ନୂଆଦିଲ୍ଲୀ, ୨୩।୨: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କ ଏବେ ଚରମ ସୀମାରେ ପହଞ୍ଚିଛି । ରବିବାର ସକାଳୁ ପାକିସ୍ତାନୀ ବାୟୁସେନା ଆଫଗାନିସ୍ତାନ ସୀମା ଭିତରକୁ ପଶି ୭ଟି ସ୍ଥାନରେ ଭୟଙ୍କର ଏୟାରଷ୍ଟ୍ରାଇକ କରିବା ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଆକ୍ରମଣକୁ ନେଇ ଏବେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର୍ ଧରିଛି ଯେ, ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଆସିମ ମୁନିର ଏଭଳି ପଦକ୍ଷେପ ନେଇ କ’ଣ ବଡ଼ ଭୁଲ୍ କରିଦେଲେ ? ପାକିସ୍ତାନର ଦାବି ଅନୁଯାୟୀ, ସେମାନେ ଟିଟିପି (TTP) ଏବଂ ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀଙ୍କ ଶିବିରକୁ ଟାର୍ଗେଟ୍ କରିଛନ୍ତି । ପାକିସ୍ତାନୀ ସୁରକ୍ଷା ଅଧିକାରୀଙ୍କ ମତରେ ଏହି ଆକ୍ରମଣରେ ୮୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି । ଅନ୍ୟପଟେ, ଆଫଗାନିସ୍ତାନର ତାଲିବାନ ସରକାର ଏହାକୁ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ ବୋଲି କହିଛି । ଏଥିରେ ମହିଳା ଓ ଶିଶୁଙ୍କ ସମେତ ଅନେକ ନିରୀହ ଲୋକଙ୍କ ମୃତ୍ୟୁ ହୋଇଥିବା କାବୁଲ ଦାବି କରିବା ସହ ପାକିସ୍ତାନକୁ କଡ଼ା ଜବାବ ଦେବାକୁ ଚେତାବନୀ ଦେଇଛି ।

ଏହା ବି ପଢ଼ନ୍ତୁ... ​​​​​​​ୱାଣ୍ଟେଡ୍ ଡ୍ରଗ୍ସ ମାଫିଆ ନିହତ ପରେ ଜଳୁଛି ମେକ୍ସିକୋ, ଭାରତୀୟ ଦୂତାବାସ ପକ୍ଷରୁ ଆଡ୍‌ଭାଇଜାରି ଜାରି

ରାଷ୍ଟ୍ରପତି ଜରଦାରୀଙ୍କ କଡ଼ା ଆଭିମୁଖ୍ୟ:

ପାକିସ୍ତାନ ରାଷ୍ଟ୍ରପତି ଆସିଫ୍ ଅଲ୍ଲି ଜରଦାରୀ କହିଛନ୍ତି ଯେ, "ବାରମ୍ବାର ସତର୍କ କରାଯିବା ସତ୍ତ୍ୱେ ପାକିସ୍ତାନ ବିରୋଧରେ ଆଫଗାନିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପ ଚିନା କରୁଛି । ତାଲିବାନ ଶାସନରେ ଆଫଗାନିସ୍ତାନର ଅବସ୍ଥା ୯/୧୧ ପୂର୍ବ ଅପେକ୍ଷା ଅଧିକ ଖରାପ ହୋଇଛି । ପାକିସ୍ତାନରେ ରକ୍ତପାତ କରୁଥିବା ଲୋକଙ୍କୁ ଆମେ ଛାଡ଼ିବୁ ନାହିଁ ।"

ସୁରକ୍ଷା ବିଶେଷଜ୍ଞଙ୍କ ମତରେ, ପାକିସ୍ତାନର ଏହି ଆକ୍ରମଣ ଏକ ବଡ଼ ସାମରିକ ଯୁଦ୍ଧର ରୂପ ନେଇପାରେ । ଗତବର୍ଷ ଅକ୍ଟୋବରରେ ମଧ୍ୟ ଦୁଇ ଦେଶ ମଧ୍ୟରେ ଏଭଳି ସ୍ଥିତି ଉପୁଜିଥିଲା, ଯେଉଁଥିରେ ଶତାଧିକ ଲୋକ ପ୍ରାଣ ହରାଇଥିଲେ । ପୁଣି ସେହିଭଳି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି । ବିଶେଷଜ୍ଞ ତମିମ ବହିସଙ୍କ କହିବା କଥା, ଏୟାରଷ୍ଟ୍ରାଇକ ଯୋଗୁଁ ଆଫଗାନିସ୍ତାନବାସୀଙ୍କ ମନରେ ପାକିସ୍ତାନ ବିରୋଧୀ ମନୋଭାବ ବଢ଼ିବ । ଫଳରେ ତାଲିବାନ ସରକାର ପାଇଁ ଟିଟିପି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ରାଜନୈତିକ ଭାବେ ଅସମ୍ଭବ ହୋଇପଡ଼ିବ । ପାକିସ୍ତାନ ବର୍ତ୍ତମାନ ଆଲୋଚନା ଅପେକ୍ଷା ସାମରିକ ଶକ୍ତି ପ୍ରୟୋଗ ଉପରେ ଗୁରୁତ୍ୱ ଦେଉଥିବାରୁ ଆଗକୁ ଆହୁରି ଅଧିକ ଆକ୍ରମଣ ହେବାର ସମ୍ଭାବନା ରହିଛି । ପାକିସ୍ତାନ ନିଜର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଏହି ପଦକ୍ଷେପ ନେଇଥିଲେ ସୁଦ୍ଧା, ଏହା ତାଲିବାନ ସହ ଯୁଦ୍ଧକୁ ନିମନ୍ତ୍ରଣ ଦେଇଛି । ଯଦି କାବୁଲ ଏହାର ପାଲଟା ଜବାବ ଦିଏ, ତେବେ ଦକ୍ଷିଣ ଏସିଆର ଏହି ଅଞ୍ଚଳରେ ଏକ ବଡ଼ ଧରଣର ସାମରିକ ସଂଘର୍ଷ ଦେଖିବାକୁ ମିଳିପାରେ ।