ନୂଆଦିଲ୍ଲୀ,୨।୧୦: ପାକିସ୍ତାନର ଶାହବାଜ ସରିଫ ସରକାର, ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ସହିତ, ପାକ୍ ଅଧିକୃତ କାଶ୍ମୀର ଲୋକଙ୍କ ଉପରେ ଅତ୍ୟାଚାର ଜାରି ରଖିଛନ୍ତି। ଲୋକମାନେ ବଢ଼ୁଥିବା ମୁଦ୍ରାସ୍ଫୀତି ଏବଂ ସାମରିକ ଅତ୍ୟାଚାର ବିରୁଦ୍ଧରେ ପ୍ରତିବାଦ ଏବଂ ପାକିସ୍ତାନଠାରୁ ସ୍ୱାଧୀନତା ଦାବି କରୁଛନ୍ତି। ବୁଧବାର ସେନା କାର୍ଯ୍ୟାନୁଷ୍ଠାନରେ ୧୨ ଜଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଥିଲା, ଯାହା ପିଓକେରେ ବ୍ୟାପକ ଅଶାନ୍ତି ସୃଷ୍ଟି କରିଥିଲା। ପାକିସ୍ତାନ ସରକାର ଏବଂ ମୁନିରଙ୍କ ସେନା ପିଓକେର ସ୍ଥିତି ବିଷୟରେ ଚିନ୍ତିତ । ବର୍ତ୍ତମାନ ପରିସ୍ଥିତିର ସମାଧାନ ପାଇଁ ଭାରତର ନାଁ ନେଇଛନ୍ତି।
ପାକିସ୍ତାନ ସେନା ନିଜର ବିଫଳତାକୁ ଲୁଚାଇବା ପାଇଁ ମିଛ ଧମକର ବ୍ୟବହାର କରୁଛନ୍ତି। ପାକିସ୍ତାନ ସେନା ମୁଖପାତ୍ର ଅହମ୍ମଦ ଶରିଫ୍ ଚୌଧୁରୀ ପ୍ରଦର୍ଶନକାରୀଙ୍କୁ ଧମକ ଦେଉଛନ୍ତି। ସେ କହିଛନ୍ତି, ପ୍ରଦର୍ଶନ କରିବା ଅଧିକାର, କିନ୍ତୁ ସରକାରଙ୍କୁ ଅସ୍ଥିର କରିବାକୁ ଚେଷ୍ଟା କରନି। ପିଓକେରେ ରାଜନୈତିକ ସିଷ୍ଟମ କାମ କରୁଛି। ଯଦି ଟ୍ୟାକ୍ସ ଲାଗିବନି ତେବେ ସରକାର କିଭଳି ଦରମା ଦେବେ ? ଯଦି କିଛି ସମସ୍ୟା ଅଛି ସିଷ୍ଟମରେ ଆସି କଥା ହୁଅ।’
ନିଜର ବିଫଳତାକୁ ଲୁଚାଇବା ପାଇଁ ସବୁଥର ଭଳି ଏଥର ମଧ୍ୟ ପାକିସ୍ତାନ ଭାରତକୁ ଦୋଷ ଦେଇଛି। କାଶ୍ମୀର ପ୍ରସଙ୍ଗ ନେଇ ଚୌଧୁରୀ କହିଛନ୍ତି, "ପାକିସ୍ତାନର ସ୍ୱପ୍ନ ଦେଖିଥିବା ବ୍ୟକ୍ତି ମଧ୍ୟ କାଶ୍ମୀରର ଥିଲେ। ସେନାରେ ଅନେକ ଅଧିକାରୀ ଏବଂ ସୈନିକ କାଶ୍ମୀରୀ। କାଶ୍ମୀରର ଭବିଷ୍ୟତ ପାକିସ୍ତାନର ଅଂଶ ହେବା।ଅଟା-ବିଜୁଳି ଶସ୍ତା କରାଯାଇଛି ଓ ବହୁ ଲାଭ ଜନତାଙ୍କ ନିକଟରେ ପହଁଞ୍ଚିଛି। ପିଓକେର ସ୍ଥିତି ଭାରତର ଜମ୍ମୁ-କାଶ୍ମୀରଠାରୁ ଭଲ ଅଛି। ପିଓକେର ସାକ୍ଷରତା ହାର ଭାରତର ଜମ୍ମୁ-କାଶ୍ମୀରଠାରୁ ଭଲ। ପିଓକେରେ ହସ୍ପିଟାଲ, ସଡକ ଓ କଲେଜ ସ୍ଥିତି ଭଲ ରହିଛି। ଏଠାରେ ବିଜୁଳି ମଧ୍ୟ ଶସ୍ତା ଓ ଦରଦାମ୍ କମ୍ ରହିଛି।’