ନୂଆଦିଲ୍ଲୀ,୨୩।୭: ସଂସଦର ମୌସୁମୀ ଅଧିବେଶନର ତୃତୀୟ ଦିନ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି। ବିରୋଧି ଦଳ ଅପରେସନ୍ ସିନ୍ଦୂର, ପହଲଗାମ୍ ଆତଙ୍କୀ ହମଲା ଓ ବିହାରରେ ଜାରି ଏସ୍ଆଇଆର ଭଳି ପ୍ରସଙ୍ଗରେ ଗୃହରେ ଚର୍ଚ୍ଚା କରିବାର ଦାବି କରୁଥିଲେ। ତେବେ ସରକାର ଏବେ ପହଲଗାମ୍ ହମଲା ଓ ଅପରେସନ୍ ସିନ୍ଦୂର ଉପରେ ଚର୍ଚ୍ଚା ପାଇଁ ପ୍ରସ୍ତୁତ ହୋଇଛନ୍ତି। ଆଗାମୀ ସପ୍ତାହରେ ସୋମବାର (୨୮ ଜୁଲାଇ)ରେ ଲୋକସଭାରେ ଓ ମଙ୍ଗଳବାର (୨୯ ଜୁଲାଇ) ରେ ରାଜ୍ୟସଭାରେ ଏହି ପ୍ରସଙ୍ଗରେ ଆଲୋଚନା ହେବ। ବିରୋଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ ଉପରେ ସଂସଦକୁ ସମ୍ବୋଧିତ କରିବାର ଦାବି କରିଥିଲେ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପିଏମ୍ ମୋଦି ଆଗାମୀ ସପ୍ତାହରେ ପହଲଗାମ୍ ଆତଙ୍କୀ ହମଲା ଓ ଏହା ପରେ ଆରମ୍ଭ ହୋଇଥିବା ‘ଅପରେସନ୍ ସିନ୍ଦୂର’ ଉପରେ କହିବେ। ପିଏମ୍ ମୋଦି ୨୯ ଜୁଲାଇରେ ଏହି ବିଷୟରେ ରାଜ୍ୟସଭାକୁ ସମ୍ବୋଧିତ କରିବେ। ୨୨ ଏପ୍ରିଲରେ ହୋଇଥିବା ପହଲଗାମ୍ ଆତଙ୍କୀ ହମଲାରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ବିରୋଧି ଭାରତ ପକ୍ଷରୁ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ଚର୍ଚ୍ଚା କରିବାକୁ ଦାବି କରିଥିଲେ। କଂଗ୍ରେସ ଏହି ପ୍ରସଙ୍ଗକୁ ନେଇ ସ୍ବତନ୍ତ୍ର ଅଧିବେଶନ ଡକାଇବାର ଦାବି କରିଥିଲା।
କଂଗ୍ରେସ ସମେତ ସମସ୍ତ ବିରୋଧି ଦଳ ଚାହୁଁଥିଲେ ଚଳିତ ସପ୍ତାହରେ ‘ଅପରେସନ୍ ସିନ୍ଦୂର’ ଉପରେ ଚର୍ଚ୍ଚା ହେବ, କିନ୍ତୁ ପିଏମ୍ ମୋଦି ୨୩-୨୪ ଜୁଲାଇରେ ଦୁଇ ଦିବସୀୟ ଯାତ୍ରାରେ ଲଣ୍ଡନ ଯିବେ। ଏଭଳି ସ୍ଥିତିରେ ଯଦି ଗୃହରେ ଚର୍ଚ୍ଚା ହୁଏ ତେବେ ପିଏମ୍ ମୋଦି ଜବାବ୍ ଦେଇପାରିବେନି। ତେଣୁ ବିରୋଧି ସଂଶୋଧିତ କାର୍ଯ୍ୟକ୍ରମକୁ ସ୍ବୀକାର କରିନେଇଛି। ଲଣ୍ଡନରେ ପିଏମ୍ ମୋଦି ଓ ୟୁକେ ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମରଙ୍କ ଉପସ୍ଥିତିରେ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫ୍ଟିଏ) ଉପରେ ସାକ୍ଷର କରିବାର ଆଶା ରହିଛି।
ସଂସଦରେ ମୌସୁମୀ ଅଧିବେଶନରେ ଅପରେସନ୍ ସିନ୍ଦୂର ଉପରେ ଚର୍ଚ୍ଚା ପାଇଁ ସରକାର ସୋମବାର ପ୍ରସ୍ତୁତ ଥିଲେ। ବିଜନେସ୍ ଆଡଭାଇଜରୀ କମିଟି(ବିଏସି)ର ବୈଠକରେ ମୌସୁମୀ ଅଧିବେଶନ ବେଳେ ଅପରେସନ୍ ସିନ୍ଦୂର ଉପରେ ଲୋକସଭାରେ ୧୬ ଘଣ୍ଟା ଓ ରାଜ୍ୟସଭାରେ ୯ ଘଣ୍ଟା ଚର୍ଚ୍ଚା କରିବାର ନିଷ୍ପତ୍ତି ନିଆଯାଇଛି। କଂଗ୍ରେସ ଅଭିଯୋଗ କରିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ପହଲଗାମ୍ ଓ ଅପରେସନ୍ ସିନ୍ଦୁର ଉପରେ ଚର୍ଚ୍ଚା ବଦଳରେ ବିଦେଶୀ ଗସ୍ତକୁ ମହତ୍ବ ଦେଇଛି।