ଭୁବନେଶ୍ୱର,୩୦/୦୧: ଖଣ୍ଡଗିରି ମେଳାକୁ ୫ ଦିନ ହେଲାଣି । ପାର୍କିଂ ଆଳରେ ସାଧାରଣ ଲୋକଙ୍କଠାରୁ ପ୍ରତିଦିନ ଲକ୍ଷାଧିକ ଟଙ୍କା ଲୁଟ୍ କରାଯାଉଛି । ସାଧାରଣ ଲୋକଙ୍କୁ ସୁହାଇବା ଭଳି ପାର୍କିଂ ଫି ଧାର୍ୟ୍ୟ କରାଗଲା । ବିଏମ୍‌ସି କମିଶନରଙ୍କଠାରୁ ଆରମ୍ଭ କରି ମେୟର, ଅଧିକାରୀ ଓ ଜନପ୍ରତିନିଧିମାନେ ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେଲେ । ହେଲେ ମେଳା ଆରମ୍ଭ ଦିନଠାରୁ ପାର୍କିଂ ଫି ନେଇ ଲୋକଙ୍କୁ ଲୁଟ୍ତରାଜ ଆରମ୍ଭ ହୋଇଛି । ଯାତ୍ରା ଆରମ୍ଭ ଦିନଠାରୁ ଏହି ଲୁଟ୍‌ତରାଜ୍ ସୀମା ଲଙ୍ଘିଛି । ବାଇକ୍‌କୁ ୫୦ ଟଙ୍କା ଓ କାରକୁ ୧୦୦ରୁ ୧୫୦ ଟଙ୍କା ପର୍ୟ୍ୟନ୍ତ ଆଦାୟ କରାଯାଉଛି । ଏଭଳି ଜୁଲମ୍ ନେଇ ଲୋକେ ବିଏମ୍‌ସି ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏସବୁ ଅଭିଯୋଗ ସତ୍ତେ୍ୱ ପାର୍କିଂ ଜୁଲମ ପ୍ରତି ବିଏମ୍‌ସି ଅଧିକାରୀ ଚୁପ୍ ରହିବା ଘଟଣାକୁ ଅଧିକ ରହସ୍ୟାବୃତ୍ତ କରିଛି ।

ପାର୍କିଂ ଟେଣ୍ଡର ନେଇଥିବା ସଂସ୍ଥାକୁ ବିଏମ୍‌ସି ପକ୍ଷରୁ ଏନେଇ ଆଜି ନୋଟିସ୍ ଜାରି କରାଯାଇଛି । ଏସବୁ ସତ୍ତେ୍ୱ ଗୁରୁବାର ବି ପାର୍କିଂ ସଂସ୍ଥା ବାଇକ୍ ପିଛା ୫୦ ଟଙ୍କା ଏବଂ କାର୍ ପିଛା ୧୦୦ ଟଙ୍କା ଆଦାୟ କରୁଥିବା ସ୍ପଷ୍ଟ କରୁଛି । ଖଣ୍ଡଗିରି ମେଳାର ବିଶୃଙ୍ଖଳା ରୋକିବା ଲାଗି ବିଏମ୍ସି ପକ୍ଷରୁ ୫୦ ଜଣ ଅଧିକାରୀ ନିୟୋଜିତ କରିଛି । ହେଲେ ସେମାନେ କାହିଁକି ଚୁପ୍ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଖଣ୍ଡଗିରି ମେଳାରେ ହଜାର ହଜାର ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ୫ଟି ପାର୍କିଂ ସ୍ଥଳୀ କରାଯାଇଛି । ଦୈନିକ ବାଇକ୍ ଘଣ୍ଟା ପିଛା ୧୦ ଟଙ୍କା ଧାର୍ୟ୍ୟ ହୋଇଛି । ହେଲେ ଏନ୍ଏଚ୍ ଓଭରବ୍ରିଜ୍ ତଳେ ଥିବା ପାର୍କିଂ ସ୍ଥଳରେ ବାଇକ୍ ପିଛା ୫୦ ଟଙ୍କା ଆଦାୟ କରାଯାଉଛି । ସେହିପରି କାର ୫୦ ଟଙ୍କା ବଦଳରେ ୧୦୦ ଟଙ୍କା ଆଦାୟ କରୁଛି । ଏପରି ପ୍ରତିଦିନ ଲକ୍ଷ ଲକ୍ଷ ବେଆଇନ୍ ଭାବେ ଆଦାୟ ଚାଲିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ବିଏମ୍‌ସି ଦକ୍ଷିଣ-ପଶ୍ଚିମ ଜୋନାଲ ଅଧିକାରୀ ସଂପୃକ୍ତ ପାର୍କିଂ ଲିଜ୍‌ଧାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ଏଥିରେ କାହିଁକି ତାଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନିଆ ନ ଯିବ ସେ ନେଇ ୨୪ ଘଣ୍ଟା ଭିତରେ ଉତ୍ତର ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ବିଏମ୍‌ସିର ଏହି ନୋଟିସର ୮ ଘଣ୍ଟା ନ ପୂରୁଣୁ ଆଜି ପୁଣି ପାର୍କିଂ ଲିଜ୍‌ଧାରୀ ମନଇଚ୍ଛା ଟଙ୍କା ଆଦାୟ କରିଛନ୍ତି ।

