ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବେ ଜୀବିତ ନା ମୃତ ? ଏସବୁ ଭିତରେ ଆଉ ଗୋଟିଏ କଥା ମଧ୍ୟ ଉଠୁଛି ଯେ, ତାଙ୍କର ମୃତ୍ୟୁ ନୁହେଁ ବରଂ ସେ ଗୁରୁତର ଅସୁସ୍ଥ ଅଛନ୍ତି । ବୁଧବାର ବିଳମ୍ବିତ ରାତିରେ ପାକିସ୍ତାନର ସୋସିଆଲ ମିଡିଆରେ ଏମିତି କିଛି ଚର୍ଚ୍ଚା ହଠାତ୍ ପବନ ବେଗରେ ଖେଳିଯାଇଥିଲା । ଏହି ଗୁଜବ ଏତେ ଶୀଘ୍ର ବ୍ୟାପିଗଲା ଯେ, ହଜାର ହଜାର ଲୋକ ଆଦିଆଲା ଜେଲ ବାହାରେ ଏକାଠି ହେଲେ, ଯାହା ଫଳରେ ସାରା ଦେଶରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେଲା। ପିଟିଆଇ କର୍ମୀମାନେ ରାୱଲପିଣ୍ଡି, ପେଶାୱାର ଏବଂ ଅନ୍ୟାନ୍ୟ ଅନେକ ସହରରେ ଜରୁରୀକାଳୀନ ପ୍ରତିବାଦ ଆରମ୍ଭ କଲେ।
ଆଉ ଏହି ସମୟରେ ଗୁଜବର ବଢ଼ୁଥିବା ଚାପର ସମ୍ମୁଖୀନ ହୋଇ ଜେଲ ପ୍ରଶାସନ ଏକ ସରକାରୀ ବିବୃତ୍ତି ଜାରି କରିବାକୁ ବାଧ୍ୟ ହେଲା। ଅଧିକାରୀ ମାନେ କହିଛନ୍ତି ଯେ ଇମ୍ରାନ ଖାନ ଜେଲରେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ତାଙ୍କ ସୁରକ୍ଷା ପ୍ରତି କୌଣସି ବିପଦ ନାହିଁ। ପ୍ରଶାସନ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଇମ୍ରାନଙ୍କୁ ଅନ୍ୟ କୌଣସି ସ୍ଥାନକୁ ସ୍ଥାନାନ୍ତର କରାଯାଇ ନାହିଁ ଏବଂ ସୋସିଆଲ ମିଡିଆରେ ପ୍ରସାରିତ ରିପୋର୍ଟ ଗୁଡ଼ିକ ସମ୍ପୂର୍ଣ୍ଣ ମନଗଢ଼ା।
ପିଟିଆଇ କ’ଣ ଅଭିଯୋଗ କରିଛି ?
ଜେଲ ପ୍ରଶାସନର ବିବୃତ୍ତି ସତ୍ତ୍ୱେ, ପିଟିଆଇ ନେତା ମାନେ ଦାବି କରିଛନ୍ତି ଯେ ଇମ୍ରାନ ଖାନଙ୍କୁ ଗୁପ୍ତ ଭାବରେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେମାନେ କହିଛନ୍ତି ଯେ, ଅନେକ ଦିନ ଧରି ତାଙ୍କ ପରିବାର କିମ୍ବା ଓକିଲଙ୍କୁ ତାଙ୍କୁ ଭେଟିବାକୁ ଅନୁମତି ଦିଆଯାଇନାହିଁ। ଏହି କାରଣରୁ, ପେଶାୱାରରେ ଏକ ବଡ଼ ରାଲି ଆୟୋଜନ କରାଯାଇଛି, ଏବଂ ଖାଇବର ପଖତୁନଖଓ୍ବା ମୁଖ୍ୟମନ୍ତ୍ରୀ ସୋହେଲ ଆଫ୍ରିଦି ଇମ୍ରାନ ଖାନଙ୍କ ସହ ସାକ୍ଷାତ କରିଥିବା ଘୋଷଣା କରିଛନ୍ତି।
ବୁଶରା ବିବିଙ୍କ ଅତୀତର ଅଭିଯୋଗ ମଧ୍ୟ ଗୁଜବକୁ ଆହୁରି ବୃଦ୍ଧି କରିଥିଲା…
ଇମ୍ରାନ ଖାନଙ୍କ ପତ୍ନୀ ବୁଶରା ବିବିଙ୍କ ଦ୍ୱାରା କରାଯାଇଥିବା ପୂର୍ବ ଅଭିଯୋଗକୁ ମଧ୍ୟ ଉତ୍ତେଜନାକୁ ନିଆଁରେ ଘିଅ ଢାଳିବା ଭଳି ବିବେଚନା କରାଯାଉଛି । ଜେଲରୁ ମୁକ୍ତ ହେବା ପରେ, ସେ କହିଥିଲେ ଯେ, ଇମ୍ରାନ ଖାନଙ୍କୁ ବିଷ ଦେବା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା ଏବଂ ସେନା ମୁଖ୍ୟ ଅସୀମ ମୁନିର ତାଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ। ପୂର୍ବର ଏହି ବୟାନ ଗୁଡ଼ିକ ଉତ୍ତେଜନାକୁ ଆହୁରି ଶକ୍ତିଶାଳୀ କରିଥିଲା ଯାହା ଫଳରେ ଗୁଜବଟି ଦ୍ରୁତ ଭାବରେ ପ୍ରସାରିତ ହୋଇଥିଲା।
ସରକାର କାହିଁକି ନୀରବ ? ଲୋକଙ୍କ ମନରେ ପ୍ରଶ୍ନ ବଢୁଛି
ଇମ୍ରାନ ଖାନଙ୍କ ସମର୍ଥକ ମାନେ ନିରନ୍ତର ପଚାରୁଛନ୍ତି ଯେ ଯଦି ସେ ସୁସ୍ଥ ଅଛନ୍ତି ତେବେ ତାଙ୍କୁ ସାକ୍ଷାତ କରାଇବାରେ କାହିଁକି ପ୍ରତିବନ୍ଧକ । ଜେଲ ଭିତରେ କଣ ଘଟୁଛି ସେ ବିଷୟରେ ସରକାର ଏବଂ ସେନାର ନୀରବତା ପିଟିଆଇ ସମର୍ଥକଙ୍କ ସନ୍ଦେହକୁ ଆହୁରି ଘନିଭୂତ କରିଛି। ଇମ୍ରାନ ଖାନ ଏବଂ ସେନା ମୁଖ୍ୟ ଅସୀମ ମୁନିରଙ୍କ ମଧ୍ୟରେ ଦୀର୍ଘକାଳୀନ ବିବାଦ ଯୋଗୁଁ ଲୋକମାନେ ଘଟଣା ଗୁଡ଼ିକୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖୁଛନ୍ତି।