ନୂଆଦିଲ୍ଲୀ: ବାଂଲାଦେଶକୁ  କରାଚୀ ବନ୍ଦର ବ୍ୟବହାର କରିବାକୁ ପ୍ରସ୍ତାବ ଦେଲା ପାକିସ୍ତାନ। ସୋମବାର ଢାକାରେ ଅନୁଷ୍ଠିତ ପାକିସ୍ତାନ-ବାଂଲାଦେଶ ମିଳିତ ଅର୍ଥନୈତିକ କମିଶନ (JEC)ର ୯ମ ବୈଠକରେ ଏହି ପ୍ରସ୍ତାବ ଦିଆଯାଇଛି । ଏହି ବୈଠକ ପ୍ରାୟ ୨୦ ବର୍ଷ ପରେ ଅନୁଷ୍ଠତି ହୋଇଛି ।  କରାଚୀ ବନ୍ଦର ବ୍ୟବହାର ଦ୍ବାରା ବାଂଲାଦେଶକୁ ଚୀନ୍, ଉପସାଗରୀୟ ଦେଶ ଏବଂ ମଧ୍ୟ ଏସିଆର ବଜାରରେ ପ୍ରବେଶ କରିବା ସହଜ ହେବ ବୋଲି ପାକିସ୍ତାନ କହିଛି ।  ଭାରତ ସରକାର ୮ ଏପ୍ରିଲ୍ ୨୦୨୫ରେ ଏକ ସର୍କୁଲାର ଜାରି କରି ବାଂଲାଦେଶକୁ ତୃତୀୟ ଦେଶର ରପ୍ତାନି ପାଇଁ ଭାରତୀୟ ଅଞ୍ଚଳ ଦେଇ ସାମଗ୍ରୀ ପରିବହନ ସୁବିଧାକୁ ବନ୍ଦ କରିଦେଇଥିଲେ। ଏହି ନିଷ୍ପତ୍ତି ଅନୁଯାୟୀ, ବାଂଲାଦେଶୀ ସାମଗ୍ରୀ ଆଉ ଭାରତର କୌଣସି ବନ୍ଦର କିମ୍ବା ବିମାନବନ୍ଦରରୁ ଭାରତର ଲ୍ୟାଣ୍ଡ କଷ୍ଟମ୍ସ ଷ୍ଟେସନ (LCS) ମାଧ୍ୟମରେ ଅନ୍ୟ ଦେଶକୁ ଯାଇପାରିବ ନାହିଁ । 

ବୈଠକରେ ପାକିସ୍ତାନ ବାଂଲାଦେଶରୁ ଝୋଟ ଆମଦାନୀ କରିବାକୁ ଗଭୀର ଆଗ୍ରହ ପ୍ରକାଶ କରିଛି । ବର୍ତ୍ତମାନ ଭାରତ ବାଂଲାଦେଶରୁ ସର୍ବାଧିକ ଝୋଟ  କ୍ରୟ କରୁଛି । ଭାରତ ୨୦୨୩ ମସିହାରେ ପ୍ରାୟ ୯୫ ନିୟୁତ ଡଲାର ମୂଲ୍ୟର ଝୋଟ ଆମଦାନୀ କରିଥିଲା। କିନ୍ତୁ ଅଗଷ୍ଟ ମାସରେ ଭାରତ ତାର ବନ୍ଦର ଦେଇ ବାଂଲାଦେଶୀ ଝୋଟ ଉତ୍ପାଦର ପ୍ରବେଶ ଉପରେ କଟକଣା ଲଗାଇଥିଲା। ଭାରତ କହିଥିଲା ​​ଯେ, ବାଂଲାଦେଶର ସବସିଡି ଭାରତୀୟ ଶିଳ୍ପକୁ କ୍ଷତି ପହଞ୍ଚାଉଛି। ପରବର୍ତ୍ତୀ ସମୟରେ, ବାଂଲାଦେଶର ଝୋଟ ରପ୍ତାନି ଜୁଲାଇ ୨୦୨୫ ରେ ୧୨.୯ ନିୟୁତ ଡଲାରରୁ ହ୍ରାସ ପାଇ ୩.୪ ନିୟୁତ ଡଲାରକୁ ଖସି ଆସିଛି ।

ସେପଟେ ଭାରତ ପକ୍ଷରୁ ଆମଦାନି କମିଯିବା ପରେ ବାଂଲାଦେଶ ସୂତା ଆମଦାନୀ ବନ୍ଦ କରିଦେଇଛି । ବୈଠକରେ ପାକିସ୍ତାନ ପ୍ରସ୍ତାବ ଦେଇଛି ଯେ, ବାଂଲାଦେଶ ନିଜର ଝୋଟ ଉତ୍ପାଦ ରପ୍ତାନି ପାଇଁ କରାଚୀ ବନ୍ଦର ବ୍ୟବହାର କରିପାରିବ। ରିପୋର୍ଟ ଅନୁଯାୟୀ, ପାକିସ୍ତାନ ବାଂଲାଦେଶୀ ବ୍ୟବସାୟୀଙ୍କ ପାଇଁ ବୈଷୟିକ ତାଲିମ ସିଟ୍‌ ବୃଦ୍ଧି କରିବାକୁ ମଧ୍ୟ ଘୋଷଣା କରିଛି। 

ଦୁଇ ଦେଶ ଏହା ଉପରେ କାର୍ଯ୍ୟ କରିବାକୁ ଏକ ମିଳିତ ଟିମ୍‌ ଗଠନ କରିବାକୁ ଯୋଜନା କରିଛନ୍ତି । ସେପଟେ ବାଂଲାଦେଶ ଏବଂ ଭାରତ ମଧ୍ୟରେ ବାଣିଜ୍ୟିକ ପାର୍ଥକ୍ୟ ବୃଦ୍ଧି ପାଇଛି । ଆଉ ଏହାର ଫାଇଦା ନେଇ ପାକିସ୍ତାନ ବାଂଲାଦେଶ ସହ ବାଣିଜ୍ୟ ବଢ଼ାଇବାକୁ ଯୋଜନା କରୁଛି । ବିଶେଷଜ୍ଞଙ୍କ ମତରେ, ଆଫଗାନିସ୍ତାନକୁ କରାଚୀ ପୋର୍ଟ ବ୍ୟବହାର କରିବା ସମୟ ସାକ୍ଷେପ ହେବ ଏବଂ ଏଥିପାଇଁ ଅଧିଖ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ।