ନୂଆଦିଲ୍ଲୀ,୨୭।୫: ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ଏକ ଏପରି ବୟାନ ଦେଇଛନ୍ତି ଯାହା ପାକିସ୍ତାନରେ ପରିଚୟ ଏବଂ ଇତିହାସକୁ ନେଇ ନୂତନ ବିତର୍କ ଆରମ୍ଭ କରିଛି। ଆସିଫ୍ ଖୋଲାଖୋଲି ଭାବରେ ସ୍ୱୀକାର କରିଛନ୍ତି ଯେ ପାକିସ୍ତାନୀ ପିଲାମାନଙ୍କୁ ‘ଭୁଲ ଇତିହାସ’ ପଢ଼ାଯାଉଛି ଏବଂ ଦେଶର ଲୋକେ ସେମାନଙ୍କର ପ୍ରକୃତ ମୂଳଠାରୁ ବିଚ୍ଛିନ୍ନ ହେଉଛନ୍ତି। ଏକ ସାକ୍ଷାତକାରରେ ଖ୍ୱାଜା ଆସିଫ୍ କହିଛନ୍ତି, ଆମେ ପାକିସ୍ତାନୀ ମୁସଲମାନ ନିଜର ହିନ୍ଦୁ ପୂର୍ବ ପୁରୁଷଙ୍କୁ ଘୃଣା କରୁ। ପାକିସ୍ତାନର ଅଧା ଲୋକ ମିଛ ଦାବି କରିନ୍ତି ଯେ, ତାଙ୍କର ପୂର୍ବଜ ସାଉଦି ଆରବ କିମ୍ବା ଇରାନରୁ ଆସିଛନ୍ତି। ଏହା ଭାବି ଚିନ୍ତି ପ୍ରସ୍ତୁତ କରାଯାଇଛି, ଯାହଫଳରେ ପାକିସ୍ତାନର ନୂଆ ପୀଢି ନିଜର ସଭ୍ୟତାର ପରିଚୟରୁ କଟି ଯାଉ।’
ଖ୍ୱାଜା ଆସିଫ ଇତିହାସ ବହି ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ପାକିସ୍ତାନରେ ହିନ୍ଦୁ ଶାସକଙ୍କୁ ଇତିହାସରୁ ପ୍ରାୟ ହଟାଇ ଦିଆଯାଇଛି, କାରଣ ସେମାନେ ହିନ୍ଦୁ ଥିଲେ। ସେ କହିଛନ୍ତି, ମୋର ପୂର୍ବଜ ହିନ୍ଦୁଥିଲେ। ଏହା କହିଲେ କ’ଣ ମୁଁ ପାକିସ୍ତାନୀ କମ୍ ହୋଇଯିବି ?’ ଆସିଫଙ୍କ କହିବା ଅନୁସାରେ, ପାକିସ୍ତାନରେ ପଢ଼ା ଯାଉଥିବା ପୁସ୍ତକଗୁଡ଼ିକ ସେହି ଲୋକମାନଙ୍କ ଦ୍ୱାରା ଲେଖାଯାଇଥିଲା ଯେଉଁମାନେ ଭବିଷ୍ୟତ ପିଢ଼ିକୁ ଏକ ନିର୍ଦ୍ଦିଷ୍ଟ ମାନସିକତାରେ ଗଢ଼ିବାକୁ ଚେଷ୍ଟା କରିଥିଲେ।
ପାକିସ୍ତାନୀ ସମାଜର ଚିନ୍ତାଧାରା ବଦଳିଗଲା !
ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଆମେରିକା ଯୁଦ୍ଧରେ ପାକିସ୍ତାନକୁ ବ୍ୟବହାର କରିବା ପାଇଁ ସମାଜର ଚିନ୍ତାଧାରା ପରିବର୍ତ୍ତନ କରାଯାଇଥିଲା ଏବଂ ଇତିହାସକୁ ସେହି ଅନୁସାରେ ଉପସ୍ଥାପନ କରାଯାଇଥିଲା। ଆମର ପିଲାମାନେ ତଥ୍ୟଗତ ଇତିହାସ ଶିଖୁନାହାଁନ୍ତି। ଆଜି ପାକିସ୍ତାନର ଅନେକ ଲୋକ ଜାଣନ୍ତି ନାହିଁ ଯେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଏବଂ ଅଶୋକ କିଏ ଥିଲେ।’ ଖ୍ୱାଜା ଆସିଫଙ୍କ ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ସେ ଆମେରିକା-ଇସ୍ରାଏଲ ପ୍ରସଙ୍ଗରେ ବିବାଦରେ ଫସି ରହିଛନ୍ତି। ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନ ସମେତ ଅନେକ ମୁସଲିମ ଦେଶକୁ ଆବ୍ରାହମ ଚୁକ୍ତିରେ ସାମିଲ ହେବା ଏବଂ ଇସ୍ରାଏଲକୁ ମାନ୍ୟତା ଦେବାକୁ ଅନୁରୋଧ କରିଥିଲେ।
ପାକିସ୍ତାନ ଇସ୍ରାଏଲକୁ ମାନ୍ୟତା ଦେବ ନାହିଁ-ଆସିଫ
ଏହା ଉପରେ ପ୍ରତିକ୍ରିୟା ଦେଇ ଆସିଫ୍ କହିଛନ୍ତି, ମୋତେ ବ୍ୟକ୍ତିଗତ ଭାବରେ ଲାଗୁନି, ଆମକୁ ଏଭଳି କୌଣସି ଚୁକ୍ତିରେ ସାମିଲ ହେବା ଦରକାର।, ଯାହାକି ଆମର ମୌଳିକ ଚିନ୍ତାଧାରା ସହିତ ଦ୍ୱନ୍ଦ୍ୱ ସୃଷ୍ଟି କରିବ।’ ସେ ଦୋହରାଇଛନ୍ତି ଯେ, ପାକିସ୍ତାନର ପୁରୁଣା ଆଭିମୁଖ୍ୟ ଆଜି ବି ରହିଛି। ଯେଉଁ ପର୍ଯ୍ୟନ୍ତ ୧୯୬୭ର ସୀମା ଆଧାରରେ ପୂର୍ବ ଜେରୁଜେଲମ୍କୁ ରାଜଧାନୀ କରି ସ୍ବତନ୍ତ୍ର ପାଲେଷ୍ଟାଇନୀୟ ଦେଶ ନକରିଛି , ସେ ପର୍ଯ୍ୟନ୍ତ ଇସଲାମାବାଦ ଇସ୍ରାଏଲକୁ ମାନ୍ୟତା ଦେବ ନାହିଁ।’
ଉଲ୍ଲେଖନୀୟ ଯେ, ପାକିସ୍ତାନ ତା’ର ୭୮ ବର୍ଷର ଇତିହାସରେ କେବେ ବି ଇସ୍ରାଏଲକୁ ସରକାରୀ ଭାବରେ ସ୍ୱୀକୃତି ଦେଇନାହିଁ। ଏପରିକି ପାକିସ୍ତାନୀ ପାସପୋର୍ଟରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ ତାହା ଇସ୍ରାଏଲ ଯାତ୍ରା ପାଇଁ ବୈଧ ନୁହେଁ। ଆସିଫଙ୍କ ଏହି ବୟାନ ପରେ ଆମେରିକାରେ ପ୍ରତିକ୍ରିୟା ସୃଷ୍ଟି କରିଥିଲା। ରିପବ୍ଲିକାନ୍ ସାଂସଦ ଲିଣ୍ଡସେ ଗ୍ରାହାମ ପାକିସ୍ତାନର ଭୂମିକା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ପାକିସ୍ତାନ ଦୀର୍ଘ ସମୟ ଧରି ଇସ୍ରାଏଲ ପ୍ରତି ନକାରାତ୍ମକ ମନୋଭାବ ପୋଷଣ କରିଆସୁଛି, ଯାହା ଆମେରିକା-ଇରାନ କିମ୍ବା ଇସ୍ରାଏଲ ସମ୍ବନ୍ଧୀୟ ମାମଲାରେ ଏହାର ମଧ୍ୟସ୍ଥତାକୁ ‘ସମସ୍ୟାପୂର୍ଣ୍ଣ’ ହୋଇପାରେ।
ଆହୁରି ପଢନ୍ତୁ :Pak rejects US proposal: ଟ୍ରମ୍ପଙ୍କ ଆବ୍ରାହମ ଚୁକ୍ତି ପ୍ରସ୍ତାବକୁ ପାକିସ୍ତାନର ଝଟକା, କହିଲା ଆମର ଟିକେ ବି ଭରସା ନାହିଁ...