କଚ୍ଛ : ପ୍ରେମ ପାଇଁ ସବୁ କିଛି ପଛ କରି ଚାଲି ଯିବାର ଅନେକ ନଜିର ରହିଛି। ପ୍ରେମକୁ ସାକାର କରିବା ପାଇଁ ପ୍ରେମୀ ଯୋଡ଼ି ଜୀବନକୁ ବାଜି ଲଗେଇ ଦିଅନ୍ତି। ଏମିତି ଏକ ପ୍ରେମ କଥା ସାମ୍ନାକୁ ଆସିଛି। ଗୁଜରାଟର କଚ୍ଛ ଜିଲ୍ଲାରେ ସୋମବାର ଏକ ନିଆରା ଘଟଣା ସାମ୍ନାକୁ ଆସିଛି। ପାକିସ୍ତାନର ମିତ୍ତି ଗାଁରୁ ଫେରାର ହୋଇ ଆସିଥିବା ଏକ ପ୍ରେମୀ ଯୁଗଳ ଅନ୍ତର୍ଜାତୀୟ ସୀମା ପାରି ହୋଇ ସୁରକ୍ଷା ବାହିନୀ ହାତରେ ଧରାପଡ଼ିଛନ୍ତି।
ସୂଚନା ଅନୁସାରେ , ହିନ୍ଦୁ ସଂପ୍ରଦାୟରୁ ଥିବା ୨୪ ବର୍ଷିୟ ପାପଟ ଓ ୨୦ ବର୍ଷୀୟା ଗୌରୀ । ନିଜ ନିଜର ପରିବାରର ବିରୋଧର ଶିକାର ହୋଇ ଘର ଛାଡି଼ ଭାରତ ଆସିବାକୁ ବାଧ୍ୟ ହୋଇ ଥିଲେ। ଉଭୟ ରବିବାର ରାତିରେ ମିତ୍ତି ଗାଁରୁ ବାହାରି ଥିଲେ ଏବଂ ପାଖାପାଖି ୮ କିଲୋମିଟରର ଯାତ୍ରା କରି ଭାରତର ସୀମାରେ ପ୍ରବେଶ କରି ଥିଲେ।
ସୀମା ସୁରକ୍ଷା ବାହିନୀର ଯବାନମାନେ ସୀମା ନିକଟରେ ପିଲର ନମ୍ୱର ୧୦୧୬ ନିକଟରେ ଗସ୍ତ କରିବା ବେଳେ ଦୁହିଁଙ୍କୁ ସନ୍ଦିଗ୍ଧ ସ୍ଥିତିରେ ଦେଖିବାକୁ ମିଳିଥିଲା ଏବଂ ତୁରନ୍ତ ହେପାଜତକୁ ନିଆଯାଇ ଥିଲା। ବିଏସଏଫ୍ ତାଙ୍କୁ ବାଲାସର ପୁଲିସ୍ ଷ୍ଟେସନକୁ ପଠାଇ ଥିଲା। ପ୍ରାରମ୍ଭିକ ପଚରାପଚରିରେ ଦୁହେଁ କହିଛନ୍ତି ଯେ, ସେମାନେ ପରସ୍ପରକୁ ବିବାହ କରିବାକୁ ଚାହୁଁ ଥିଲେ। କିନ୍ତୁ ପରିବାର ଏହା ବିରୋଧରେ ଥିଲେ। ଏହି ସ୍ଥିତିରେ ସେ ଦେଶର ସୀମାକୁ ଖାତିର ନକରି ଫେରାର ହେବାକୁ ନିଷ୍ପତ୍ତି ନେଇ ଥିଲେ।
ପୁଲିସ ଅଧିକାରୀଙ୍କ ମୁତାବିକ , ଉକ୍ତ ମାମଲା ଖୁବ୍ ଗୁରୁତର ଏବଂ ସୁରକ୍ଷା ସହ ଜଡ଼ିତ ସବୁ ଦିଗକୁ ଯାଞ୍ଚ କରାଯାଉଛି। ଦୁହିଁଙ୍କୁ ମିଳିତ ପଚରାପଚରି କେନ୍ଦ୍ର ଭୁଜ୍ ପଠାଯିବ , ଯେଉଁଠାରେ କେନ୍ଦ୍ର ଏଜେନ୍ସିମାନେ ତାଙ୍କୁ ବିସ୍ତାର ଭାବେ ଜେରା କରିବେ। ଏହାପରେ ଔପଚାରିକତା ଦୃଷ୍ଟିରୁ ଏଫଆଇଆର ରୁଜୁ କରାଯିବ।
ପୁଲିସ ଏହା ମଧ୍ୟ କହିଛି ଯେ, ଗତ ଦୁଇ ମାସରେ ଏହିପରି ଏହା ଦ୍ୱିତୀୟ ମାମଲା। ଏହା ପୂର୍ବରୁ ୮ ଅକ୍ଟୋବରରେ ମଧ୍ୟ ପାକିସ୍ତାନରୁ ଆସିଥିବା ଦୁଇ ଜଣ ବ୍ୟକ୍ତି କଚ୍ଛ ସୀମାରେ ଧରାପଡ଼ି ଥିଲେ। ଲଗାତାର ହେଉଥିବା ଏମିତି ଘଟଣାରେ ସୁରକ୍ଷା ଏଜେନ୍ସି ଗୁଡ଼ିକ ସତର୍କ ଅଛନ୍ତି ଏବଂ ସୀମା କ୍ଷେତ୍ରରେ ନିରୀକ୍ଷଣ ବଢାଇ ଦିଆଯାଇଛି।