ନୂଆଦିଲ୍ଲୀ, ୧୩/୯ : କାଙ୍ଗାଳିସ୍ତାନ କରୁଛି ନିଶା ବେପାର। ସାରା ବିଶ୍ଵରେ ପାଲଟିଛି ଏକ ନମ୍ଵର। ପାକିସ୍ତାନ ଏବେ ଅଫିମ ରାଜଧାନୀ। ଭାରତ ପାଇଁ ବଢିଲା ବିପଦ। ଆତଙ୍କବାଦ ପାଇଁ ଚର୍ଚ୍ଚାରେ ଥିବା ପାକିସ୍ତାନ ଏବେ ବିଶ୍ଵବାସୀଙ୍କୁ ଦେଉଛି ନୂଆ ଟେନସନ୍ । ଅଫିମ ଚାଷର ହବ୍ ପାଲଟିଛି ଆତଙ୍କୀସ୍ତାନ। ତାଲିବାନର ପ୍ରତିବନ୍ଧକ ପରେ ପାକିସ୍ତାନକୁ ସ୍ଥାନାନ୍ତରିତ ହୋଇଛି କାବୁଲର ଅଫିମ ଚାଷ । ସଶସ୍ତ୍ର ଆତଙ୍କବାଦୀ ଗୋଷ୍ଠୀ ରହୁଥିବା ବଲୁଚିସ୍ତାନର ବିସ୍ତୃତ ଅଞ୍ଚଳରେ ହେଉଛି ଏହି ନିଶାଦ୍ରବ୍ୟ ଚାଷ । ସାଟେଲାଇଟ୍‌ ଫଟୋ ଖୋଲି ଦେଇଛି ଅଫିମ ଚାଷର ଗୁମର।

ଏକଦା ୮୦% ଅଫିମ ଉତ୍ପାଦନ କରି ଆଫଗାନିସ୍ତାନ ବିଶ୍ଵର ଏକ ନମ୍ଵର ଦେଶ ପାଲଟିଥିଲା। ହେଲେ ଏବେ ପାକିସ୍ତାନ ଆଫଗାନିସ୍ତାନର ରେକର୍ଡକୁ ଅତିକ୍ରମ କରିଛି। ୨୦୨୨ରେ ତାଲବାନ ସରକାର ଏହି ଚାଷ ଉପରେ ରୋକ୍ ଲଗାଇବା ଅଫିମ ଚାଷୀ ପାକିସ୍ତାନ ମୁହାଁ ହୋଇଛନ୍ତି । ଆଉ ବଲୁଚ ଲୋକଙ୍କ ସହଯୋଗରେ ଏହି ମାଦକ ଦ୍ରବ୍ୟ ଚାଷ କରୁଛନ୍ତି । ବର୍ତ୍ତମାନ ବେଲୁଚିସ୍ତାନର ଲୋକମାନେ ଏଥିରେ ପାରଙ୍ଗମ ହୋଇଯାଇଛନ୍ତି । ସୌରଶକ୍ତି ଚାଳିତ କୂଅ ବ୍ୟବହାର କରି ବିଶାଳ କ୍ଷେତକୁ ଜଳସେଚନ କରି ଏହି ନିଶାଦ୍ରବ୍ୟର ବ୍ୟାପକ ଚାଷ କରୁଛନ୍ତି। ୨୦୦୧ରେ ଅଫିମ ମୁକ୍ତ ଘୋଷିତ ହୋଇଥିବା ପାକିସ୍ତାନ ଏବେ ବିଶ୍ଵର ସବୁଠୁ ବଡ଼ ଅଫିମ ହବ୍‌ରେ ପରିଣତ ହୋଇଛି। ଯାହାକି ସାରା ବିଶ୍ଵ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।

ଅଫିମ ଗଛର ଫୁଲ ହେଉଛି ଅଫିମର ଉତ୍ସ। ଏଥିରୁ ହେରୋଇନ୍ ପରି ସେମିସିନ୍ଥେଟିକ୍ ନିଶାଦ୍ରବ୍ୟ ତିଆରି ହୁଏ। ଯେପରିକି ମର୍ଫିନ୍, କୋଡିନ୍, ହେରୋଇନ୍ ଓ ଅକ୍ସିକୋଡୋନ୍ ପରି ମାରାତ୍ମକ ନିଶା ଔଷଧ ତିଆରି ହୁଏ। ଯାହାକି ବିଶ୍ବ ପାଇଁ ବିପଦ ସୃଷ୍ଟି କରିବ। ଏନେଇ ଆମେରିକୀୟ କୂଟନୀତିଜ୍ଞ ତଥା ବୈଦେଶିକ ନୀତି ବିଶେଷଜ୍ଞ ଜଲେମ ଖଲିଲଜାଦ ଚେତାବନୀ ଦେଇଛନ୍ତି। କାରଣ ଏହାଦ୍ଵାରା ଆତଙ୍କବାଦ ଓ ହିଂସାତ୍ମକ ଗୋଷ୍ଠୀକୁ ଆର୍ଥିକ ବଳ ଦେବ । ଅର୍ଥନୀତି ଓ ରାଜନୀତିରେ ଅପରାଧୀକରଣ ବୃଦ୍ଧି କରିବ । ପୃଥିବୀର ଜନସଂଖ୍ୟାର ସିଂହ ଭାଗ ଲୋକଙ୍କୁ ନିଶାଗ୍ରସ୍ତ କରିବ। ଭାରତ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ। ବିଶେଷ କରି ପଞ୍ଜାବ ପ୍ରାନ୍ତରେ ନିଶାଦ୍ରବ୍ୟ ଚାଲାଣ ବଢିବ। ଯୁବପୀଢିଙ୍କୁ ନିଶାଗ୍ରସ୍ତ କରିବ। 

ବେଲୁଚିସ୍ତାନରେ ୨୦୨୨ ପରଠାରୁ ପ୍ରବଳ ଅଫିମ ଚାଷ ହେଉଛି। ଏଠାରେ ପ୍ରାୟ ୮ ହଜାର ୧୦୦ ହେକ୍ଟର ଅଞ୍ଚଳରେ ଚାଷ କରାଯାଉଛି। ଆଫଗାନିସ୍ତାନ ଓ ଇରାନ ସହିତ ପାକିସ୍ତାନ କୁଖ୍ୟାତ ଗୋଲଡେନ କ୍ରିସେଣ୍ଟ ଗଠନ କରିଛି। ଏହା ଅଫିମ ଉତ୍ପାଦନର ଏକ ପ୍ରମୁଖ କେନ୍ଦ୍ର। ଏହି ଅଞ୍ଚଳ ଦୀର୍ଘଦିନ ହେବ ବିଶ୍ଵ ନିଶାଦ୍ରବ୍ୟ କାରବାରର କେନ୍ଦ୍ରବିନ୍ଦୁ ହୋଇ ରହିଆସିଛି। ଯାହାକି ଏବେ ବୈଶ୍ଵିକ ସଙ୍କଟ ପାଲଟିଛି। ଏହା ବିରୋଧରେ ପାକିସ୍ତାନ ଯଦି କୌଣସି ଠୋସ୍ ପଦକ୍ଷେପ ନନିଏ ତେବେ ଏହି ଅବୈଧ ବ୍ୟାପାର ବୈଶ୍ଵିକ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ।