ଭୁବନେଶ୍ଵର, ୧୪/୦୪ : ଆଜି ହେଉଛି ପବିତ୍ର ମହା ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି। ଆଜିଠୁ ଓଡ଼ିଆଙ୍କ ନୂଆ ବର୍ଷ ଆରମ୍ଭ। ଏହାଛଡ଼ା ଏହି ଦିନକୁ ହନୁମାନ ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯାଏ। ଓଡ଼ିଆ ସଂସ୍କୃତି ଓ କାଳ ଗଣନାରେ ବର୍ଷ ବୈଶାଖରୁ ଆରମ୍ଭ ହୋଇ ଚୈତ୍ରରେ ସମାପ୍ତ ହୋଇଥାଏ। ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ପଣା ସଂକ୍ରାନ୍ତିକୁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ। ଆଜିଠୁ ବର୍ଷ ଆରମ୍ଭ ହେଉଥିବାରୁ ବିଭିନ୍ନ ଦେବାଦେବୀଙ୍କ ଠାରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା କରାଯାଏ। ଏହି ସମୟରେ ବିଶୁବରେଖାରେ ଅବସ୍ଥାନ କରିଥାନ୍ତି। ସୂର୍ଯ୍ୟଙ୍କ କିରଣ ପ୍ରଖର ହେବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଏ । ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନ କରାଯାଏ। 

ସୂର୍ଯ୍ୟଙ୍କ ପ୍ରବଳ ତାପମାତ୍ରା ଯୋଗୁ ତୁଳସୀ ମୂଳରେ ପଣା ଅର୍ପଣ କରାଯାଇଥାଏ। ଆଜିର ଦିନରେ ଓଡ଼ିଆଣୀମାନେ ଅଗଣାରେ ଥିବା ତୁଳସୀ ଚଉରା ଉପରେ ଏକ ଛାମୁଣ୍ଡିଆ କରି ବସୁନ୍ଧରା ଠେକି ବାନ୍ଧନ୍ତି। ଏହି ଠେକି ତଳେ ଏକ ଛୋଟ ଛିଦ୍ର ଥାଏ। ଉକ୍ତ ଛିଦ୍ର ଦେଇ ପାଣି ତୁଳସୀ ଗଛରେ ପଡ଼ିଥାଏ। ସେହିଭଳି ଜ୍ୟୋତିଷ ଗଣନା ଅନୁଯାୟୀ ଏହି ଦିନକୁ ମେଷ ସଂକ୍ରାନ୍ତି ବୋଲି କୁହାଯାଏ। ମେଷ ମାସର ସଂକ୍ରାନ୍ତି ତଥା ମହାବିଷୁବ ସଂକ୍ରାନ୍ତି। ଏହିଦିନଠାରୁ ୧ ମାସ ପର୍ଯ୍ୟନ୍ତ ସୂର୍ଯ୍ୟଦେବ ମେଷ ରାଶିରେ ଅବସ୍ଥାନ କରିଥାନ୍ତି। ଦୋଳପୂର୍ଣ୍ଣିମାରେ ଦୋଳଗୋବିନ୍ଦଙ୍କ ନିକଟରେ ସମର୍ପଣ ହୋଇଥିବା ପାଞ୍ଜି ପଣା ସଂକ୍ରାନ୍ତିରୁ ପ୍ରଚଳନ ହୋଇଥାଏ।

ମହାବିଷୁବ ସଂକ୍ରାନ୍ତିରେ ମହାବୀରଙ୍କ ଜନ୍ମଦିନ ପଡ଼ୁଥିବାରୁ ରାଜଧାନୀର ସମସ୍ତ ହନୁମାନ  ମନ୍ଦିରରେ ପ୍ରସ୍ତୁତି ହୋଇଛି । କେଉଁ ମନ୍ଦିରରେ ୧୦୮ ହନୁମାନ ଚାଳିଶା ପାଠ ହେବ  ତ କେଉଁଠି ସୁନ୍ଦରାକାଣ୍ଡ । ମନ୍ତ୍ରପାଠ ଓ ହୋମଯଜ୍ଞରେ କମ୍ପିବ ମନ୍ଦିର। 

ଏହି ଖବରଟିକୁ ପଢନ୍ତୁ- ଏଥର ପୁଣି ନିରାଶ କରିବ ମୌସୁମୀ: ଦେଶରେ ସ୍ୱାଭାବିକଠାରୁ କମ୍‌ ବର୍ଷା, ଓଡ଼ିଶାରେ ନିଅଣ୍ଟିଆ ବର୍ଷା ଆଶଙ୍କା