ନୂଆଦିଲ୍ଲୀ,୧୯/୦୬; ପ୍ରାୟ ସମସ୍ତଙ୍କ ଘର ବାଡିରେ ସଜନା ଗଛ ଥାଏ । ସଜାନ ଛୁଇଁ, ସଜନା ଶାଗ ଏପରିକି ତାର ଫୁଲ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ । ସଜନା (ମାରିଙ୍ଗା ଓଲେଇଫେରା) ପତ୍ର, ଛୁଇଁ ଓ ଫୁଲ ପୋଷକତତ୍ତ୍ୱରେ ଭରପୂର ହୋଇଥିବାରୁ ଏହାକୁ ଅନେକ "ସୁପରଫୁଡ୍'' ବୋଲି କହନ୍ତି । ଏଥିରେ ଭିଟାମିନ୍, ଖଣିଜ ଲବଣ, ପ୍ରୋଟିନ ଓ ଆଣ୍ଟିଅକ୍ସିଡାଣ୍ଟ (ପ୍ରତିଜାରକ) ପ୍ରଚୁର ପରିମାଣରେ ରହିଥାଏ । କିନ୍ତୁ ଯେପରି ଯେକୌଣସି ଖାଦ୍ୟର ଅତ୍ୟଧିକ ସେବନ କ୍ଷତିକାରକ ହୋଇପାରେ, ସେହିପରି ସଜନାର ମଧ୍ୟ ଅତ୍ୟଧିକ ବ୍ୟବହାର ସତର୍କତାର ବିଷୟ ।
ସାଧାରଣ ପରିମାଣରେ ସଜନା ଖାଇଲେ ବୃକ୍କ ପାଇଁ କୌଣସି କ୍ଷତିର ପ୍ରମାଣ ମିଳିନାହିଁ । ବରଂ କିଛି ଗବେଷଣାରେ ସଜନାର ଆଣ୍ଟିଅକ୍ସିଡାଣ୍ଟ ଉପାଦାନ ବୃକକ୍ କୋଷକୁ ପ୍ରତିଜାରଣଜନିତ କ୍ଷତିରୁ ସୁରକ୍ଷା ଦେଇପାରେ ବୋଲି ସୂଚନା ମିଳିଛି । ତେବେ ସଜନା ପତ୍ର ଓ ଗୁଣ୍ଡରେ କିଛି ଖଣିଜ ପଦାର୍ଥ ଏବଂ ଅକ୍ସାଲେଟ୍ ରହିଥାଏ । ଅତ୍ୟଧିକ ପରିମାଣରେ ସପ୍ଲିମେଣ୍ଟ ଭାବେ ସେବନ କଲେ, ବିଶେଷକରି ଯେଉଁମାନଙ୍କର ପୂର୍ବରୁ ବୃକ୍କ ରୋଗ କିମ୍ବା ବୃକ୍କ ପଥୁରୀ ସମସ୍ୟା ରହିଛି, ସେମାନଙ୍କ ପାଇଁ ବିପଦ ବଢ଼ିପାରେ । ବିଶେଷଜ୍ଞମାନଙ୍କ ମତରେ, ସଜନାକୁ ସନ୍ତୁଳିତ ଖାଦ୍ୟର ଏକ ଅଂଶ ଭାବେ ଖାଇବା ନିରାପଦ । କିନ୍ତୁ "ଅଧିକ ଖାଇଲେ ଅଧିକ ଉପକାର'' ଧାରଣା ବୈଜ୍ଞାନିକ ନୁହେଁ । ବିଶେଷତଃ ବୃକ୍କ ରୋଗୀ, ଗର୍ଭବତୀ ମହିଳା ଏବଂ ନିୟମିତ ଔଷଧ ସେବନ କରୁଥିବା ବ୍ୟକ୍ତିମାନେ ସଜନା ଗୁଣ୍ଡ କିମ୍ବା ହର୍ବାଲ ସପ୍ଲିମେଣ୍ଟ ବ୍ୟବହାର ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ସଜନା ସ୍ୱାସ୍ଥ୍ୟ ପାଇଁ ଉପକାରୀ, କିନ୍ତୁ "ଅଧିକ ଖାଇଲେ ଅଧିକ ଲାଭ' ଧାରଣା ବୈଜ୍ଞାନିକ ନୁହେଁ । ସନ୍ତୁଳିତ ସେବନ ହିଁ ସୁସ୍ଥତାର ଚାବିକାଠି ।
ଏହା ବି ପଢନ୍ତୁ...Stress: ଅଧିକ ମାନସିକ ଚାପରେ କିଏ ରହୁନ୍ତି; ମହିଳା ନା ପୁରୁଷ ? ଜାଣନ୍ତୁ କଣ କହୁଛି ବିଜ୍ଞାନ