ନୂଆଦିଲ୍ଲୀ,୨୧/୦୬; ଆଇପିଏଲ ପରେ ବ୍ୟାଟ୍ ଶାନ୍ତ ଥିଲା । ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିଲେ । ଟିମ୍ ଇଣ୍ଡିଆରେ ସ୍ଥାନ ମିଳିବା ଉପରେ ପ୍ରଶ୍ନ ଉଠିଥିଲା । କିନ୍ତୁ ଏବେ ଗର୍ଜିଛି ବିସ୍ମୟ ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍ । ଭାରତ ଏ ବନାମ ଶ୍ରୀଲଙ୍କା ଏ ମଧ୍ୟରେ ଖେଳାଯାଉଥିବା ଟ୍ରାଇ ସିରିଜ୍ ଫାଇନାଲରେ ବୈଭବ ବିସ୍ଫୋରଣ ଦେଖିବାକୁ ମିଳିଛି । ଲିଷ୍ଟ ଏ କ୍ରିକେଟରେ ବିଶ୍ୱ ରେକର୍ଡ କରିଛନ୍ତି ୧୫ ବର୍ଷୀୟ ବୈଭବ । ୧୧ ବଲରେ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଛନ୍ତି । ୩୨୪ ଷ୍ଟ୍ରାଇକ ରେଟରେ ୨୯ ବଲରେ ୯୪ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି ବ୍ୟାଟିଂ ସେନ୍ସସେସନ୍ ବୈଭବ । ଯେଉଁଥିରେ ୧୦ଟି ଚୌକା ଏବଂ ୮ଟି ଛକା ସାମିଲ । ଏହା ସହିତ ୨୦ ବର୍ଷର ରେକର୍ଡ ଭାଙ୍ଗିଛନ୍ତି ।

ଭାଙ୍ଗିଲା ୨୦ ବର୍ଷ ପୁରୁଣା ବିଶ୍ୱ ରେକର୍ଡ- ୧୫ ବର୍ଷୀୟ ବ୍ୟାଟର ବୈଭବ ମାତ୍ର ୧୧ ବଲ୍ରେ ତାଙ୍କର ଅର୍ଦ୍ଧଶତକ ପୂରଣ କରି ଇତିହାସ ରଚିଛନ୍ତି । ସେ ତାଙ୍କର ୫ମ ଛକା ମାରି ୫୦ ରନ୍ ପୂରଣ କରିଛନ୍ତି, ଯାହା ଲିଷ୍ଟ ଏ କ୍ରିକେଟ୍ରେ ଦ୍ରୁତତମ ଅର୍ଦ୍ଧଶତକର ବିଶ୍ୱ ରେକର୍ଡ । ସେ ପ୍ରାୟ ୨୦ ବର୍ଷ ପୁରୁଣା ରେକର୍ଡକୁ ଅତିକ୍ରମ କରିଛନ୍ତି । ଏହି ଇନିଂସ ମଧ୍ୟ ବିଶେଷ ଥିଲା କାରଣ ବୈଭବ ସମଗ୍ର ସିରିଜରେ ସଂଘର୍ଷ କରୁଥିଲେ । ଫାଇନାଲରେ ତାଙ୍କର ପ୍ରଦର୍ଶନ ସମସ୍ତଙ୍କ ନଜରରେ ଥିଲା। ତଥାପି, ବୈଭବ ତାଙ୍କ ବ୍ୟାଟ୍ ସହିତ ସମାଲୋଚନାର ଜବାବ ଦେଇ, ବଡ଼ ମ୍ୟାଚ୍ରେ ଚାପକୁ କିପରି ସୁଯୋଗରେ ପରିଣତ କରାଯାଏ ତାହା ପ୍ରଦର୍ଶନ କରିଛନ୍ତି । ତାଙ୍କର ବିସ୍ଫୋରକ ଇନିଂସ ଭାରତ ଏ'କୁ ଏକ ଚମତ୍କାର ଆରମ୍ଭ ଦେଇଛି । ବୈଭବ ୨୯ ବଲ୍ରେ ୧୦ ଚୌକା ଏବଂ ୮ ଛକା ସହିତ ୯୪ ରନର ଏକ ଧମାକାଦାର ଇନିଂସ ଖେଳିଛନ୍ତି ।

