ନୂଆଦିଲ୍ଲୀ, ୧୯।୬: ଆଜିକାଲି ମହିଳାମାନଙ୍କ ମଧ୍ୟରେ ପଲିସିଷ୍ଟିକ ଓଭାରି ସିଣ୍ଡ୍ରୋମ ବା PCOS (Polycystic Ovary Syndrome) ସମସ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ପୂର୍ବରୁ ଏହାକୁ କେବଳ ସହରାଞ୍ଚଳର ମହିଳାଙ୍କ ସମସ୍ୟା ବୋଲି କୁହାଯାଉଥିଲା, କିନ୍ତୁ ଏବେ ଗ୍ରାମାଞ୍ଚଳରେ ମଧ୍ୟ ଏହାର ଅନେକ ମାମଲା ସାମ୍ନାକୁ ଆସୁଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଖରାପ ଖାଦ୍ୟପେୟ, ଶାରୀରିକ ପରିଶ୍ରମର ଅଭାବ, ମାନସିକ ଚିନ୍ତା ଏବଂ ଅନିୟମିତ ଦିନଚର୍ଯ୍ୟା ଏହାର ମୁଖ୍ୟ କାରଣ । ଯଦି ସମୟ ଥାଉ ଥାଉ ଏହାକୁ ନିୟନ୍ତ୍ରଣ କରାନଯାଏ, ତେବେ ଆଗକୁ ଯାଇ ଏହା ଡାଇବେଟିସ୍, ହାଇ ବ୍ଲଡ୍ ପ୍ରେସର, ମୋଟାପଣ ଏବଂ ବନ୍ଧ୍ୟାଦୋଷର କାରଣ ସାଜିପାରେ । ଏସବୁ ମଧ୍ୟରେ, ଦେଶର ପ୍ରତିଷ୍ଠିତ ମେଡିକାଲ୍ ସଂସ୍ଥା AIIMSର ଏକ ଗବେଷଣାରୁ ଏକ ବଡ଼ ଖୁଲାସା ହୋଇଛି ଯେ, ନିୟମିତ ଯୋଗ, ପ୍ରାଣାୟାମ ଏବଂ ଧ୍ୟାନ ଦ୍ୱାରା PCOSର ଲକ୍ଷଣକୁ କମ୍ କରାଯାଇପାରିବ ।

AIIMSର ଗବେଷଣାରୁ କ’ଣ ଜଣାପଡ଼ିଲା ?

ଏହି ଗବେଷଣା AIIMS ର ଆନାଟୋମି ବିଭାଗର ମଲିକ୍ୟୁଲାର ରିପ୍ରୋଡକ୍ସନ ଆଣ୍ଡ ଜେନେଟିକ୍ସ ଲ୍ୟାବର ପ୍ରଫେସର ଡକ୍ଟର ରୀମା ଦାଦାଙ୍କ ନେତୃତ୍ୱରେ କରାଯାଇଥିଲା । ଡକ୍ଟର ରୀମାଙ୍କ ଅନୁଯାୟୀ, ବଦଳୁଥିବା ଲାଇଫ୍ଷ୍ଟାଇଲ୍ ଯୋଗୁଁ ଦେଶରେ PCOS ମାମଲା ବଢ଼ୁଛି, କିନ୍ତୁ ଗବେଷଣାରୁ ଜଣାପଡ଼ିଛି ଯେ ଯଦି ମହିଳାମାନେ ନିୟମିତ ଯୋଗ ଓ ଧ୍ୟାନ କରିବେ, ତେବେ ଏହି ସମସ୍ୟାରୁ ବହୁତ ଆରାମ ମିଳିବ ।

PCOS ହେଲେ ଶରୀରରେ କ’ଣ ପରିବର୍ତ୍ତନ ହୁଏ ?

