ନୂଆଦିଲ୍ଲୀ,୨୩।୮: ଗାଜାରେ ଜାରି ରହିଛି ଇସ୍ରାଏଲ ସୈନିକଙ୍କ ଆକ୍ରମଣ। ଶନିବାର ଖାଦ୍ୟ ଅନ୍ୱେଷଣରେ ସହାୟତା କେନ୍ଦ୍ର ଯାଉଥିବା ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ହୋଇଛି। ଇସ୍ରାଏଲୀ ଆକ୍ରମଣ ଏବଂ ଗୁଳିମାଡ଼ରେ ୨୫ ଜଣ ପାଲେଷ୍ଟାଇନୀଙ୍କ ମୃତ୍ୟୁ ହୋଇଛି। ଏଥିରେ ତମ୍ବୁରେ ଆଶ୍ରୟ ନେଉଥିବା ଲୋକମାନେ ମଧ୍ୟ ଅଛନ୍ତି। ସ୍ଥାନୀୟ ହସ୍ପିଟାଲ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଏହି ଆକ୍ରମଣ ମଧ୍ୟରେ, ବିଶ୍ୱର ପ୍ରମୁଖ ଖାଦ୍ୟ ସଙ୍କଟ ଏଜେନ୍ସି ଦ୍ବାରା ଗାଜା ସହରରେ ଦୁର୍ଭିକ୍ଷ ଜଣାପଡିବା ପରେ ବିଶ୍ୱବ୍ୟାପୀ ଚିନ୍ତା ଏବଂ ଚାପ ଯଥେଷ୍ଟ ବୃଦ୍ଧି ପାଇଛି। ଏହି ଦୁର୍ଭିକ୍ଷକୁ ଇଣ୍ଟିଗ୍ରେଟେଡ୍ ଫୁଡ୍ ସିକ୍ୟୁରିଟି ଫେସ୍ କ୍ଲାସିଫିକେସନ୍ (IPC) ଦ୍ୱାରା ଘୋଷଣା କରାଯାଇଥିଲା। ଏହା ଏପର୍ଯ୍ୟନ୍ତର ମଧ୍ୟପ୍ରାଚ୍ୟରେ ପ୍ରଥମ ଦୁର୍ଭିକ୍ଷ। ଏହା ଏପରି ଏକ ସମୟରେ ଆସିଛି ଯେତେବେଳେ ଇସ୍ରାଏଲ ଗାଜା ଉପରେ ପ୍ରାୟ ଅଢେଇ ମାସ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୋକ ଲଗାଇଥିଲା। ଏବେ ଧୀରେ ଧୀରେ ଆମେରିକା ସମର୍ଥିତ ଗାଜା ହ୍ୟୁମାନିଟୋରିୟମ୍ (GHF) ମାଧ୍ୟମରେ ରିଲିଫ୍ ପ୍ରଦାନ କରିବାକୁ ଅନୁମତି ଦେଉଛି।
ନାସାର ହସ୍ପିଟାଲର କହିବା ଅନୁସାରେ, ଶନିବାର ଭୋର ସମୟରେ ଦକ୍ଷିଣ ଗାଜାରେ ଇସ୍ରାଏଲର ଆକ୍ରମଣରେ ଅତି କମ୍ରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଯେଉଁଥିରେ ଅଧିକାଂଶ ମହିଳା ଓ ଶିଶୁ ଥିଲେ। ଆକ୍ରମଣ ଲକ୍ଷ୍ୟ ଖାନ୍ ୟୁନିସ୍ର ସେହି ଟେଣ୍ଟ ଥିଲା, ଯେଉଁଠି ବିସ୍ଥାପିତ ଲୋକ ଶରଣ ନେଇଥିଲେ।