ନୂଆଦିଲ୍ଲୀ, ୧୧/୧୦ : ପାକିସ୍ତାନର ପୁଲିସ ଟ୍ରେନିଂ ସ୍କୁଲ ଉପରେ ବଡ଼ ହମ୍ଲା। ୩ ପୁଲିସ କର୍ମୀ ମୃତ। ପାକିସ୍ତାନର ଖୈବର ପଖତୁନଖ୍ଵା ପ୍ରାନ୍ତର ଇସ୍ମାଇଲ ଖାନରେ ଥିବା ଏକ ପୁଲିସ ଟ୍ରେନିଂ ସ୍କୁଲ ଉପରେ ଟିଟିପିର ଆତଙ୍କବାଦୀମାନେ ଆତ୍ମଘାତୀ ଆକ୍ରମଣ କରିଛନ୍ତି। ପାକ୍ ସୁରକ୍ଷାବାହିନୀ ଏହାର ଜବାବ ଦେଇଛି। ଏହି ଏନକାଉଣ୍ଟରରେ ୩ ଜଣ ପୁଲିସ କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଟିଟିପି ଆତଙ୍କବାଦୀ ନିହତ ହୋଇଛନ୍ତି।
ସୂଚନାନୁଯାୟୀ, ପାକିସ୍ତାନରେ ଏବେ ତେହରିକ-ଏ-ତାଲିବାନ ପାକିସ୍ତାନର ଆତଙ୍କବାଦୀମାନେ ସକ୍ରିୟ ହୋଇ ଉଠିଛନ୍ତି। ବିଭିନ୍ନ ସ୍ଥାନରେ ଆତ୍ମଘାତୀ ଆକ୍ରମଣ କରୁଛନ୍ତି। ସେପଟେ ଅଫଗାନ ତାଲିବାନ ସହ ମଧ୍ୟ ପାକିସ୍ତାନର ତିକ୍ତତା ବଢିଛି। ଗୁରୁବାର-ଶୁକ୍ରବାର ରାତିରେ ପାକ୍ ସେନା କାବୁଲରେ ଏୟାରଷ୍ଟ୍ରାଇକ୍ କରିଛି। ଏହାର ପରିଣାମ ଭୟଙ୍କର ହେବ ବୋଲି ତାଲିବାନ ମଧ୍ୟ ଚେତାବନୀ ଦେଇଛି। ଏହି ମଧ୍ୟରେ ଟିଟିପିର ଆତଙ୍କବାଦୀମାନେ ଇସ୍ମାଇଲ ଖାନରେ ଥିବା ପୁଲିସ ଟ୍ରେନିଂ ସ୍କୁଲରେ ପଶି ଆତ୍ମଘାତୀ ଆକ୍ରମଣ କରିଛନ୍ତି। ପାକ୍ ସୁରକ୍ଷାବାହିନୀ ପକ୍ଷରୁ ଏହାର ପାଲଟା ଜବାବ ଦିଆଯାଇଛି।
ଖାଲି ସେତିକି ନୁହେଁ, ପାକିସ୍ତାନରେ ଏବେ ଅହମଦି ମୁସଲିମ ସମୁଦାୟଙ୍କ ବିରୋଧରେ ଆକ୍ରୋଶ ବୃଦ୍ଧି ପାଇଛି। ଶୁକ୍ରବାର ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଥିବା ଚନାବ ନଗରରେ ଅହମଦି ସମୁଦାୟର ବେତ-ଉଲ-ମହଦି ମସଜିଦରେ ଜୁମାର ନମାଜ ପାଠ ପରେ ଆତଙ୍କୀ ହମଲା ହୋଇଛି। ଏହି ଆକ୍ରମଣରେ ବହୁ ଭଲ୍ୟୁଣ୍ଟର ଆହତ ହୋଇଥିବା ବେଳେ ଜଣେ ଆକ୍ରମଣକାରୀ ନିହତ ହୋଇଛି। ସ୍ଥାନୀୟ ପୁଲିସ ତଦନ୍ତ ଆରମ୍ଭ କରିଛି।