ପୁରୀ, ୧୪/୦୪: ଆଜି ମହାବୀର ଶ୍ରୀହନୁମାନଙ୍କ ଜନ୍ମ ଜୟନ୍ତୀ । ଓଡ଼ିଆ ନବ ବର୍ଷର ଶୁଭାରମ୍ଭ ହେବ । ଏହି ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ପାଳନ ହେବ । ସକାଳ ଧୂପ ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ପ୍ରଭୁ ଶ୍ରୀହନୁମାନ ବିମାନରେ ବିଜେ ହୋଇ ନଗର ପରିକ୍ରମା କରିବେ ।

ଏପଟେ ମହାବିଷୁବ ସଂକ୍ରାନ୍ତି ପାଇଁ ଶ୍ରୀକ୍ଷେତ୍ର ହେବ ଉତ୍ସବମୁଖର । ପ୍ରାଚୀନ ଅନୁଷ୍ଠାନ ଜାଗା ଆଖଡ଼ା ସବୁ ଚଳଚଞ୍ଚଳ ହେବ । ଜୁଆନ ଟୋକାମାନେ ଜାଗା ଘରେ କୁସ୍ତି କସରତ ଅଭ୍ୟାସ କରିବେ । ଆରାଧ୍ୟଙ୍କ ପୂଜାର୍ଚ୍ଚନା ସହ ଜାଗାମାନଙ୍କରୁ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିବେ । ବୀରବାଦ୍ୟ ସାଙ୍ଗକୁ ଯୁବକମାନେ ରାଜରାସ୍ତାରେ ପାରମ୍ପରିକ ଖେଳ ପ୍ରଦର୍ଶନ କରିବେ ।

ଅଧିକ ପଢ଼ନ୍ତୁ :-  ଓଡ଼ିଆ ନବବର୍ଷ ଓ ହନୁମାନ ଜୟନ୍ତୀରେ ଚଳଚଞ୍ଚଳ ପୁରପଲ୍ଲୀ, ଘରେ ଘରେ ଜମିବ ପଣାର ଆସର

ଏଥିସହ ବିଭିନ୍ନ ମନ୍ଦିରରେ ମହାବୀରଙ୍କ ସ୍ୱତନ୍ତ୍ର ଉପାସନା କରାଯିବ । ରାମଚରିତ ମାନସ ଓ ହନୁମାନ ଚାଳିଶା ପାଠ କରାଯିବ । ଶ୍ରୀମନ୍ଦିର ଦକ୍ଷିଣଦ୍ୱାରସ୍ଥିତ ମହାବୀରଙ୍କ ନାଗାବେଶ ଅନୁଷ୍ଠିତ ହେବ । ଭକ୍ତମାନେ ବହୁସଂଖ୍ୟାରେ ଠାକୁରଙ୍କ ପୀଠକୁ ଯାଇ ପୂଜାର୍ଚ୍ଚନା କରିବେ । ବିଭିନ୍ନ ସଙ୍ଗଠନ ପକ୍ଷରୁ ସାମୂହିକ ଭାବେ ଓଡ଼ିଆ ନବ ବର୍ଷ ପାଳନ ହେବ।