ପାରାଦୀପ, ୨୭/୦୨: ପାରାଦୀପ ତାରିଣୀଗଡ଼ାର ଏକ ଚାରି ମହଲା କୋଠା ତଳୁ ଲିଟିଲ୍ ସାହୁ ନାମକ ଯୁବତୀଙ୍କ ଉଲଗ୍ନ ରକ୍ତାକ୍ତ ମୃତଦେହ ମିଳିବା ଘଟଣାରେ ପୁଲିସ ଦୁଇ ଜଣଙ୍କୁ  ଗିରଫ ଦର୍ଶାଇଛି । ପ୍ରାଥମିକ ଛାନ୍‌ଭିନ୍ କରି ପୁଲିସ ପ୍ରଥମେ ମୁଖ୍ୟ ଅଭିଯୁକ୍ତ ଶୁଭମ୍ କୁମାର ସିଂହ(୨୪)କୁ ଠାବ କରିଥିଲା । ପରେ ଲିଟିଲଙ୍କ ପୁରୁଷ ବନ୍ଧୁ ଗୋବିନ୍ଦପୁରର ସୋମନାଥ ଓଝାଙ୍କ ଉପରେ ପୁଲିସର ପଞ୍ଝା ପଡ଼ିଥିଲା । ଗୁରୁବାର ଗିରଫ ବିହାରୀ ଯୁବକ ଶୁଭମ୍ ସିଂହର ମେଡିକାଲ୍ ପରୀକ୍ଷା କରାଯାଇଛି । ଆଜି ଉଭୟଙ୍କୁ କୋର୍ଟଚାଲାଣ କରାଯିବ । ଏହି ଘଟଣାରେ ଆଉ ୪ ଜଣଙ୍କର ବୟାନ ମଧ୍ୟ ରେକର୍ଡ କରାଯାଇଛି ।

ଘଟଣାର ତଦନ୍ତ କ୍ରମରେ ଜଟାଧାରୀ ଜଙ୍ଗଲ ଏବେ ଚର୍ଚ୍ଚାର ପରିଧିକୁ ଆସିଛି । କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ମୃତ ଯୁବତୀ ଲିଟିଲ ଓ ସୋମନାଥ ପ୍ରଥମେ ଏହି ଜଟାଧାରୀ ଜଙ୍ଗଲକୁ ଆସିଥିଲେ । ସେଠାରେ କିଛି ସମୟ ଉଭୟ ରହିଥିଲେ । ସମ୍ଭବତଃ ସେଠାରେ କୌଣସି ବିଶୃଙ୍ଖଳା ବା ଉଭୟଙ୍କ ଭିତରେ ବିବାଦ ହେବାରୁ ଉଭୟ ସେଠାରୁ ପୃଥକ୍ ହୋଇଥିଲେ । ଏଣେ କିନ୍ତୁ ମୃତକଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି କି ଝିଅ ଶାରଳା ମନ୍ଦିର ଆସିଥିବା ଜଣାଇଥିଲା ଏବଂ ରାହାମାରୁ ଘରକୁ ନେବା ପାଇଁ ଫୋନ୍ କରିଥିଲା । ତା’ହେଲେ ସୋମନାଥ କେମିତି ଯୁବତୀଙ୍କୁ ଜଟାଧାରୀ ମୁହାଣ ଜଙ୍ଗଲ ପର୍ଯ୍ୟନ୍ତ ନେଇଥିଲେ ତାହା ରହସ୍ୟାବୃତ୍ତ । ଏଯାଏ ପୁଲିସ ଏ ଦିଗ ଉପରେ ମୁହଁ ଖୋଲିନି । ତେବେ ଏହି ଘଟଣାରେ ୯ ଜଣ ସମ୍ପୃକ୍ତ ଥିବା ଆଲୋଚନା ହେଉଛି ।

