ଲାହୋର,୯।୧୧: ପାକିସ୍ତାନର ବହୁ ସହରରେ ପ୍ରଦୂଷଣର ସ୍ଥିତି ଖୁବ୍ ସଙ୍ଗୀନ। ନିଶ୍ବାସ ନେବା ଏବେ ହୋଇପଡିଛି କଷ୍ଟକର। ପାକ୍ର ପଞ୍ଜାବ ସରକାର ସ୍କୁଲ ଓ କଲେଜକୁ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି। ଏହାଛଡା ସଂଗ୍ରାହାଳୟ ଓ ପାର୍କ ମଧ୍ୟ ବନ୍ଦ କରି ଦିଆଯାଇଛି। ଏତେ ଅଧିକ ଧୂଆଁ ବଢିଯାଇଛି ଯେ, ଦୂରକୁ ଟିକେ ଦେଖିବା ସମ୍ଭବ ହେଉନି। ଗାଡି ଚଳାଇବା ଓ ଚାଲିବା ମଧ୍ୟ କଷ୍ଟକର ହୋଇପଡିଛି। ଶୁକ୍ରବାର ଲାହୋର, ଗୁଞ୍ଜରଓ୍ବାଲା, ଫୈସଲାବାଦ, ମୁଲତାନା,ଶେଖୁପୁର, କସୁର, ନନକାନା ସାହିବ, ଗୁଜରାଟ, ହାଫଇଜାବାଦ, ମଣ୍ଡି ବହାଉଦ୍ଧିନ୍, ଟୋବା ଟେକ୍ ସିଂହ, ବେହାରି, ଓ ଖାନଭୋଲରେ କଟକଣା ଲାଗୁ କରି ଦିଆଯାଇଛି।
ଦକ୍ଷିଣ ପଞ୍ଜାବର ସବୁଠାରୁ ବଡ ସହର ମୁଲତାନରେ ବାୟୁର ଗୁଣବତ୍ତା ସକାଳ ୮ଟାରୁ ୯ଟା ଭିତରେ ୨୧୩୫ ପାର କରିଥିଲା। ବାୟୁରେ ପିଏମ୍ ୨.୫ ମାତ୍ରା ବଢିବା କାରଣରୁ ଲୋକଙ୍କର ସ୍ବାସ୍ଥ୍ୟ ଖରାପ ହେବାରେ ଲାଗିଛି। ମୁଲତାନର ଏକ୍ୟୁଆଇ ରାତି ୧୦ଟା ବେଳେ ୯୮୦ ପାର କରି ଚାଲିଯାଇଥିଲା। ୩୦୦ର ସ୍ତର ହିଁ ବିପଦଜନକ ଶ୍ରେଣୀରେ ଆସିଥାଏ।
ମୁଲତାନର ତିନି କ୍ବାଲିଟି ମନିଟର କାର୍ଯ୍ୟାଳୟରେ ବାୟୁର ଗୁଣବତ୍ତା ୨୩୧୩,୧୬୩୫ ଓ ୧୫୨୭ ଜଣାପଡିଛି। ପାକିସ୍ତାନର ଶିକ୍ଷା ବିଭାଗ ଟ୍ୟୁସନ୍ ସେଣ୍ଟର ମଧ୍ୟ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି। ଉଲ୍ଲେଖନୀୟ ଯେ, ଶୁକ୍ରବାର ପ୍ରଦୂଷଣର ରାଙ୍କିଙ୍ଗରେ ପାକିସ୍ତାନର ୭ଟି ସହରର ସ୍ଥିତି ଖୁବ୍ ଖରାପ ଥିଲା।ଲାହୋର ଓ ଆଖପାଖରେ ବାୟୁର ଗତି ୧୧ କିଲୋମିଟର ପ୍ରତି ଘଣ୍ଟାରୁ କମ୍ ଥିଲା। ଏଭଳି ସ୍ଥିତିରେ ପ୍ରଦୂଷଣର ମାତ୍ରା ବିପଦଜନକ ଶ୍ରେଣୀରୁ ବି ଅଧିକ ହୋଇଯାଇଛି।