ଚେନ୍ନାଇ: ଏବେ ପ୍ରାୟ ସବୁ ଲୋକ ଗୁପଚୁପ୍ ଖାଇବାକୁ ଭଲ ପାଉଛନ୍ତି । କିନ୍ତୁ ଛୋଟିଆ ଠେଲାରେ ଗୁପଚୁପ୍‌ ବିକୁଥିବା ଲୋକର ଆୟ ସଂପର୍କରେ କେବେ ଚିନ୍ତା କରିଛନ୍ତି ? ତାମିଲନାଡୁର ଜଣେ ଗୁପଚୁପ୍‌ ବ୍ୟବସାୟୀଙ୍କୁ ଜିଏସ୍‌ଟି ନୋଟିସ୍‌ ଆସିବା ପରେ ଏହାର ଜବାବ ମିଳିପାରିଛି । ଗୁପଚୁପ୍‌ ବେପାରୀଜଣଙ୍କ ୟୁପିଆଇ ଜରିଆରେ ବାର୍ଷିକ ୪୦ ଲକ୍ଷ ଟଙ୍କା ରୋଜଗାର କରୁଥିବା ଜଣାପଡ଼ିଛି । ସେପଟେ ଏନେଇ ଜଣାପଡ଼ିବା ପରେ ଜିଏସଟି ବିଭାଗର ନଜର ତାଙ୍କ ଉପରେ ପଡ଼ିଛି ଏବଂ ତାଙ୍କୁ ଜିଏସଟି ନୋଟିସ୍‌ ପଠାଯାଇଛି । ସେପଟେ ଗୁପଚପ ବିକାଳୀ ନଗଦ କେତେ କାରବାର କରୁଥିବେ ତାହା ମଧ୍ୟ ଏକ ବିତର୍କ ବିଷୟ ହୋଇଛି ।  

ବ୍ୟବସାୟୀଙ୍କ ‘ଫୋନପେ’  ଓ ‘ରେଜର ପେ’ ପେମେଣ୍ଟ ରେକର୍ଡ ଦେଖି ଜିଏସ୍‌ଟି ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅନଲାଇନ୍‌  ପେମେଣ୍ଟ ମାଧ୍ୟମରେ ସେ ବର୍ଷକରେ ୪୦ଲକ୍ଷ ୧୧ ହଜାର ୧୯ ଟଙ୍କା ପାଇଛନ୍ତି ।  ଏଣୁ ଏହି ଗୁପଚୁପ ବେପାରୀଙ୍କୁ ଜିଏସଟି ନୋଟିସ୍ ପଠାଇଛନ୍ତି । ଭାରତରେ ଉଚ୍ଚ ପଦପଦବୀରେ ଅବସ୍ଥାପିତ ସରକାରୀ ଅଥବା ଘରୋଇ ଅଧିକାରୀ ବି ବର୍ଷକରେ ଏତିକି ଆୟ କରିପାରୁ ନାହାନ୍ତି। ହେଲେ ତାମିଲନାଡୁର ଏହି ଗୁପଚୁପ୍ ବେପାରୀ ଆୟର ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି । ଯଦି ଅନଲାଇନରେ ଏତିକି କାରବାର କରିଛନ୍ତି ତେବେ ନଗଦରେ ସେ କେତେ କାରବାର କରିନଥିଲେ ସେ ନେଇ ଏବେ ପ୍ରଶ୍ନ ଉଠୁଛି ।

ଅନୁମାନ କରାଯାଉଛି, ଗୁପଚୁପ୍ ବେପାରୀ ପୁରା ବର୍ଷରେ ୭୦ରୁ ୮୦ ଲକ୍ଷ ଟଙ୍କା ଆୟ କରିଛନ୍ତି । ଆଜିକାଲି ଗ୍ରାହକ ସବୁ ସ୍ଥାନରେ ଅନଲାଇନ ପେମେଣ୍ଟ ସୁବିଧା ଦାବି କରୁଛନ୍ତି। ତାମିଲନାଡୁର ଗୁପଚୁପ ବେପାରୀ ମଧ୍ୟ ତାଙ୍କ ଗ୍ରାହକଙ୍କୁ ଏହି ସୁବିଧା ଦେଉଥିଲେ। ଗ୍ରାହକ ତାଙ୍କଠାରୁ ଗୁପଚୁପ୍ ଖାଇ ଅନଲାଇନରେ ଦେୟ ପୈଠ କରୁଥିଲେ। ଏହି ଗୁପଚୁପ ବିକ୍ରେତାଙ୍କ ଫୋନ ପେ ଓ ରେଜର ପେ’ରେ ବର୍ଷକରେ ୪୦ଲକ୍ଷ ୧୧ ହଜାର ୧୯ ଟଙ୍କା ପାଇଛନ୍ତି  । 




୨୦୨୩-୨୪ର ଏହି ରେକର୍ଡ ସହାୟତାରେ ଗୁପଚୁପ ବିକ୍ରେତାଙ୍କୁ ଜିଏସଟି ଆଇନରେ ନୋଟିସ ପଠାଯାଇଛି । ଟିଏନଜିଏସଟି/ସିଜିଏସଟି ଅଧିନିୟମ ୨୦୧୭ର ଧାରା ୨୩ ଉପଧାରା ୨ ଅନୁସାରେ ସରକାରୀ ଅଧିସୂଚନା ମାଧ୍ୟମରେ ଏହି ଗୁପଚୁପ୍ ବ୍ୟବସାୟୀଙ୍କୁ ଜିଏସଟି ପଞ୍ଜିକରଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ତେବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଗୁପଚୁପ୍‌ ବେପାରୀଙ୍କ ଆୟ ଏବଂ ଜିଏସ୍‌ଟି ନୋଟିସର ସତ୍ୟତା ଉପରେ ଆମେ କୌଣସି ସ୍ପଷ୍ଟତା ହାସଲ କରିନାହୁଁ ।