ଅହମଦାବାଦ: ଏୟାର ଇଣ୍ଡିଆ ଫ୍ଲାଇଟ୍ AI171ର ଏକ ଭୟାବହ ଦୁର୍ଘଟଣାରେ ୨୬୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଜଣେ ବ୍ୟକ୍ତି ଚମତ୍କାର ଭାବେ ବଞ୍ଚି ଯାଇଛନ୍ତି। ଏହି ଦୁର୍ଘଟଣାର ଏକମାତ୍ର ବଞ୍ଚିଥିବା ଯାତ୍ରୀ ବିଶ୍ୱାସ କୁମାର ରମେଶ (Vishwash Kumar Ramesh) କହିଛନ୍ତି ଯେ, ବିମାନଟି ଭାଙ୍ଗିଯିବା ପରେ ତାଙ୍କ ସିଟ୍ ଖୋଲି ବାହାରକୁ ବାହାରି ଆସିଥିଲା। ଯେଉଁଥିପାଇଁ ତାଙ୍କ ଜୀବନ ରକ୍ଷା ପାଇଯାଇଥିଲା।
ସୂଚନା ମୁତାବକ, ବିଶ୍ୱାସ କୁମାର ରମେଶ ଜଣେ ଭାରତୀୟ ବଂଶୋଭବ ବ୍ରିଟିଶ ନାଗରିକ। ସେ ସିଟ୍ ନମ୍ବର ୧୧Aରେ ବସିଥିଲେ। ଯାହା ବିମାନର ଜରୁରୀ ଦ୍ୱାର (Emergency Exit) ପାଖରେ ଥିଲା। ଅହମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଲଣ୍ଡନ ଗାଟଉଇକ୍ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମଲାଇନର ଟେକ୍-ଅଫ କରିବାର କିଛି ସେକେଣ୍ଡ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ବି ଜେ ମେଡିକାଲ କଲେଜର ଏକ ହଷ୍ଟେଲ ଉପରେ ପଡ଼ି ବିସ୍ଫୋରଣ ହୋଇଥିଲା।
ରମେଶ ଅହମଦାବାଦ ସିଭିଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରମାନଙ୍କୁ କହିଛନ୍ତି, "ବିମାନଟି ହଠାତ୍ ଭାଙ୍ଗିଗଲା ଏବଂ ମୋ ସିଟ୍ ଖୋଲି ବାହାରକୁ ଚାଲି ଆସିଲା। ମୁଁ ଯେଉଁଠାରେ ପଡ଼ିଥିଲି, ସେଠାରେ ନିଆଁ ନଥିଲା, ଯେଉଁଥିପାଇଁ ମୋ ଜୀବନ ରକ୍ଷା ହୋଇ ଗଲା।" ସେ ଆହୁରି ମଧ୍ୟ କହିଛନ୍ତି ଯେ, "ମୁଁ ସିଟବେଲ୍ଟ ଖୋଲିବା ପରେ ଖୁବ୍ ଭୟଭୀତ ହୋଇଯାଇଥିଲି, କିନ୍ତୁ ମୁଁ ସାହାସ ସଞ୍ଚୟ କରି ଦୌଡ଼ି ବାହାରକୁ ଚାଲି ଆସିଥିଲି।"
ଏହି ଦୁର୍ଘଟଣାରେ ୨୩୦ ଯାତ୍ରୀ ଏବଂ ୧୨ ଜଣ କ୍ରୁ ସଦସ୍ୟ ଥିବା ବିମାନଟି ମାତ୍ର ୬୨୫ ଫୁଟ ଉଚ୍ଚତାରେ ପହଞ୍ଚିବା ପରେ ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏୟାର ଟ୍ରାଫିକ କଣ୍ଟ୍ରୋଲ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପୂର୍ବରୁ ପାଇଲଟ ଏକ ମେଡେ କଲ୍ ଦେଇଥିଲେ। ଦୁର୍ଘଟଣାରେ ବିମାନରେ ଥିବା ଅଧିକାଂଶ ଯାତ୍ରୀ ଏବଂ ହଷ୍ଟେଲରେ ଥିବା କିଛି ମେଡିକାଲ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମଦାବାଦ ସିଭିଲ ହସ୍ପିଟାଲରେ ରମେଶଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଖୋଜଖବର ନେଇଥିଲେ। ସେ ଦୁର୍ଘଟଣା ସ୍ଥଳ ମଧ୍ୟ ପରିଦର୍ଶନ କରି ରାଜ୍ୟ ଅଧିକାରୀଙ୍କ ସହ ବୈଠକ କରିଥିଲେ। ଏୟାର ଇଣ୍ଡିଆ ଏକ ବିବୃତିରେ କହିଛି ଯେ, ସେମାନେ ତଦନ୍ତରେ ପୂର୍ଣ୍ଣ ସହଯୋଗ କରୁଛନ୍ତି ଏବଂ ପୀଡ଼ିତ ପରିବାରଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରାଯାଉଛି।
ବର୍ତ୍ତମାନ ସୁଦ୍ଧା ତଦନ୍ତ ଜାରି ରହିଥିବା ସହ ବିମାନର ବ୍ଲାକ ବକ୍ସ ମଧ୍ୟ ଖୋଜା ଜାରି ରହିଛି। ଏହି ଦୁର୍ଘଟଣା ବୋଇଂ ୭୮୭ ଡ୍ରିମଲାଇନରର ପ୍ରଥମ ମାରାତ୍ମକ ଦୁର୍ଘଟଣା ଭାବେ ଚିହ୍ନିତ ହୋଇଛି। ଆନ୍ତର୍ଜାତୀୟ ତଦନ୍ତକାରୀ ଦଳ ଆନେରିକାର NTSB ସହିତ, ଏହି ଦୁର୍ଘଟଣାର କାରଣ ଜାଣିବା ପାଇଁ ଭାରତୀୟ ତଦନ୍ତକାରୀଙ୍କ ସହ କାମ କରୁଛନ୍ତି।
ଏହି ଦୁଃଖଦ ଘଟଣା ସାରା ବିଶ୍ୱରେ ଶୋକର ଛାୟା ସୃଷ୍ଟି କରିଛି। ଅନେକ ନେତା ଏବଂ ଆନ୍ତର୍ଜାତୀୟ ସଂଗଠନ ପୀଡ଼ିତ ପରିବାରଙ୍କ ପ୍ରତି ସମବେଦନା ଜଣାଇଛନ୍ତି।