୁସାରେ ବ୍ୟବସାୟୀଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ମୋଟା ଅଙ୍କର ଜରିମାନା ମଧ୍ୟ ଲଗାଯିବ ।