ଶ୍ରୀଲଙ୍କାର କୌଶଲ୍ୟା ବୀରରତ୍ନେଙ୍କ ଦ୍ୱାରା ନିର୍ମିତ ୨୦ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି । ସେ ୨୦୦୫ ମହିସାରେ କୁରୁନନେଗୋଲା ଯୁବ କ୍ରିକେଟ୍ କ୍ଲବ ବିପକ୍ଷରେ ରାଗାମା କ୍ରିକେଟ କ୍ଲବ ପାଇଁ ଖେଳୁଥିଲେ । ମାତ୍ର ୧୨ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ବୈଭବ ସର୍ଫରାଜ ଖାନଙ୍କ ଦ୍ୱାରା ହୋଇଥିବା ରେକର୍ଡକୁ ଭାଙ୍ଗିଛନ୍ତି । ବିଜୟ ହଜାରେ ଟ୍ରଫିର ଗତ ସିଜନରେ ସରଫରାଜ ମୁମ୍ବାଇ ପାଇଁ ପଞ୍ଜାବ ବିପକ୍ଷରେ ମାତ୍ର ୧୫ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ ।

ଭାରତ ଏ, ଆଫଗାନିସ୍ତାନ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଟ୍ରାଇ ସିରିଜ ଚାଲିଥିଲା । ଆଜି ଏହି ଟ୍ରାଇ ସିରିଜର ଫାଇନାଲ ମ୍ୟାଚ ଖେଳାଯାଉଛି । ଭାରତ ଏ ବନାମ ଶ୍ରୀଲଙ୍କା ଏ ମଧ୍ୟରେ ଫାଇନାଲ ଫାଇଟ୍ ଜାରି ରହିଛି । ଟସ୍ ଜିତି ପ୍ରଥମ ବୋଲିଂ ନିଷ୍ପତି ନେଇଛି ଶ୍ରୀଲଙ୍କା । ତିଲକ ବର୍ମାଙ୍କ ନେତୃତ୍ୱାଧୀନ ଭାରତ ଏର ବୈଭବ ଏବଂ ପ୍ରିୟାଶଂ ଆର୍ଯ୍ୟ ଓପନିଂ କରିଥିଲେ । ଭାରତ ଏ କୁ ଜବରଦସ୍ତ ଆରମ୍ଭ ଦେଇଥିଲେ । ବୈଭବ ୯୪ ରନ ଇନିଂସ ଖେଳିଥିବା ବେଲେ ପ୍ରିୟାଶଂ ୩୯ ରନ୍ କରିଛନ୍ତି । ଉପଅଧିନାୟକ ଋତୁରାଜ ଗାଏକ୍ୱାଡ ୪୦ ରନ ଇନିଂସ ଖେଳିଛନ୍ତି । ରିପୋର୍ଟ ଲେଖାଯିବ ସୁଦ୍ଧା ଅଧିନାୟକ ତିଲକ ବର୍ମା ୪୨ ରନ୍ କରି କ୍ରିଜରେ ଉପସ୍ଥିତ ଅଛନ୍ତି । ୨୭ ଓଭର ଖେଳ ସୁଦ୍ଧା ଦଳୀୟ ସ୍କୋର ୨୨୦ ରନରେ ପହଞ୍ଚିଛି ।

ଏହା ବି ପଢନ୍ତୁ...W India v South Africa: ଆଜି ଭାରତ-ଦ.ଆଫ୍ରିକା ଲଢେଇ; ବିଜୟ ହ୍ୟାଟ୍ରିକ୍ ଉପରେ ଟିମ୍ ଇଣ୍ଡିଆର ନଜର, ଟି-ଟ୍ୱେଣ୍ଟି କ୍ରିକେଟରେ ହେବ ବିଶ୍ୱ ରେକର୍ଡ