PCOS କାରଣରୁ ମହିଳାଙ୍କ ଶରୀରରେ 'ଟେଷ୍ଟୋଷ୍ଟେରନ' ହରମୋନର ସ୍ତର ବଢ଼ିଯାଇଥାଏ, ଯାହାଦ୍ୱାରା ପିରିୟଡ୍ସରେ ଅନିୟମିତା, ଓଜନ ଦ୍ରୁତ ଗତିରେ ବୃଦ୍ଧି, ମୁହଁ ଏବଂ ଶରୀରରେ କେଶ ଉଠେ, ବ୍ରଣ ହୁଏ, ଗର୍ଭଧାରଣ କରିବାରେ ଅସୁବିଧା ହୁଏ । AIIMS ର ଏହି ରିସର୍ଚ୍ଚରେ ୧୦୦ ରୁ ଅଧିକ ମହିଳାଙ୍କୁ ସାମିଲ କରାଯାଇଥିଲା । ଏହି ମହିଳାମାନେ ୧୨ ସପ୍ତାହ ପର୍ଯ୍ୟନ୍ତ ଯୋଗ, ପ୍ରାଣାୟାମ ଏବଂ ଧ୍ୟାନର ଅଭ୍ୟାସ କରିଥିଲେ । ୧୨ ସପ୍ତାହ ପରେ ସେମାନଙ୍କ ଶରୀରରେ ଅନେକ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ନିୟମିତ ଯୋଗ ଦ୍ୱାରା ମହିଳାଙ୍କ ପିରିୟଡ୍ସ ସମୟରେ ହେବାକୁ ଲାଗିଲା ଏବଂ ଶରୀରରେ ଟେଷ୍ଟୋଷ୍ଟେରନ ହରମୋନର ସ୍ତର ହ୍ରାସ ପାଇଲା, ଯାହାଦ୍ୱାରା ମୁହଁର କେଶ ଓ ବ୍ରଣ ସମସ୍ୟା ଦୂର ହେଲା । ଅନେକ ମହିଳା ନିଜ ଓଜନ ନିୟନ୍ତ୍ରଣ କରିବାରେ ସଫଳ ହେଲେ । କିଛି ମହିଳା ଯୋଗ ଓ ଧ୍ୟାନକୁ ନିଜ ଦିନଚର୍ଯ୍ୟାରେ ସାମିଲ କରିବା ପରେ ଗର୍ଭଧାରଣ କରିବାରେ ସଫଳ ହୋଇଥିବା ପ୍ରକାଶ କରିଛନ୍ତି । ଗବେଷଣାରୁ ମିଳିଥିବା ସଫଳତା ହେଉଛି, ମେଟାବୋଲିକ ସ୍ୱାସ୍ଥ୍ୟରେ ସୁଧାର ଆସିଲା, ବ୍ଲଡ୍ ସୁଗାର ନିୟନ୍ତ୍ରିତ ରହିଲା, ଅକ୍ସିଡେଟିଭ୍ ଷ୍ଟ୍ରେସ୍ କମ୍ ହେଲା, ମହିଳାଙ୍କ ମଧ୍ୟରେ ମାନସିକ ଚିନ୍ତା ଏବଂ ଡିପ୍ରେସନର ଲକ୍ଷଣ ପୂର୍ବ ଅପେକ୍ଷା ବହୁତ କମ୍ ଦେଖାଗଲା ।

PCOS ପାଇଁ କେଉଁ ସବୁ ଯୋଗାସନ ଲାଭଦାୟକ ?

ବିଶେଷଜ୍ଞଙ୍କ ଅନୁଯାୟୀ, PCOS ସମସ୍ୟାରୁ ମୁକ୍ତି ପାଇଁ ବଦ୍ଧ କୋଣାସନ, ସେତୁ ବନ୍ଧାସନ, କୋବ୍ରା ପୋଜ୍/ଭୁଜଙ୍ଗାସନ, ନୌକାସନ, ମଲାସନ, ସୂର୍ଯ୍ୟ ନମସ୍କାର ଆସନଗୁଡ଼ିକ ଅତ୍ୟନ୍ତ ଲାଭପ୍ରଦ । ଯଦି ଆପଣ ମଧ୍ୟ PCOS ସମସ୍ୟା ଦେଇ ଗତି କରୁଛନ୍ତି, ତେବେ କେବଳ ଔଷଧ ଉପରେ ନିର୍ଭର ନକରି ନିଜ ଦୈନନ୍ଦିନ ଜୀବନରେ ଯୋଗ ଓ ଭଲ ଖାଦ୍ୟପେୟକୁ ସାମିଲ କରନ୍ତୁ, ଯାହା ଦ୍ୱାରା ଏହି ସମସ୍ୟାକୁ ମୂଳରୁ ସୁଧାରି ହେବ ।

ଆହୁରି ପଢ଼ନ୍ତୁ... FSSAI New Guidelines: ହୋଟେଲ-ରେଷ୍ଟୁରାଣ୍ଟ ମାଲିକ ସାବଧାନ ! ଏଣିକି ରୋଷେଇ ଘରେ ଚଳିବନି କଳଙ୍କି ଲଗା ଛୁରୀ, ଧରାପଡ଼ିଲେ ଜେରିମାନା