ନୂଆଦିଲ୍ଲୀ,୨୮।୩: ପାକିସ୍ତାନ ଏବେ ବି ଭାରତ ବିରୋଧରେ ସକ୍ରିୟ ଆତଙ୍କବାଦୀ ଗୋଷ୍ଠୀଙ୍କ ଗଡ଼ ପାଲଟିଛି। ଆମେରିକା କଂଗ୍ରେସ ରିସର୍ଚ୍ଚ ସର୍ଭିସ (ସିଏସ୍ଆର) ନିକଟରେ ଏକ ରିପୋର୍ଟରେ ଏହି ଖୁଲାସା କରିଛି। ରିପୋର୍ଟରେ ଚେତାବନୀ ଦିଆଯାଇଥିଲା ଯେ, ପାକିସ୍ତାନରେ ବହୁ ପ୍ରମୁଖ ଆତଙ୍କୀ ସଂଗଠନ ସକ୍ରିୟ ରହିଛି, ଯାହାକି ଜମ୍ମୁ-କଶ୍ମୀର ଓ ଭାରତ ଉପରେ କେନ୍ଦ୍ରିତ ରହିଛି। ଏହି ରିପୋର୍ଟ ଚକିତ କଲା ଭଳି ରହିଛି। ବିଶେଷ ଭାବରେ ଭାରତର କେନ୍ଦ୍ର ଶାସିତ ରାଜ୍ୟ ଜମ୍ମୁ ଓ କାଶ୍ମରକୁ ଟାର୍ଗେଟ କରୁଥିବା ଆତଙ୍କବାଦୀ ସଂଗଠନ ପାକିସ୍ତାନୀ ମାଟିରୁ ନିର୍ଭୟରେ ବିନା କୌଣସି ବାଧାରେ ନିଜର ଗତିବିଧି ଚଳାଇଛି।
୨୫ ମାର୍ଚ୍ଚରେ ଜାରି ସିଆରଏସ୍ର ‘ଏହି ଫୋକସ୍’ ରିପୋର୍ଟରେ ୧୫ ଆତଙ୍କୀ ସଂଗଠନର ବିସ୍ତାର ବିଷୟରେ ବର୍ଣ୍ଣନା କରିଛି। ଏଥିରେ ବହୁ ଗୋଷ୍ଠୀଙ୍କୁ ଆମେରିକା ଦ୍ବାରା ‘ବିଦେଶୀ ଆତଙ୍କବାଦୀ ସଂଗଠନ( ଏଫଟିଓ) ଘୋଷିତ କରାଯାଇ ସାରିଛି। ରିପୋର୍ଟ ଅନୁସାରେ, ଭାରତ ଓ କାଶ୍ମୀର କେନ୍ଦ୍ରିତ ଆତଙ୍କବାଦୀ ସଂଗଠନ’ ସହିତ ଲଗାତାର ସମ୍ପର୍କରେ ରହିଛି। ଏଥିରେ ତିନି ଆତଙ୍କବାଦୀ ସଂଗଠନ ବିଷୟରେ ଉଲ୍ଲେଖ କରାଯାଇଛି।
ଲସ୍କର-ଇ-ତୋଇବା :୧୯୮୦ ଦଶକର ଶେଷରେ ଗଠିତ ଏହି ଆତଙ୍କବାଦୀ ସଂଗଠନ ୨୦୦୧ ରେ ବିଦେଶୀ ଆତଙ୍କବାଦୀ ସଂଗଠନ(ଏଫ୍ଟିଓ) ଘୋଷିତ କରାଯାଇଥିଲା। ଏବେ ବି ପାକିସ୍ତାନର ପଞ୍ଜାବ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ରହିଛି। ରିପୋର୍ଟ ଅନୁସାରେ, ବର୍ତ୍ତମାନ ଜେଲ୍ରେ ଥିବା ହାଫିଜ ସଇଦର ନେତୃତ୍ବରେ ଏହି ଗୋଷ୍ଠୀ କଟକଣାରୁ ବଞ୍ଚିବା ପାଇଁ ନିଜର ନାଁ ବଦଳାଇ ଜମାତ ଉଦ ଦାବା କରିଦେଇଛି।’ ତା ପାଖରେ ଏବେ ବି ହଜାର ହଜାର ଆତଙ୍କୀ ଅଛନ୍ତି। ଏହି ସଂଗଠନ ୨୦୦୮ ମୁମ୍ବାଇ ଆକ୍ରମଣର ଷଡଯନ୍ତ୍ର କରିଥିଲା, ଯେଉଁଥିରେ ୧୬୬ ଜଣଙ୍କର ମୃତ୍ୟୁ ହୋଇଥିଲା।
ଜୈଶ-ଇ-ମହମ୍ମଦ :୨୦୦୦ ମସିହାରେ ମାସୁଦ ଆଝାର ଦ୍ବାରା ସ୍ଥାପିତ ଏହି ଆତଙ୍କୀ ସଂଗଠନକୁ ମଧ୍ୟ ୨୦୦୧ ରେ ଏଫଟିଓ ଘୋଷିତ କରାଯାଇଥିଲା। ଏହା ୨୦୦୧ ରେ ଭାରତୀୟ ସଂସଦ ଉପରେ ଆକ୍ରମଣରେ ଲସ୍କରର ସାଥ୍ ଦେଇଥିଲା। ରିପୋର୍ଟ ଅନୁସାରେ, ଜୈଶ ପାଖରେ ପ୍ରାୟ ୫୦୦ ସଶସ୍ତ୍ର ଆତଙ୍କବାଦୀ ରହିଛନ୍ତି। ସେମାନେ ଭାରତ, ଆଫଗାନିସ୍ତାନ ଓ ପାକିସ୍ତାନରେ କାମ କରନ୍ତି। ତାଙ୍କର ଉଦେଶ୍ୟ ହେଉଛି ପାକିସ୍ତାନରେ ଜମ୍ମୁ-କଶ୍ମୀରକୁ ମିଶାଇବା। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଜୈଶ ଖୋଲାଖୋଲି ଭାବରେ ଆମେରିକା ବିରୋଧରେ ଯୁଦ୍ଧ ଘୋଷଣା କରିଛି।
ହିଜବୁଲ ମୁଝାହିଦ୍ଧିନ୍ :୧୯୮୯ରେ ତିଆରି ଏହି କାଶ୍ମୀର କେନ୍ଦ୍ରୀତ ସଂଗଠନକୁ ୨୦୧୭ ରେ ଆମେରିକା ଆତଙ୍କବାଦୀ ସଂଗଠନ ଘୋଷିତ କରିଥିଲା। ତା ପାଖରେ ଏପର୍ଯ୍ୟନ୍ତ ପ୍ରାୟ ୧୫୦୦ କ୍ୟାଡର (ଆତଙ୍କୀ) ରହିଛନ୍ତି, ଯେଉଁମାନେ କି କାଶ୍ମୀରର ସ୍ବାଧିନତା କିମ୍ବା ପାକିସ୍ତାନ ବିଲୟକୁ ଦାବି କରୁଛନ୍ତି। ଏହି ସଂଗଠନ ଅଲ୍-କାଏଦା ଓ ଭାରତୀୟ ଉପ-ମହାଦ୍ବୀପରେ ଏହାର ସହଯୋଗୀ ସଂଗଠନ(ଏକ୍ୟୁଆଇଏସ୍) ଭଳି ବିଶ୍ବ ସଂଗଠନ ସହ ମିଶିକି କାମ କରିଥାଏ।