ପାଟନା : ବିହାରର ପୂର୍ଣ୍ଣିମାରୁ ସାଂସଦ ପପ୍ପୁ ଯାଦବଙ୍କୁ ୩୧ ବର୍ଷ ପୁରୁଣା ଏକ ମାମଲାରେ ପାଟନାର ଏମପି ଏମଏଲଏ ସ୍ୱତନ୍ତ୍ର କୋର୍ଟରୁ ଜାମିନ ମିଳିଛି। ହେଲେ, ବର୍ତ୍ତମାନ ସେ ଜେଲ୍ରୁ ବାହାରି ପାରିବେ ନାହିଁ। ତାଙ୍କୁ ଆଉ ଏକ ମାମଲାରେ ରିମାଣ୍ଡରେ ନିଆଯାଇଛି। ସାଂସଦଙ୍କୁ ଯେଉଁ ମାମଲାରେ ଜାମିନ ମିଳିଛି, ତାହା ୧୯୯୫ ମସିହାର। ତାଙ୍କ ଉପରେ ଘରକୁ କବଜା କରିବା ଓ ଜାଲିଆତିର ଅଭିଯୋଗ ହୋଇଥିଲା। ପୁଲିସ୍ ଗତ ଶୁକ୍ରବାର ଅଧରାତିରେ ତାଙ୍କୁ ପାଟନାର ମନ୍ଦିରୀ ନିବାସରୁ ଗିରଫ କରିଥିଲା। ସେହି ସମୟରେ ସମର୍ଥକ – ପୁଲିସ ମଧ୍ୟରେ ଉତ୍ତେଜିତ ସ୍ଥିତି ଉପୁଜି ଥିଲା। ଏହାପରେ ପାଟନାର ବୁଦ୍ଧା କଲୋନୀ ଥାନାରେ ତାଙ୍କ ବିରୋଧରେ ଆଉ ଏକ ଏଫଆଇଆର ରୁଜୁ କରାଯାଇ ଥିଲା, ଯେଉଁଥିରେ ସେ ବର୍ତ୍ତମାନ ରିମାଣ୍ଡରେ ରହିବେ।
ବୁଦ୍ଧା କଲୋନୀ ଥାନାରେ ରୁଜୁ ମାମଲାକୁ ନେଇ ଏବେ ଶୁଣାଣି ବୁଧବାର ପାଟନାର ଏମପି ଏମଏଲଏ କୋର୍ଟରେ ହେବ। ଅର୍ଥାତ୍ ସାଂସଦଙ୍କୁ ଅତି କମ୍ରେ ଆଉ ଏକ ରାତି ଜେଲରେ କାଟିବାକୁ ପଡ଼ିବ। ମଙ୍ଗଳବାର ଶୁଣାଣି ବେଳେ ପପ୍ପୁ ଯାଦବ ପୁଲିସ ଉପରେ ଗୁରୁତର ଅଭିଯୋଗ କରି ତାଙ୍କର ହତ୍ୟା ଷଡ଼ଯନ୍ତ୍ର କରିବା କଥା କହିଥିଲେ। ସେ କହି ଥିଲେ ସ୍ଥାନୀୟ ପୁଲିସ ଉପରେ ତାଙ୍କର ଭରସା ନାହିଁ।
ପାଟନାର ଗର୍ବନିବାଗ ଥାନାରେ ରୁଜୁ ୩୧ ବର୍ଷ ପୁରୁଣା ମାମଲାରେ ୱାରେଣ୍ଟ ମିଳିବା ପରେ ପୁଲିସ ଶୁକ୍ରବାର ଅଧ ରାତିରେ ପପ୍ପୁ ଯାଦବଙ୍କ ମନ୍ଦିରୀ ନିବାସରେ ପହଞ୍ଚି ଥିଲେ। ସାଂସଦ ଓ ତାଙ୍କର ସମର୍ଥକମାନେ ପ୍ରଥମେ ପୁଲିସକୁ ବିରୋଧ କରିଥିଲେ । ପାଖାପାଖି ଅଢେଇ ଘଣ୍ଟା ଯାଏ ହଙ୍ଗାମା ଚାଲି ଥିଲା। ପୁଣି ପୁଲିସ ସାଂସଦଙ୍କୁ ଗିରଫ କରି ଆଇଜିଆଇଏମଏସ ହସ୍ପିଟାଲ ନେଇ ଆସିଥିଲେ। ସେଠାରେ ତାଙ୍କୁ ସାରା ରାତି ରଖାଯାଇଥିଲା।
ଶନିବାର ସକାଳେ ପିଏମସିଏଚରେ ମେଡିକାଲ ଯାଞ୍ଚ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇ ଥିଲା, ଯେଉଁଠି ତାଙ୍କୁ ଦୁଇ ଦିନର ନ୍ୟାୟିକ ହେପାଜତରେ ପଠାଇ ଦିଆଯାଇ ଥିଲା। କୋର୍ଟ ତାଙ୍କର ଚିକିତ୍ସା କରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ସାଂସଦଙ୍କୁ ପିଏମସିଏଚର କେଏଦୀ ୱାର୍ଡରେ ଭର୍ତ୍ତି କରାଯାଇ ଥିଲା। ରବିବାର ତାଙ୍କର ସ୍ୱାସ୍ଥ୍ୟ ଠିକ୍ ହେବା ପରେ ବେଉର ଜେଲ୍ ଶିଫ୍ଟ କରଦିଆ ଯାଇଥିଲା।
ସୋମବାର ତାଙ୍କର ଜାମିନ ଆବେଦନ ଉପରେ ଶୁଣାଣି ହେବାର ଥିଲା , କିନ୍ତୁ ପାଟନା ସିଭିଲ କୋର୍ଟରେ ବୋମା ଧମକ ଯୋଗୁଁ ଶୁଣାଣି ସ୍ଥଗିତ ରଖାଯାଇଛି। ଏହାପରେ ମଙ୍ଗଳବାର ତାଙ୍କୁ କୋର୍ଟରେ ହାଜର କରାଯାଇ ଥିଲା। ସେଠାରେ ତାଙ୍କୁ ଗର୍ଦନୀବାଗ ଥାନା ମାମଲାରେ ଜାମିନ ଦିଆ ଯାଇଛି।