ପ୍ରମୂଖ ଖବର

ଭାରତୀୟ ଟିମ୍‌ର ଜର୍ସିରେ ‘ପାକିସ୍ତାନ’ ଲେଖାଯିବ କି ନାହିଁ ? ଏମିତି ଜବାବ ଦେଲା ବିସିସିଆଇ

Published By : Tapas Panda | January 22, 2025 6:01 PM

Image Courtesy: thehindu

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ୨୦୨୫ ପୂର୍ବରୁ ଭାରତୀୟ ଟିମ୍‌ର ଜର୍ସିକୁ ନେଇ ବିବାଦ ମୁଣ୍ଡ ଟେକିଛି । ଭାରତୀୟ ଜର୍ସି ଉପରେ ଆୟୋଜକ ପାକିସ୍ତାନର ନାଁ ରହିବ ନାହିଁ ବୋଲି ଦାବି କରାଯାଉଥିଲା । କିନ୍ତୁ ନିୟମ ଅନୁସାରେ, ଆୟୋଜକ ଦେଶର ନାଁ ପ୍ରତ୍ୟେକ ଟିମ୍‌ର ଜର୍ସିରେ ରହିବ । ଏବେ ଏହି ବିବାଦକୁ ନେଇ ଭାରତୀୟ କ୍ରିକେଟ କଂଟ୍ରୋଲ୍‌ ବୋର୍ଡ (ବିସିସିଆଇ)ର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଆଇସିସିର ସବୁ ନିୟମ ପାଳନ କରାଯିବ ବୋଲି ବିସିସିଆଇ ସ୍ପଷ୍ଟ କରିଛି । 

 ବିସିସିଆଇ ସଚିବ ଦେବଜିତ ସାଇକିଆ କ୍ରିକ୍‌ବଜକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଆମେ ଆଇସିସିର ଗାଇଡଲାଇନ୍‌ ଫଲୋ କରିବୁ । ଆଇସିସିର ଯାହା ନିୟମ ରହିଛି ସେମିତି ହିଁ କରାଯିବ । ଏହା ଦ୍ବାରା ସ୍ପଷ୍ଟ ହୋଇଯାଇଛି ଯେ, ଟିମ୍‌ ଇଣ୍ଡିଆର ଜର୍ସି ଉପରେ ଆଇସିସି ଚାମ୍ପିୟନ୍ସ ଟ୍ରଫିର ଲୋଗୋ ସହ ପାକିସ୍ତାନର ନାଁ ରହିବ । ତେବେ ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଆରମ୍ଭ ହୋଇଥିବା ଏହି ଜର୍ସି ବିବାଦ ଏବେ ଥିମିଯିବ । 

 ଏହା ପୂର୍ବରୁ ଦାବି କରାଯାଇଥିଲା ଯେ, ଟିମ୍‌ ଇଣ୍ଡିଆର ଜର୍ସି ଉପରେ ଚମ୍ପିୟନ୍ସ ଟ୍ରଫି ଆୟୋଜକ ପାକିସ୍ତାନର ନାଁ ରହିବ ନାହିଁ । ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତୀୟ ଦଳ ।  ଦଳ ନିଜର ସବୁ ମ୍ୟାଚ୍‌ ୟୁଏଇରେ ଖେଳିବ । ତେଣୁ ଭାରତୀୟ ଦଳର ଜର୍ସି ଉପରେ ପାକିସ୍ତାନର ନାଁ ରହିବ ନାହିଁ ବୋଲି କୁହାଯାଉଥିଲା । କିନ୍ତୁ ଏଭଳି ଦାବି ଉପରେ ବିସିସିଆଇ ସଚିବ ନିଜ ମତ ସ୍ପଷ୍ଟ କରିଦେଇଛନ୍ତି । 

ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ହେଲେ ଟିମ୍‌ଗୁଡ଼ିକୁ ବିଶେଷ ନିୟମର ପାଳନ କରିବାକୁ ପଡ଼େ । ସବୁ ଦଳ ନିଜ ଜର୍ସିରେ ବୋର୍ଡର ଲୋଗୋ ସହ ଟୁର୍ଣ୍ଣାମେଣ୍ଟର ଲୋଗୋ ରଖିବାକୁ ବାଧ୍ୟ । ଏପରିକି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଥିବା ଦେଶର ନାଁ ମଧ୍ୟ ଜର୍ସିରେ ରହିବ । ଯଦି ଚାମ୍ପିୟନ୍ସ ଟ୍ରଫି ଭାରତରେ ହୋଇଥାନ୍ତା, ତେବେ ସବୁ ଦେଶ ଟୁର୍ଣ୍ଣାମେଣ୍ଟର ଲୋଗୋ ସହ ଭାରତର ନାଁ ଲେଖିବାକୁ ବାଧ୍ୟ ହୋଇଥାନ୍ତେ । ଏବେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ପାକିସ୍ତାନ କରୁଥିବାରୁ  ନିୟମ ଅନୁସାରେ ଏହାର ନାଁ ଜର୍ସିରେ ରହିବ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.