ନୂଆଦିଲ୍ଲୀ: ପାକିସ୍ତାନରେ ନିରାପଦ ଆଶ୍ରୟସ୍ଥଳରେ ଲୁଚି ରହିଥିବା ଆଉ ଜଣେ ଆତଙ୍କବାଦୀର ମୁଣ୍ଡ ଗଡିଛି। ଆତଙ୍କବାଦୀଙ୍କ ଏହି ସଂଖ୍ୟା ଲାହୋରରେ ଏବେ ଧିରେ ଧିରେ କମିବାରେ ଲାଗିଛି, ଯେଉଁ ଠାରେ ଅଜ୍ଞାତ ଆକ୍ରମଣକାରୀ ମାନେ ଲସ୍କର-ଏ-ତୈବା (LeT)ର ଜନକ କୁହାଯାଉଥିବା ତଥା ହାଫିଜ୍ ସଇଦର ନିକଟତମ ସହଯୋଗୀ ଆମିର ହମଜାଙ୍କୁ ଗୁଳି କରି ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଏକ ନ୍ୟୁଜ୍ ଚ୍ୟାନେଲର ଅଫିସ ବାହାରେ ଅଜ୍ଞାତ "ଆତତାୟୀ" ମାନେ ଆତଙ୍କବାଦୀଙ୍କ ଉପରେ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ହମଜା ବର୍ତ୍ତମାନ ଏକ ହସ୍ପିଟାଲରେ ଜୀବନ ପାଇଁ ଲଢ଼ୁଛି।
ରିପୋର୍ଟ ଅନୁଯାୟୀ, ହମଜା ଲାହୋର ନ୍ୟୁଜ୍ ଚ୍ୟାନେଲର ଅଫିସରୁ ବାହାରିବା ମାତ୍ରେ, ପୂର୍ବରୁ ଆମ୍ବୁସ୍ରେ ଅପେକ୍ଷା କରିଥିବା ଆକ୍ରମଣକାରୀ ମାନେ ତାଙ୍କ ଉପରେ ଗୁଳି ଚଳାଇଥିଲେ। ଆକ୍ରମଣକାରୀ ମାନେ ଏତେ ସୁଦୃଢ଼ ଥିଲେ ଯେ କଡ଼ା ସୁରକ୍ଷା ସତ୍ତ୍ୱେ ସେମାନେ ଆକ୍ରମଣ କରି ଅଦୃଶ୍ୟ ହୋଇଗଲେ।
କିଏ ଏହି ଆମିର ହମଜା ?
ଆମିର ହମଜା କୌଣସି ସାଧାରଣ ଆତଙ୍କବାଦୀ ନୁହଁନ୍ତି। ସେ ୧୯୮୦ ଦଶକର ମଧ୍ୟଭାଗରେ ହାଫିଜ୍ ସଇଦଙ୍କ ସହିତ ଲସ୍କର-ଏ-ତୈବା ପ୍ରତିଷ୍ଠା କରିଥିଲେ। ହମଜାକୁ ଲସ୍କରର ମୁଖ୍ୟ ପ୍ରଚାରକ ବୋଲି ବିବେଚନା କରାଯାଉଥିଲା। ସେ ସଂଗଠନର ମାଗାଜିନ୍ "ମଜାଲ୍ଲାହ ଅଲ-ଦାୱା"ର ପ୍ରତିଷ୍ଠାତା ସମ୍ପାଦକ ଥିଲେ ଏବଂ ତାଙ୍କ ପୁସ୍ତକ ଏବଂ ଘୃଣ୍ୟ ଭାଷଣ ମାଧ୍ୟମରେ ସେ "ଜିହାଦ" ନାମରେ ଯୁବକ ମାନଙ୍କୁ ଉସୁକାଇଥିଲେ। ସେ ଲସ୍କର ପାଇଁ ପାଣ୍ଠି ସଂଗ୍ରହ ଏବଂ ନୂତନ ଆତଙ୍କବାଦୀଙ୍କୁ ନିଯୁକ୍ତି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ଆମିର ହମଜାଙ୍କ ନାମ ଭାରତରେ ଅନେକ ଆତଙ୍କବାଦୀ ଆକ୍ରମଣ ସହିତ ଜଡିତ। ସେ ଆଫଗାନିସ୍ତାନରେ ସୋଭିଏତ୍ ସେନା ବିରୁଦ୍ଧରେ 'ଜିହାଦ'ର ମଧ୍ୟ ଅଂଶ ଥିଲେ, ଯାହା ପରେ ସେ ଭାରତ ବିରୁଦ୍ଧରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ତାଙ୍କର ସମସ୍ତ ଶକ୍ତି ଉତ୍ସର୍ଗ କରିଥିଲେ। ତାଙ୍କର ବିପଦପୂର୍ଣ୍ଣ କାର୍ଯ୍ୟକଳାପକୁ ଦେଖି, ଆମେରିକା ତାଙ୍କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିଥିଲା ଏବଂ ତାଙ୍କ ଉପରେ କଠୋର କଟକଣା ଲଗାଇଥିଲା।
ସଦ୍ୟତମ ସୂଚନା ଅନୁଯାୟୀ, ଆମିର ହମଜାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟଜନକ। ତାଙ୍କୁ ଲାହୋରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ନିୟୋଜିତ କରାଯାଇଛି। ସୂତ୍ର ଅନୁସାରେ ତାଙ୍କୁ ଅନେକ ଥର ଗୁଳି କରାଯାଇଛି ଏବଂ ତାଙ୍କର ବଞ୍ଚିବାର ସମ୍ଭାବନା କମ୍। ଯଦି ହମଜାର ମୃତ୍ୟୁ ହୁଏ, ତେବେ ଏହା ଲସ୍କର-ଏ-ତୈବା ଏବଂ ହାଫିଜ୍ ସଇଦ ପାଇଁ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଧକ୍କା ହେବ ।