ଏହାକୁ ବିରୋଧ କଲେ ନାଲି ଆଖି ଦେଖାଉଛନ୍ତି । ବିଏମ୍ସି ପକ୍ଷରୁ ପାର୍କିଂ ଯାଞ୍ଚ କରିବାକୁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି । ଏହି ଟିମ୍ ଗୋଟିଏ ଦିନ ବି ଯାଞ୍ଚ କରୁନି । ଖଣ୍ଡଗିରି ମେଳା ପାଇଁ ବିଏମ୍‌ସି ପକ୍ଷରୁ ୫୦ ଅଧିକାରୀ ନିୟୋଜିତ କରାଯାଇଛି । ଏହି ଅଧିକାରୀମାନେ ଯାଞ୍ଚ କରୁନାହାନ୍ତି । କାହିଁକି ନିୟୋଜିତ ହୋଇଛନ୍ତି ବୋଲି ପ୍ରଶ୍ନ ଉଠିଛି । ଏହି ଲୁଟ୍‌ତ ରାଜର ଚେର ବିଏମ୍‌ସି କର୍ମଚାରୀଙ୍କଠାରୁ ଜୋନ୍ ଅଫିସ ପର୍ୟ୍ୟନ୍ତ ଲମ୍ବିଛି ବୋଲି ଅଭିଯୋଗ ହୋଇଛି ।

ବିଏମ୍‌ସି  ପାର୍କିଂସ୍ଥଳରେ ଦିନକୁ ୩ ହଜାରରୁ ଅଧିକ ବାଇକ୍ ପାର୍କିଂ ହେଉଛି । ଗୋଟିଏ ଗାଡ଼ି ପିଛା ୪୦ ଟଙ୍କା ଅଧିକ ଆଦାୟକୁ ହିସାବରେ ନେଲେ ଦୈନିକ ୧ଲକ୍ଷ ୨୦ ହଜାର ଟଙ୍କା ଲୁଟି ନିଆଯାଉଛି । ସେହିପରି କାର୍ ପିଛା ୨୦ ଟଙ୍କା ଥିବା ବେଳେ ୧୦୦ରୁ ୨ଶହ ଟଙ୍କା ନିଆଯାଉଛି । ଲିଜ୍ଧାରୀଙ୍କୁ ଖୋଜି ବାହାର କରିବାକୁ ନୋଟିସ ଜାରି କରାଯାଇଥିବା କହିଛନ୍ତି ମେୟର ସୁଲୋଚନା ଦାସ । ଏଭଳି କାର୍ୟ୍ୟକୁ ବରଦାସ୍ତ କରାଯିବ ନାହିଁ।