ନ୍ୟୁୟର୍କ, ୩୦/୦୬: ୟୁଏସ୍‌ଏରେ ଚାଲିଥିବା  ଫିଫା କ୍ଲବ୍‌ ବିଶ୍ୱକପ୍‌ରେ ଚେଲସୀ ଓ ବ୍ରାଜିଲ  ଫୁଟବଲ୍‌ କ୍ଲବ୍‌ ପାମେରାସ୍‌ ବିଜୟ ଜାରି ରଖି କ୍ୱାର୍ଟର  ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ପ୍ରି-ପ୍ରି-କ୍ୱାର୍ଟରରେ  ଚେଲସୀ ୪-୧ ଗୋଲ୍‌ରେ ବେନଫିକାକୁ ଏବଂ  ପାମେରାସ୍‌ ୧-୦ରେ ବୋଟାଫୋଗୋକୁ ହରାଇଥିଲା । 

ପ୍ରଥମ ପ୍ରି-କ୍ୱାର୍ଟର ମୁକାବିଲାରେ ପାମେରାସ୍‌ ଓ  ବୋଟାଫୋଗୋ ସାମ୍ନାସାମ୍ନି ହୋଇଥିଲେ । ଉଭୟ ଦଳ  ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା । ନିର୍ଦ୍ଧାରିତ  ସମୟର ଖେଳ ଗୋଲଶୂନ୍ୟ ରହିଥିଲା । ଏହାପରେ  ଇନ୍‌ଜ୍ୟୁରୀ ଟାଇମ୍‌ରେ ମଧ୍ୟ ଗୋଲ୍‌ ହୋଇନଥିଲା ।  ମାତ୍ର ଅତିରିକ୍ତ ସମୟରେ ପୌଲିହ୍ନୋଙ୍କ (୧୦୦  ମିନିଟ୍‌) ଗୋଲ୍‌ ବଳରେ ପାମେରାସ୍‌ ରୋମାଞ୍ଚକର  ବିଜୟ ହାସଲ କରିଥିଲା । ବୋଟାଫୋଗୋର ସ୍ୱପ୍ନ  ଧୂଳିସାତ୍‌ ହୋଇଯାଇଥିଲା । ୧୧୬ମିନିଟ୍‌ରେ ଦଳର  ଗୁସ୍ତାଭୋ ଗୋମେଜ ରେଡ୍‌ କାର୍ଡ ପାଇଥିଲେ । 

ଅନ୍ୟ ଏକ ପ୍ରି-କ୍ୱାର୍ଟରରେ ଚେଲସୀ  ୪-୧ରେ ବେନଫିକାକୁ ହରାଇଥିଲା । ପ୍ରଥମାର୍ଦ୍ଧ  ଖେଳ ଆକ୍ରମଣ ଓ ପ୍ରତିଆକ୍ରମଣ ମଧ୍ୟରେ ଗୋଲଶୂନ୍ୟ ରହିଥିଲା । ଦ୍ୱିତୀୟାର୍ଦ୍ଧରେ ଚେଲସୀ  ଖାତା ଖୋଲିଥିଲା । ୬୪ମିନିଟ୍‌ରେ ରିସ୍‌  ଜେମ୍ସ ଏହି ଗୋଲ୍‌ଟି ସ୍କୋର କରିଥିଲେ । ଏହାପରେ ବେନଫିକା କଡ଼ା ଜବାବ ଦେଇଥିଲେ  ହେଁ ନିର୍ଦ୍ଧାରିତ ସମୟ ସୁଦ୍ଧା ଗୋଲ୍‌ ପରିଶୋଧ  କରିପାରିନଥିଲା । ମାତ୍ର ଇନ୍‌ଜ୍ୟୁରୀ ଟାଇମ୍‌ରେ  ଆଞ୍ଜେଲ ଡି ମାରିଆ (୯୦+୫ମିନିଟ୍‌) ଗୋଟିଏ  ଗୋଲ୍‌ କରିବା ଫଳରେ ମ୍ୟାଚ୍‌ ୧-୧ରେ  ଅମୀମାଂସିତ ରହିଥିଲା । ଏହାପରେ ଅତିରିକ୍ତ  ସମୟର ଖେଳ ହୋଇଥିଲା । ଚେଲସୀ  ଘନଘନ ଆକ୍ରମଣ କରି ୩ଟି ଗୋଲ୍‌ କରିବା  ସହ ବିଜୟ ହାସଲ କରିଥିଲା । ଦଳ  ପକ୍ଷରୁ ୧୦୮ମିନିଟ୍‌ରେ ଖ୍ରୀଷ୍ଟୋଫର  ଏନ୍‌କୁଙ୍କୁ, ୧୧୪ମିନିଟ୍‌ରେ ପେଡ୍ରୋ ନେଟୋ ଓ ୧୧୭  ମିନିଟ୍‌ରେ କିର୍ନାନ ଡ୍ୟୁଜବୁରୀ-ହଲ୍‌ ଗୋଲ୍‌ ସ୍କୋର  କରିଥିଲେ । ଏହି ମ୍ୟାଚ୍‌ରେ ୯୨ ମିନିଟ୍‌ରେ ବେନଫିକାର  ଗିଆନଲୁକା ପ୍ରିଷ୍ଟିଆନିଙ୍କୁ ରେଡ୍‌ କାର୍ଡ ମିଳିଥିଲା ।