ନୂଆଦିଲ୍ଲୀ, ୩୧।୩: ପଡ଼ୋଶୀ ଦେଶ ପାକିସ୍ତାନରେ ଜାରି ରହିଥିବା ଶକ୍ତି ସଙ୍କଟ ମଧ୍ୟରେ ସେଠାକାର ସରକାର ଏକ ବଡ଼ ଏବଂ କଠୋର ନିଷ୍ପତ୍ତି ନେଇଛନ୍ତି । ଏବେ ପାକିସ୍ତାନରେ ତେଲ ଏବଂ ଗ୍ୟାସ୍ର ବେଆଇନ ମହଜୁଦ ଏବଂ ଚୋରିକୁ 'ଆତଙ୍କବାଦ' ଶ୍ରେଣୀଭୁକ୍ତ କରାଯାଇଛି । ସୋମବାର ପାକିସ୍ତାନ ନ୍ୟାସନାଲ ଆସେମ୍ବଲିରେ ଏ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଆଗତ କରାଯାଇଛି ।
କ’ଣ ରହିଛି ନୂଆ ଆଇନ ?
ପାକିସ୍ତାନର ଆଇନ ମନ୍ତ୍ରୀ ଆଜମ ନଜିର ତରାରଙ୍କ ଦ୍ୱାରା ଆଗତ 'ଅପରାଧିକ ଆଇନ (ସଂଶୋଧନ) ବିଧେୟକ, ୨୦୨୬' ଅନୁଯାୟୀ କଠୋର ଦଣ୍ଡବିଧାନ କରାଯାଇଛି:
୧୪ ବର୍ଷର ଜେଲ୍: ଯଦି କୌଣସି ବ୍ୟକ୍ତି ତେଲ କିମ୍ବା ଗ୍ୟାସ୍ ଚୋରି କରୁଥିବା ଅବସ୍ଥାରେ ଧରାପଡ଼ନ୍ତି, ତେବେ ତାଙ୍କୁ ସର୍ବନିମ୍ନ ୧୪ ବର୍ଷର ଜେଲ୍ ଦଣ୍ଡାଦେଶ ହେବ ।
ଜରିମାନା: ଚୋରି କ୍ଷେତ୍ରରେ ଅଭିଯୁକ୍ତଙ୍କ ଉପରେ ୩ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯାଇପାରିବ ।
ତସ୍କରୀ ଓ ବେଆଇନ ମହଜୁଦ: ତେଲ କିମ୍ବା ଗ୍ୟାସ୍ର ବେଆଇନ ତସ୍କରୀ ଏବଂ ଗଚ୍ଛିତ ରଖିବା ଅପରାଧ ପାଇଁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହେବ ।
ଏହା ବି ପଢ଼ନ୍ତୁ... ୨୦ ବର୍ଷୀୟ ଛାତ୍ରଙ୍କ କମାଲ, ତିଆରି କଲେ ଭବିଷ୍ୟତ କହୁଥିବା AI ସିଷ୍ଟମ୍ !
ବିନା ୱାରେଣ୍ଟରେ ଗିରଫ: ନୂଆ ନିୟମ ଅନୁଯାୟୀ, ଏହି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୁଲିସକୁ କୌଣସି କୋର୍ଟ ୱାରେଣ୍ଟର ଆବଶ୍ୟକତା ପଡ଼ିବ ନାହିଁ । ଅଧିକାରୀମାନେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ।
ତେଲ ଚୋରିକୁ ଆତଙ୍କବାଦ ସହ କାହିଁକି ଯୋଡ଼ାଗଲା ?
ପାକିସ୍ତାନ ସରକାରଙ୍କ କହିବା ଅନୁଯାୟୀ, ତେଲ ମାଫିଆ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କ ରହିଛି । ଆତଙ୍କବାଦୀମାନେ ପ୍ରଥମେ ପାଇପ୍ ଲାଇନ ଉପରେ ଆକ୍ରମଣ କରୁଛନ୍ତି ଏବଂ ପରେ ମାଫିଆଙ୍କ ଜରିଆରେ ସେହି ତେଲ ଓ ଗ୍ୟାସ୍କୁ କଳାବଜାରରେ ଚଢ଼ା ଦରରେ ବିକ୍ରି କରୁଛନ୍ତି । ଏହି ବେଆଇନ କାରବାରରୁ ମିଳୁଥିବା ଅର୍ଥକୁ ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ାଇବା ପାଇଁ ବ୍ୟବହାର କରାଯାଉଛି । ଏଣୁ ଏହାକୁ ରୋକିବା ପାଇଁ ସରକାର 'ଟେରର ଆକ୍ଟ' ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ।
ବେଲୁଚିସ୍ତାନରେ ସଙ୍କଟ:
ଏହି ନିୟମ ଆସିବା ସମୟରେ ହିଁ ବେଲୁଚିସ୍ତାନରେ ଏକ ତେଲ ପାଇପଲାଇନ ଉପରେ ଆକ୍ରମଣ ହୋଇଥିବା ଖବର ମିଳିଛି । ଏହି ଆକ୍ରମଣ ଯୋଗୁଁ ବେଲୁଚିସ୍ତାନର ରାଜଧାନୀ କ୍ୱେଟା ସମେତ ଅନେକ ଅଞ୍ଚଳରେ ଇନ୍ଧନ ଯୋଗାଣ ବାଧାପ୍ରାପ୍ତ ହୋଇଛି । ପାକିସ୍ତାନର ଶକ୍ତି ସଙ୍କଟକୁ ସୁଧାରିବା ଏବଂ ଆତଙ୍କବାଦୀଙ୍କ ପାଣ୍ଠି ଯୋଗାଣକୁ ବନ୍ଦ କରିବା ପାଇଁ ଏହି କଠୋର ଆଇନ ଅସ୍ତ୍ର ସାଜିବ ବୋଲି ଶେହବାଜ ସରିଫ ସରକାର ଆଶା ରଖିଛନ୍ତି ।