ନୂଆଦିଲ୍ଲୀ, ୦୮/୦୫: ଆଇଏସ୍ଆଇ ଟାର୍ଗେଟରେ ଥିଲା ଦିଲ୍ଲୀର ଐତିହାସିକ ମନ୍ଦିର ଏବଂ ସୋନିପତର ଫେମସ୍ ଢାବା । ବଡ଼ ଖୁଲାସ କଲା ଦିଲ୍ଲୀ ପୁଲିସର ସ୍ପେଶାଲ ଟିମ୍ । ପାକିସ୍ତାନ ସମର୍ଥିତ ଶହଜାତ ଭଟ୍ଟି ମଡ୍ୟୁଲର ସଦସ୍ୟମାନଙ୍କୁ ପଚାରାଉଚରା ବେଳେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଦିଲ୍ଲୀର ଏକ ଐତିହାସିକ ମନ୍ଦିର ଓ ହରିୟାଣାର ଏକ ସେନା ଶିବିର ଆତଙ୍କବାଦୀଙ୍କ ଟାର୍ଗେଟରେ ଥିବା ଜଣାପଡ଼ିଛି ।
ଗୁରୁବାର ଦିଲ୍ଲୀ ପୁଲିସର ସ୍ପେଶାଲ୍ ଟିମ୍ ଏହି ମଡ୍ୟୁଲ୍ର ୯ ଜଣ ସଦସ୍ୟଙ୍କୁ ବିପୁଳ ଅସ୍ତ୍ରଶସ୍ତ୍ର ସହିତ ଗିରଫ କରିଥିଲା। ଯାଞ୍ଚ ବେଳେ ଜଣାପଡ଼ିଛି ଯେ, ଏହି ମଡ୍ୟୁଲ୍ର ଜଣେ ସଦସ୍ୟ ମନ୍ଦିରର ରେକି କରିଥିଲେ। ସେ ମନ୍ଦିର ପରିସରର ଫଟୋ ଓ ଭିଡିଓ ପାକିସ୍ତାନରେ ବସିଥିବା ହ୍ୟାଣ୍ଡଲରଙ୍କୁ ପଠାଇଥିଲେ। ପାକିସ୍ତାନର ଗୁପ୍ତଚର ସଂସ୍ଥା ISIର ଇଙ୍ଗିତରେ ଏହି ମଡ୍ୟୁଲ୍ ଦିଲ୍ଲୀର ଏକ ପ୍ରସିଦ୍ଧ ମନ୍ଦିର ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିଲା। ଆତଙ୍କୀମାନେ ମନ୍ଦିର ସୁରକ୍ଷାରେ ନିୟୋଜିତ ପୁଲିସ ଓ ଅର୍ଦ୍ଧସାମରିକ ବଳ ଉପରକୁ ଗୁଳିଇ ଚଳାଇ ମନ୍ଦିରର ହାନି ପହଞ୍ଚାଇବାକୁ ଷଡ଼ଯନ୍ତ୍ର ରଚିଥିଲେ ।
ତଦନ୍ତରେ ଆହୁରି ଜଣାପଡ଼ିଛି ଯେ, ଦିଲ୍ଲୀ-ସୋନିପତ୍ ହାଇୱେରେ ଥିବା ଏକ ପ୍ରସିଦ୍ଧ ଢାବା ମଧ୍ୟ ତାଙ୍କ ଟାର୍ଗେଟ୍ରେ ଥିଲା। ଏହି ଢାବାକୁ ପ୍ରତିଦିନ ହଜାର ହଜାର ଲୋକ ଆସୁଥିବାବେଳେ, ସେଠାରେ ହ୍ୟାଣ୍ଡ ଗ୍ରେନେଡ୍ ମାଡ଼ କରି ବହୁ ଲୋକଙ୍କ ଜୀବନରୁ ନେବା ପାଇଁ ଯୋଜନା କରାଯାଇଥିଲା। ଏହା ସହିତ ହରିୟାଣାର ହିସାରରେ ଥିବା ଏକ ସେନା ଶିବିର ମଧ୍ୟ ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲା । ଗିରଫ ହୋଇଥିବା ମଡ୍ୟୁଲାର ସଦସ୍ୟମାନେ ସେନା ଶିବିରର ରେକି କରି ଭିଡିଓ ପାକିସ୍ତାନୀ ହ୍ୟାଣ୍ଡଲରଙ୍କୁ ପଠାଇଥିବା କଥା ଖୁଲାସା ହୋଇଛି ।
ଅଧିକ ପଢ଼ନ୍ତୁ- ତରଭୁଜ ଖାଇ ୪ଜଣଙ୍କ ମୃତ୍ୟୁ ମାମଲା: ଫରେନସିକ୍ ରିପୋର୍ଟରେ ସାମ୍ନାକୁ ଆସିଲା ଅସଲ କାରଣ