ନୂଆଦିଲ୍ଲୀ, ୮।୯: ପାକିସ୍ତାନରେ ବଡ଼ ଡାଟା ଲିକ୍ ଖବର ସାମ୍ନାକୁ ଆସିଛି । ଇଣ୍ଟରନେଟରେ ବହୁ ସଂଖ୍ୟକ ମୋବାଇଲ୍ ଫୋନ୍ ୟୁଜର୍ସଙ୍କ ସିମ୍ ଡାଟା ବିକ୍ରି ହେଉଥିବା ଜଣାପଡ଼ିଛି । ଏଥିରେ ରାଜନେତା ଏବଂ ସରକାରୀ ଅଧିକାରୀଙ୍କ ଡାଟା ମଧ୍ୟ ସାମିଲ । ରିପୋର୍ଟ ଅନୁଯାୟୀ, ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ୍ ନକଭି ମଧ୍ୟ ଡାଟା ଲିକ୍‌ର ଶିକାର ହୋଇଛନ୍ତି । ଇଣ୍ଟରନେଟରେ ୫୦୦ ପାକିସ୍ତାନୀ ମୁଦ୍ରାରେ ମୋବାଇଲ୍ ଫୋନ୍ ଲୋକେସନ୍, ୨ ହଜାର ଟଙ୍କାରେ ମୋବାଇଲ୍ ଡାଟା ରେକର୍ଡ ଏବଂ ୫ ହଜାର ଟଙ୍କାରେ ବିଦେଶ ଯାତ୍ରା ବିଷୟରେ ସୂଚନା ବିକ୍ରି ହେଉଛି । ଏହି ଖବର ପ୍ରକାଶ ପାଇବା ପରେ, ପାକିସ୍ତାନ ସରକାର ତଦନ୍ତ ଆରମ୍ଭ କରିଛନ୍ତି । ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି, ଯାହା ଦୁଇ ସପ୍ତାହ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବ ।

ଗୃହମନ୍ତ୍ରୀ ନକଭିଙ୍କ ତଥ୍ୟ ବି ସାମିଲ:

ଡନ୍‌ଡଟ୍‌ କମ୍‌ର ଏକ ରିପୋର୍ଟ ଅନୁଯାୟୀ, ଏହି ଡାଟା ଲିକ୍‌ ପଛରେ କିଏ କିଏ ସମ୍ପୃକ୍ତ ସେନେଇ ତଦନ୍ତ କରାଯାଉଛି । ଯେଉଁଥିରେ ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ୍ ନକଭିଙ୍କ ଡାଟା ମଧ୍ୟ ଲିକ୍ ହୋଇଛି । କିଛି ମାସ ପୂର୍ବେ ପାକିସ୍ତାନର ନ୍ୟାସନାଲ ସାଇବର ଏମର୍ଜେନ୍ସି ରେସପନ୍ସ ଟିମ୍ ପ୍ରକାଶ କରିଥିଲା ​​ଯେ, ପାକିସ୍ତାନର ୧୮ କୋଟିରୁ ଅଧିକ ଇଣ୍ଟରନେଟ୍ ୟୁଜର୍ସଙ୍କ ଲଗ୍-ଇନ୍ ବିବରଣୀ ସମେତ ସମସ୍ତ ତଥ୍ୟ ଇଣ୍ଟରନେଟରେ ଚୋରି ହୋଇଛି । ଏହି ଚୋରି ଏକ ବିଶ୍ୱସ୍ତରୀୟ ଡାଟା ଉଲ୍ଲଂଘନର ଏକ ଅଂଶ ଥିଲା । ସେହି ସମୟରେ, ସରକାରୀ ସଂସ୍ଥା ଲୋକମାନଙ୍କୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ କହିଥିଲା, ଯେଉଁଥିରେ ଲୋକମାନଙ୍କୁ ବିଶେଷ ଭାବରେ ସେମାନଙ୍କର ପାସୱାର୍ଡ ପରିବର୍ତ୍ତନ କରିବାକୁ ପରାମର୍ଶ ଦିଆଯାଇଥିଲା ।

ଡ଼ ବଡ଼ିଆଙ୍କ ନାଁ ସାମ୍ନାକୁ ଆସିବାରୁ ଆରମ୍ଭ ହେଲା ତଦନ୍ତ:

ଇଣ୍ଟରନେଟରେ ପାକିସ୍ତାନର ଶୀର୍ଷ ନେତା, ମନ୍ତ୍ରୀ ଏବଂ ସରକାରୀ ଅଧିକାରୀଙ୍କ ସମ୍ବେଦନଶୀଳ ତଥ୍ୟ ବିକ୍ରି ହେଉଥିବା ସୂଚନା ମିଳିବା ମାତ୍ରେ ପାକିସ୍ତାନୀ ଗଣମାଧ୍ୟମରେ ଚାଞ୍ଚଲ୍ୟ ଖେଳିଗଲା । ଏହା ପରେ ତୁରନ୍ତ ତଦନ୍ତ ଆରମ୍ଭ ହୋଇଥିଲା । ୧୪ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି, ଯେଉଁଥିରେ କିପରି ତଥ୍ୟ ଲିକ୍ ହେଲା ସେନେଇ ସୂଚନା ଦିଆଯିବ । କୁହାଯାଇଛି ଯେ, ସରକାର ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ତଦନ୍ତର ଦାୟିତ୍ୱ ଜାତୀୟ ସାଇବର ଅପରାଧ ତଦନ୍ତ ସଂସ୍ଥାକୁ ଦିଆଯାଇଛି ।

ମାଲୱେର ପ୍ରବେଶ କରି ଚୋରି ହୋଇଛି ଡାଟା:

କିଛି ମାସ ପୂର୍ବେ, ପାକିସ୍ତାନରେ ଇଣ୍ଟରନେଟ୍ ୟୁଜର୍ସଙ୍କ ତଥ୍ୟ ଇନଫୋଷ୍ଟିଲର ମାଲୱେର ସାହାଯ୍ୟରେ ଚୋରି କରାଯାଇଥିଲା । ଏହା ଏକ ସଫ୍ଟୱେର୍, ଯାହା ୟୁଜର୍ସଙ୍କ ସ୍ମାର୍ଟଫୋନରେ ପ୍ରବେଶ କରିବା ପରେ ସମ୍ବେଦନଶୀଳ ସୂଚନା ହାସଲ କରିବା ଆରମ୍ଭ କରେ । ଏହା ଡାଟାକୁ ସରଳ ଭାଷାରେ ସେଭ୍ କରେ, ଯାହାକୁ ଯେ କେହି ବି ପଢ଼ିପାରିବେ । ଯାହାକୁ ସାଇବର ଅପରାଧୀମାନେ ବିକ୍ରି କରିବା ଆରମ୍ଭ କରିଥିଲେ ।