ନୂଆଦିଲ୍ଲୀ, ୮।୧୧: ତୁର୍କୀରେ ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ଆଲୋଚନା ହୋଇଛି । କାବୁଲ ଏବଂ ଇସଲାମାବାଦ ମଧ୍ୟରେ ସମ୍ପର୍କ ମଧ୍ୟ ଭିନ୍ନ ମୋଡ଼ରେ ନେଇଛି । ଉଭୟ ପକ୍ଷ ନୂତନ ଶାନ୍ତି ଆଲୋଚନା ଆରମ୍ଭ କରିଥିବାବେଳେ ଗୁରୁବାର ପାକିସ୍ତାନ ଆଫଗାନିସ୍ତାନ-ପାକିସ୍ତାନ ସୀମାର ସ୍ପିନ ବୋଲଡକ ସହର ନିକଟରେ ଗୁଳି ବିନିମୟ କରିଥିଲା । ଅକ୍ଟୋବର ୧୯ ତାରିଖରେ ଦୋହାରେ ଉଭୟ ପକ୍ଷ ଏକ ଅସ୍ତ୍ରବିରତି ଚୁକ୍ତିନାମା ସ୍ୱାକ୍ଷର କରିଥିଲେ । ଗତ ସପ୍ତାହରେ ଇସ୍ତାନବୁଲରେ ଆୟୋଜିତ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା କୌଣସି ଦୀର୍ଘକାଳୀନ ବୁଝାମଣା ନ ହୋଇ ଶେଷ ହୋଇଥିଲା । ଯାହା ଫଳରେ ତୃତୀୟ ପର୍ଯ୍ୟାୟ ଆଲୋଚନାର ଆବଶ୍ୟକତା ପଡ଼ିଥିଲା ।
ଆଫଗାନ ବିଶେଷଜ୍ଞଙ୍କ ଅନୁସାରେ, କାବୁଲ ପ୍ରତି ପାକିସ୍ତାନର ଆକ୍ରମଣାତ୍ମକ ନୀତି ଯୋଗୁଁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ରହିଛି । ଉଭୟ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ଆରମ୍ଭ ହେବା ସହ ଆଫଗାନିସ୍ତାନରେ ତାଲିବାନ ଶାସନକୁ ରୁଷଠାରୁ ସମର୍ଥନ ମିଳିଛି । ଗୁରୁବାର ରୁଷ ଜାତୀୟ ସୁରକ୍ଷା ପରାମର୍ଶଦାତା ସେରଗେ ଶୋଇଗୁ ସାମୂହିକ ସୁରକ୍ଷା ଚୁକ୍ତି ସଙ୍ଗଠନ ଏବଂ ସ୍ୱାଧୀନ ରାଷ୍ଟ୍ର ସମୂହର ରାଜ୍ୟଗୋଷ୍ଠୀର ଏକ ମିଳିତ ବୈଠକରେ ଆଫଗାନିସ୍ତାନରେ ‘ଗୁରୁତ୍ୱପୂର୍ଣ୍ଣ ଏବଂ ସକାରତ୍ମକ ବିକାଶ’ ବିଷୟରେ କହିଥିଲେ । ଶୋଇଗୁ ଆଫଗାନିସ୍ତାନର ସୁରକ୍ଷା ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିବା ସହିତ ଆଫଗାନିସ୍ତାନକୁ ଆଞ୍ଚଳିକ ଆର୍ଥିକ ଗଠନରେ ପୁନଃସାମିଲ କରିବାକ ଉପରେ ଗୁରୁତ୍ୱାରୋପ କରିଥିଲେ ।
ଏହି ବୈଠକରେ ଉଦବୋଧନ ଦେଇ CSTOର ମହାସଚିବ ଇମାଙ୍ଗାଲି ତମସାଗାମ୍ୱେଟୋଭ ଆଫଗାନିସ୍ତାନ ଏବଂ ତାଜାକିସ୍ତାନ ମଧ୍ୟରେ ସୀମା ସୁରକ୍ଷାକୁ ସୁଦଢ଼ କରିବା ପାଇଁ ଏକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ, ଆଫଗାନିସ୍ତାନର ସ୍ଥିରତା ଏବଂ ବିକାଶ ଏହାର ପଡ଼ୋଶୀମାନଙ୍କ ବିଶେଷ କରି CSTO ସଦସ୍ୟ ରାଷ୍ଟ୍ରଗୁଡ଼ିକ ସ୍ୱାର୍ଥରେ ।
କୃଷିରେ ଭାରତର ସହଯୋଗ:
ଏହି ସମୟରେ ଭାରତର କୁଟନୈତିକ ମିଶନର ପ୍ରମୁଖ ଚଳିତ ସପ୍ତାହରେ ଆଫଗାନ କୃଷି ମନ୍ତ୍ରୀଙ୍କୁ ଭେଟିଥିଲେ । କାବୁଲକୁ କୃଷି କ୍ଷେତ୍ର ଏବଂ ଗବେଷଣାରେ ଦକ୍ଷତା ବିକାଶରେ ସହାୟତା କରିବା ଏହି ବୈଠକର ଲକ୍ଷ୍ୟ ଥିଲା ।