ନୂଆଦିଲ୍ଲୀ, ୮/୧୧ : ପାକିସ୍ତାନର ଗୁପ୍ତ ପରମାଣୁ ପରୀକ୍ଷଣ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ପରେ ପ୍ରତିକ୍ରିୟା ରଖିଲା ଭାରତ। ବେଆଇନ ଓ ଲୁଚିଛପି ପରମାଣୁ ପରୀକ୍ଷଣ କରିବା ପାକିସ୍ତାନର ଇତିହାସରେ ଅଛି ଏବଂ ଭାରତ ସବୁବେଳେ ଦୁନିଆକୁ ଏହା ଜଣାଇବାକୁ ଚେଷ୍ଟା କରୁଛି ବୋଲି କହିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ। ଋଷ, ଚୀନ, ଉତ୍ତର କୋରିଆ ସହ ପାକିସ୍ତାନ ଗୁପ୍ତ ପରମାଣୁ ପରୀକ୍ଷଣ କରୁଛନ୍ତି ବୋଲି ନିକଟରେ ଡୋନାଲ୍ଡ ଟ୍ରମ୍ପ କହିଥିଲେ। ଯାହାକି ସାରା ବିଶ୍ଵରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ପ୍ରସଙ୍ଗରେ ଏବେ ଭାରତ ପ୍ରଥମ ପ୍ରତିକ୍ରିୟା ଦେଇଛି।
ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ରଣଧୀର ଜୟସୱାଲ କହିଛନ୍ତି ଯେ, ତସ୍କରୀ, ଏକ୍ସପୋର୍ଟ କଣ୍ଟ୍ରୋଲ ଉଲ୍ଲଙ୍ଘନ, ଗୁପ୍ତ ସହଯୋଗ, AQ ନେଟୱର୍କ(ଆଣବିକ ପ୍ରଯୁକ୍ତିବିଦ୍ୟାର କ୍ରୟ ବିକ୍ରୟ ପାଇଁ ବ୍ୟବହୃତ ବ୍ଲାକ୍ ମାର୍କେଟ୍) ଏବଂ ପରମାଣୁ ଅସ୍ତ୍ର ପରୀକ୍ଷଣରେ ପାକିସ୍ତାନର ଦଶନ୍ଧି ପୁରୁଣା ରେକର୍ଡ ରହିଛି। ପାକ୍ର ଏଭଳି କାର୍ଯ୍ୟକଳାପ ଆଡ଼କୁ ଭାରତ ସର୍ବଦା ଅନ୍ତରାଷ୍ଟ୍ରୀୟ ସମୁଦାୟର ଧ୍ୟାନ ଆକର୍ଷଣ କରିବାକୁ ଚେଷ୍ଟା କରିଛି।
ସୂଚନା ଥାଉକି, ନଭେମ୍ଵର ୨ରେ ସିବିଏସ୍ର ଏକ କାର୍ଯ୍ୟକ୍ରମରେ ଟ୍ରମ୍ପ ଦାବି କରିଥିଲେ ଯେ, ଋଷ, ଚୀନ, ଉତ୍ତର କୋରିଆ ସହ ପାକିସ୍ତାନ ଗୁପ୍ତ ପରମାଣୁ ପରୀକ୍ଷଣ କରୁଛନ୍ତି। ଆମେରିକା ଏହି ଦୌଡ଼ରେ ପଛରେ ଅଛି। ତେବେ ଟ୍ରମ୍ପଙ୍କ ଏହି ବୟାନ ପରେ ପାକିସ୍ତାନ ୨୦୨୫ ଏପ୍ରିଲ-ମେ ମାସ ମଧ୍ୟରେ ଏହି ଗୁପ୍ତ ପରୀକ୍ଷଣ କରିଥିବା ଚର୍ଚ୍ଚା ହେଉଛି। କାରଣ ସେହି ସମୟରେ ଆଫଗାନିସ୍ତାନ ଓ ପାକିସ୍ତାନରେ ଲଗାତର ତୀବ୍ରରୁ ମଧ୍ୟମ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଟ୍ରମ୍ପଙ୍କ ପରମାଣୁ ପରୀକ୍ଷଣ ବୟାନକୁ ପାକିସ୍ତାନ ଅସ୍ଵୀକାର କରିଛି। ୧୯୮୮ରେ ପାକିସ୍ତାନ ଶେଷ ଥର ପାଇଁ ପରମାଣୁ ଅସ୍ତ୍ର ପରୀକ୍ଷଣ କରିଥିଲା। ଭାରତ ପୋଖରାନ-II ପରୀକ୍ଷଣ କରି ଏହାର ଜବାବ ଦେଇଥିଲା। ଏହା ପରଠାରୁ ପାକିସ୍ତାନ ଔପଚାରିକ ଭାବେ ପରମାଣୁ ଅସ୍ତ୍ର ପରୀକ୍ଷଣ କରିନାହିଁ।