ନୂଆଦିଲ୍ଲୀ,୨୭।୯: ଗାଜାରେ ଜାରି ସଂଘର୍ଷ ଭିତରେ ବ୍ରିଟେନ, ଫ୍ରାନ୍ସ, କାନାଡା ସହ ବହୁ ଦେଶ ପାଲେଷ୍ଟାଇନକୁ ସ୍ବତନ୍ତ୍ର ରାଷ୍ଟ୍ର ମନ୍ୟତା ପ୍ରଦାନ କରିଛନ୍ତି। ଏହି ସବୁ ଦେଶଙ୍କ ନିଷ୍ପତ୍ତିକୁ ନେଇ ଆମେରିକା ଓ ଇସ୍ରାଏଲ ଅସନ୍ତୁଷ୍ଟ ଅଛନ୍ତି। ଏଭଳି ସ୍ଥିତିରେ ଅନ୍ତର୍ଜାତୀୟ ମଞ୍ଚରେ ନିଜର ସ୍ଥିତି ସୁଦୃଢ କରିବା ଚେଷ୍ଟାରେ ରହିଛି ପାଲେଷ୍ଟାଇନ୍। ବ୍ରିକ୍ସ ଦେଶଙ୍କ ଗୋଷ୍ଠୀରେ ସଦସ୍ୟତା ପାଇଁ ଔପଚାରିକ ଆବେଦନ କରିଛି। ରୁଷରେ ଅବସ୍ଥାପିତ ପାଲେଷ୍ଟାଇନ୍ ରାଷ୍ଟ୍ରଦୁତ ଅବଦେଲ ହଫିଜ ନୋଫାଲ ଏ ସମ୍ପର୍କର ସୂଚନା ଦେଇଛନ୍ତି। ସେ କହିଛନ୍ତି ,ପାଲେଷ୍ଟାଇନ ପୂର୍ଣ୍ଣ ସଦସ୍ୟତା ପାଇବା ପର୍ଯ୍ୟନ୍ତ ଅତିଥି ସଦସ୍ୟ ଭାବରେ ଯୋଗ ଦେଇପାରିବ।ଆମେ ପ୍ରଥମେ ଅତିଥି ସଦସ୍ୟ ଭାବରେ ଯୋଗ ଦେବୁ ଏବଂ ତା'ପରେ ପୂର୍ଣ୍ଣ ସଦସ୍ୟତା ଆଡକୁ ଅଗ୍ରସର ହେବୁ।’
ପାଲେଷ୍ଟାଇନର ଆବେଦନ ପ୍ରତି ଚୀନ୍ ସକାରାତ୍ମକ ମନୋଭାବ ପ୍ରକାଶ କରିଛି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗୁଓ ଜିଆକୁନ୍ ବେଜିଂରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଉଦୀୟମାନ ଅର୍ଥନୀତି ଏବଂ ବିକାଶଶୀଳ ଦେଶଙ୍କ ମଧ୍ୟରେ ସହଯୋଗ ପାଇଁ ବ୍ରିକ୍ସ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ। ଏହା ଅନ୍ତର୍ଜାତୀୟ ସ୍ତରରେ ଗଣତନ୍ତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ରମୁଖ ଶକ୍ତି। ଆମେ ବ୍ରିକ୍ସରେ ଅଧିକ ସମାନ ମନୋଭାବ ଥିବା ଦେଶମାନଙ୍କୁ ସ୍ୱାଗତ କରୁ। ଚୀନ୍ ର ଏହି ବିବୃତ୍ତିକୁ ପାଲେଷ୍ଟାଇନ ପାଇଁ ଏକ କୂଟନୈତିକ ଆଶ୍ୱସ୍ତି ଭାବରେ ବିବେଚନା କରାଯାଉଛି। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଯଦି ପାଲେଷ୍ଟାଇନ ବ୍ରିକ୍ସରେ ଯୋଗ ଦିଏ, ତେବେ ଏହାକୁ ବିଶ୍ୱର ଦକ୍ଷିଣ ଦେଶଗୁଡ଼ିକଠାରୁ ଦୃଢ଼ ସମର୍ଥନ ମିଳିବ।
ବ୍ରିକ୍ସ କଥା ଯଦି ହେବା ତେବେ ଏଥିରେ ସଦସ୍ୟଙ୍କ ସଂଖ୍ୟା ଲଗାତାର ବଢିବାରେ ଲାଗିଛି।ବ୍ରିକ୍ସ ଦୁନିଆର ୫ଟି ସବୁଠାରୁ ଦ୍ରୁତ ଗତିରେ ବିକଶିତ ହେଉଥିବା ଅର୍ଥବ୍ୟବସ୍ଥା ଗୋଷ୍ଠୀ। ଯାହାର ନାଁ ସବୁ ସଦସ୍ୟ ଦେଶର ନାଁର ପ୍ରଥମ ଅକ୍ଷରରୁ ନିଆାଇଛି। ଯେପରିକି ବ୍ରାଜିଲ, ରୁଷ, ଇଣ୍ଡିବ ଚୀନ୍ ଓ ସାଉଥ୍ ଆଫ୍ରିକା। ‘ବ୍ରିକ୍ସ’ ୨୦୨୪ ରେ ଏକ ବଡ଼ ସମ୍ପ୍ରସାରଣ କରିଥିଲା, ଯେଉଁଥିରେ ଇଜିପ୍ଟ, ଇଥିଓପିଆ, ଇରାନ ଏବଂ ୟୁଏଇ ସାମିଲ ହୋଇଥିଲେ। ପରବର୍ତ୍ତୀ ସମୟରେ ଚଳିତ ବର୍ଷ ଇଣ୍ଡୋନେସିଆ ଏହି ଗୋଷ୍ଠୀରେ ଯୋଗ ଦେଇଛି। ବର୍ତ୍ତମାନ, ପାଲେଷ୍ଟାଇନ ସମେତ ଅନ୍ୟ ଅନେକ ଦେଶ ‘ବ୍ରିକ୍ସ’ ରେ ଯୋଗଦେବା ପାଇଁ ସେମାନଙ୍କର ଇଚ୍ଛା ପ୍ରକାଶ କରୁଛନ୍ତି।