ପୁଲିସର ସୂଚନା ମୁତାବକ, ଯୁବତୀ ଲିଫ୍ଟ ମାଗି ଶୁଭମ୍‌ଙ୍କ ସହ ପାରାଦୀପ ଆସିଥିଲେ । ଏଠାରେ ମଧ୍ୟ ବଡ଼ ପ୍ରଶ୍ନ ଶୁଭମ୍ ନିଶାସକ୍ତ ଥିବା ସତ୍ତେ୍ୱ ଯୁବତୀ କିଭଳି ଲିଫ୍ଟ ମାଗି ତାଙ୍କ ବାଇକ୍‌ରେ ଆସିଥିଲେ । ତେଣୁ ସନ୍ଦେହ ହେଉଛି ଶୁଭମ୍‌ଙ୍କ ସହିତ ସୋମନାଥ ପୂର୍ବରୁ ପରିଚିତ ଥିଲେ । ଯେହେତୁ ଶୁଭମ୍ ଓ ସୋମନାଥ ପାରାଦୀପରେ ଏକ ଶିଳ୍ପ ସଂସ୍ଥାରେ କାମ କରୁଛନ୍ତି ସେ ଦୃଷ୍ଟିରୁ ଉଭୟଙ୍କ ମଧ୍ୟରେ ବନ୍ଧୁତା ଥିବା ଅନୁମାନ କରାଯାଇପାରେ । ଉଭୟ ଯୁବକଙ୍କ ସହ ଲିଟିଲ ପରିଚିତ ଥିବା ମଧ୍ୟ ଅନ୍ଦାଜ କରାଯାଇପାରେ । ତେଣୁ ଏହି ମୃତ୍ୟୁ ଘଟଣା ପଛରେ ଅନେକ ରହସ୍ୟ ଥିବା ବାରି ହୋଇପଡ଼ୁଛି ।

ଏତଦ୍ଭିନ୍ନ ପୁଲିସର ଯୁକ୍ତି ଯେ, ଡ୍ରଙ୍କନ୍ ଡ୍ରାଇଭ ଅଭିଯାନକୁ ଜୋର୍‌ଦାର କରାଯାଉଛି । ଅଥଚ ଶୁଭମ୍‌ଙ୍କ କ୍ଷେତ୍ରରେ ଭିନ୍ନ ଛବି ସାମ୍ନାକୁ ଆସିଛି । ନିଜେ ପୁଲିସ କହୁଛି ଅନୁଗୁଳରୁ ଶୁଭମ୍ ପାରାଦୀପ ଆସିବା ବାଟରେ ମଦ୍ୟପାନ କରିଥିଲା । କଟକ-ପାରାଦୀପ ରାସ୍ତା ପାଶ୍ୱର୍ରେ ରଘୁନାଥପୁରଠାରୁ ଆରମ୍ଭ କରି ପାରାଦୀପ ପର୍ଯ୍ୟନ୍ତ ଏକାଧିକ ପୁଲିସ ଷ୍ଟେସନ ରହିଛି । ଅଥଚ ଶୁଭମ୍ କିଭଳି ପୁଲିସ ପାଟ୍ରୋଲିଂ ଟିମ୍ ନଜରରୁ ବର୍ତ୍ତିଲା ତାହା ବଡ଼ ପ୍ରଶ୍ନ । ଏହା ବି ହୋଇପାରେ ଜଟାଧାରୀ ମୁହାଣ ଜଙ୍ଗଲରୁ ପୁଣି ଯୁବତୀଙ୍କୁ ରାହାମା ପର୍ଯ୍ୟନ୍ତ ନେଇ ସୋମନାଥ ଛାଡ଼ି ଥାଇପାରନ୍ତି । ତଥାପି ରାସ୍ତା ପାଶ୍ୱର୍ରୁ ଯୁବତୀଙ୍କୁ ଶୁଭମ୍ କିଭଳି ଠାବ କଲା ତାହା ବି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ।