ନୂଆଦିଲ୍ଲୀ,୦୬/୧୦: ସୋମବାର ଦିନ ଉତ୍ତର-ପଶ୍ଚିମ ପାକିସ୍ତାନର ଖୈବର ପଖତୁନଖ୍ୱା ପ୍ରଦେଶରେ ଏକ ପୋଲିସ ଚେକ୍ ପଏଣ୍ଟ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ହୋଇଛି। ଏଥିରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ଏବଂ ଜଣେ ଅର୍ଦ୍ଧସାମରିକ ବାହିନୀର ଯବାନ ଆହତ ହୋଇଥିବା ପୋଲିସ କହିଛି। ପୋଲିସ ସୂତ୍ର ଅନୁଯାୟୀ, ରାତି ପ୍ରାୟ ୧ଟା ସମୟରେ କୋହତ ଜିଲ୍ଲାର ଦାରା ଆଦମ ଖେଳରେ ଥିବା ତୋର ଚାପପୁର ପୋଲିସ ଚେକ୍ ପଏଣ୍ଟରେ ଅଜ୍ଞାତ ଆକ୍ରମଣକାରୀମାନେ ବିଭିନ୍ନ ଦିଗରୁ ଗୁଳି ଚଳାଇଥିଲେ। ଗୁଳିମାଡ଼ରେ ସମଗ୍ର ଅଞ୍ଚଳ ଥରି ଉଠିଥିଲା।
ଅଢ଼େଇ ଘଣ୍ଟାଧରି ଗୁଳିମାଡ଼ କରିଥିଲେ ଆତଙ୍କବାଦୀ:
କୋହାଟ ଜିଲ୍ଲା ପୋଲିସ ଅଧିକାରୀ ଜାହିଦୁଲ୍ଲା ଖାନ କହିଛନ୍ତି ଯେ ପୋଲିସ ଏବଂ ଆକ୍ରମଣକାରୀଙ୍କ ମଧ୍ୟରେ ଅଢ଼େଇ ଘଣ୍ଟା ଧରି ଚାଲିଥିବା ଗୁଳିବିନିମୟରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣେ ସୈନିକ ଆହତ ହୋଇଛନ୍ତି। ଜାହିଦୁଲ୍ଲା କହିଛନ୍ତି ଯେ ଆକ୍ରମଣକାରୀମାନେ ଚେକ୍‌ପୋଷ୍ଟ କବଜା କରିବାକୁ ଲକ୍ଷ୍ୟ ରଖିଥିଲେ କିନ୍ତୁ ସେମାନଙ୍କର ପ୍ରୟାସ ବିଫଳ ହୋଇଥିଲା। ସେ କହିଛନ୍ତି ଯେ ପୋଲିସ ତିନୋଟି ବିସ୍ଫୋରକ ଉପକରଣ ଜବତ କରିଛି ଏବଂ ଏକ ସର୍ଚ୍ଚ ଅପରେସନ ଜାରି ରହିଛି।
ପୂ୍ର୍ବରୁ ମଧ୍ୟ ହୋଇଥିଲା ଆକ୍ରମଣ:
ଖୈବର ପଖତୁନଖ୍ୱାରେ ସୁରକ୍ଷା କର୍ମୀଙ୍କ ଉପରେ ଏହା ପ୍ରଥମ ଆକ୍ରମଣ ନୁହେଁ। ଏଠାରେ ଆତଙ୍କବାଦୀ ଘଟଣା ବାରମ୍ବାର ଘଟୁଛି। ନିକଟରେ ଅଜ୍ଞାତ ବନ୍ଧୁକଧାରୀମାନେ ଏକ ଫ୍ରଣ୍ଟିୟର୍ କର୍ପସ ଗାଡ଼ି ଉପରେ ଆକ୍ରମଣ କରିଥିଲେ। ପରବର୍ତ୍ତୀ ଗୁଳିବିନିମୟରେ ଜଣେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ଜଣେ ଆହତ ହୋଇଥିଲେ। ଏହି ଆକ୍ରମଣ ଉତ୍ତର ୱାଜିରିସ୍ତାନ ସୀମାନ୍ତ ବନ୍ନୁ ଜିଲ୍ଲାରେ ହୋଇଥିଲା।