ନୂଆଦିଲ୍ଲୀ,୦୧/୧୧: ପାଣି ପାଇଁ ଡହଳ ବିକଳ ହେବ ଆତଙ୍କୀସ୍ଥାନ । ଭାରତ ଦୟାରେ ବଞ୍ଚୁଥିବା ପାକିସ୍ତାନ ପାଇଁ ମାଡି ଆସୁଛି ବିନାଶ । ସିନ୍ଧୁ ନଦୀରେ ସାମାନ୍ୟ ପରିବର୍ତ୍ତନ ପାକିସ୍ତାନ ପାଇଁ ବିପର୍ଯ୍ୟୟର କାରଣ ସାଜିବ । ପାକିସ୍ତାନର ଜଳ ସୁରକ୍ଷା ବର୍ତ୍ତମାନ ଭାରତର ରାଜନୈତିକ ଏବଂ ରଣନୈତିକ ନିଷ୍ପତ୍ତି ଉପରେ ନିର୍ଭର କରୁଛି । ଭାରତର ଗୋଟିଏ ଆକ୍ସନ ପାକ୍‌ର କୃଷି ଓ ଖାଦ୍ୟ ଯୋଗାଣ ପାଇଁ ବିନାଶକାରୀ ପରିଣାମ ଆଣିପାରେ ।

ପାକିସ୍ତାନର ୮୦ ପ୍ରତିଶତ କୃଷି ସିନ୍ଧୁ ନଦୀ ଅବବାହିକା କିମ୍ବା ସିନ୍ଧୁ ଜଳ ପ୍ରଣାଳୀ ଉପରେ ନିର୍ଭର କରେ । ପାକିସ୍ତାନ ଏବେ ଏକ ଗମ୍ଭୀର ଜଳ ସଙ୍କଟର ସମ୍ମୁଖୀନ ହୋଇଛି । ସିଡନୀ ସ୍ଥିତ ଏକ ସଂଗଠନ, ଇନଷ୍ଟିଚ୍ୟୁଟ ଫର ଇଲୋନୋମିକ୍ସ ଆଣ୍ଡ୍‌ ପିସ୍‌ ତାର ଇକୋଲୋଜିକାଲ ଥ୍ରେଟ୍‌ ରିପୋର୍ଟରେ  ଚେତାବନୀ ଦେଇଛି । ଭାରତ ପାଖରେ ସିନ୍ଧୁ ନଦୀର ପ୍ରବାହକୁ ପରିବର୍ତ୍ତନ କରିବାର ପ୍ରଯୁକ୍ତି ବିଦ୍ୟା କ୍ଷମତା ଅଛି । ଯଦି ଭାରତ ଏପରି କରେ ତେବେ ପାକିସ୍ତାନର କୃଷି ପ୍ରଣାଳୀ ପାଇଁ ବିପର୍ଯ୍ୟୟ ମାଡି ଆସିବ ।

ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ କରିଛି ଭାରତ- ଏହି ରିପୋର୍ଟ ଏପରି ସମୟରେ ଆସଛି ଯେବେ ଭାରତ ଏପ୍ରିଲରେ ପହଲଗାମ ଆତଙ୍କୀ ହମଲା ପରେ ୧୯୬୦ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ କରିଥିଲା । ଏହି ଚୁକ୍ତି ଅନୁଯାୟୀ ଭାରତ ପଶ୍ଚିମ ନଦୀ- ସିନ୍ଧୁ, ଝେଲମ ଏବଂ ଚେନାବରୁ ପାକିସ୍ତାନକୁ ଜଳ ଅଧିକାର ହସ୍ତାନ୍ତର କରିଥିଲା । ଯେବେ ଭାରତ ପୂର୍ବ ନଦୀ ବ୍ୟାସ, ରବି ଏବଂ ସତଲେଜ ଉପରେ ନିୟନ୍ତ୍ରଣ ହାସଲ କରିଥିଲା । ରିପୋର୍ଟ ଅନୁଯାୟୀ, ଭାରତ ଜଳ ପ୍ରବାହକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିପାରିବ ନାହିଁ । କିନ୍ତୁ ଡ୍ୟାମ କାର୍ଯ୍ୟରେ ସାମାନ୍ୟ ପରିବର୍ତ୍ତନ ପାକିସ୍ତାନକୁ ମହଙ୍ଗା ପଡିବ । ବିଶେଷ କରି ଗ୍ରୀଷ୍ମ ଋତୁରେ ପାଣିର ଆବଶ୍ୟକତା ଅଧିକ ଥାଏ । ପାକିସ୍ତାନର କେବଳ ୩୦ ଦିନରେ ନଦୀ ପ୍ରବାହର ଜଳ ସଂରକ୍ଷଣ କ୍ଷମତା ଅଛି । ଯାହା ଋତୁକାଳୀନ ଜଳ ଅଭାବ ସମୟରେ ଏହାକୁ ଦୁର୍ବଳ କରିଦିଏ । ମେ ମାସରେ ଭାରତ ଚେନାବ ନଦୀର ସଲାଲ ଏବଂ ବାଗଲିହାର ଡ୍ୟାମରୁ କାଦୁଅ ଅପସାରଣ ପାଇଁ ଜଳଭଣ୍ଡାର ଫ୍ଲସିଂ କରିଥିଲା । ଏହା ଫଳରେ ପାକସ୍ତାନ ପଞ୍ଜାବରେ ବନ୍ୟା ଆସିଥିଲା । ଭାରତ ଏକପାଖିଆ ଭାବରେ ଡ୍ୟାମର ସଂରକ୍ଷଣ ଏବଂ ବିଦ୍ୟୁତ ଉତ୍ପାଦନ କ୍ଷମତା ବଢାଇବାକୁ ଚେଷ୍ଟା କରିଥିଲା । ଫଳରେ ଚେନାବର ଅନେକ ଅଂଶ ଖୁଶି ଯାଇଥିଲା । ଡ୍ୟାମର ଗେଟ ଖୋଲାଯିବା ପରେ ପାକିସ୍ତାନର ଅନେକ ଅଞ୍ଚଳକୁ ଦୂଷିତ ପାଣି ମାଡି ଯାଇଥିବା ରିପୋର୍ଟରେ କୁହାଯାଇଛି । ପାକିସ୍ତାନର ସୀମିତ ଜଳ ସଂରକ୍ଷଣ ଶେହବାଜ ସରକାର ପାଇଁ ଦୁର୍ବଳତା ପାଲଟିଛି ।

ସେପଟେ ଆଫଗାନିସ୍ତାନ ମଧ୍ୟ ପାକିସ୍ତାନର ଜଳ ପ୍ରବେଶକୁ ସୀମିତ କରିବା ପ୍ରସ୍ତୁତିକୁ ତୀବ୍ର କରିଛି । ତାଲିବାନ ନେତୃତ୍ୱ କୁନାର ନଦୀରେ ଏକ ବିନ୍ଧ ନିର୍ମାଣ କରିବାକୁ ଯୋଜନା କରୁଥିବା ଘୋଷଣା କରିଛି । ଯାହା ପାକିସ୍ତାନର ସୀମା ପାର ଜଳ ପ୍ରବେଶକୁ ଆହୁରି ସୀମିତ କରିବ । ଏହି ଘୋଷଣା ଆଫଗାନିସ୍ତା ଓ ପାକିସ୍ତାନ ମଧ୍ୟରେ ସୀମାରେ ହୋଇଥିବା ବିବାଦ ପରେ ହୋଇଛି । ଭାରତର ଆକ୍ସନ ଓ ଆଫଗାନିସ୍ତାନର ନୂଆ ଚାଲ୍ ପାକିସ୍ତାନର ଗଳା ଶୁଖାଇ ଦେବ । ଆଇଇପି ରିପୋର୍ଟ ଅନୁସାରେ ଭାରତର ସିନ୍ଧୁ ଚୁକ୍ତିନାମାକୁ ସ୍ଥଗିତ ରଖିବା ଦ୍ୱାରା ପାକିସ୍ତାନ ଜଳ ବିବାଦରୁ ମୁକୁଳିବାକୁ ବିକଳରେ ସାଉଦି ଆରବ ସହ ଏକ ପ୍ରତିରକ୍ଷା ଚୁକ୍ତି କରିଥିଲା ।