ନୂଆଦିଲ୍ଲୀ: ଭାରତରେ ବିମାନ ହାଇଜାକ୍ ଉଦ୍ୟମ ପଣ୍ଡ । ଜଣେ ଯାତ୍ରୀ କକ୍ପିଟର ଦ୍ବାର ଖୋଲିବାକୁ ଚେଷ୍ଟା କରିବା ପରେ ବିମାନ ହାଇଜାକ୍ ନେଇ ସନ୍ଦେହ ବଢ଼ିଥିଲା । ହେଲେ ବିମାନର ପାଇଲଟ୍ଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଉଭୟ ବିମାନ ଏବଂ ଯାତ୍ରୀ ସୁରକ୍ଷିତ ଅଛନ୍ତି । ବେଙ୍ଗାଲୁରୁରୁ ବାରଣାସୀ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି । ଜଣେ ଯାତ୍ରୀ କକପିଟ୍ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ପାଇଲଟ୍ କକପିଟ୍ ଦ୍ବାର ଖୋଲି ନଥିଲେ । ସଂପୃକ୍ତ ଯାତ୍ରୀଙ୍କ ସମେତ ଅନ୍ୟ ୮ ଜଣ ଯାତ୍ରୀ ଏହି ବିମାନରେ ଥିଲେ । ବିମାନ ଅବତରଣ ପରେ ପାଇଲଟଙ୍କ ଅଭିଯୋଗ କ୍ରମେ ସମସ୍ତ ୯ ଜଣ ଯାତ୍ରୀଙ୍କୁ ସିଆଇଏସ୍ଏଫ ଅଟକ ରଖିଛି ।
ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, ‘ଆମେ ଗଣମାଧ୍ୟମ ରିପୋର୍ଟରୁ ଘଟଣା ସଂପର୍କରେ ସୂଚନା ପାଇଥିଲୁ। ଜଣେ ଯାତ୍ରୀ ଶୌଚାଳୟ ଖୋଜିବା ସମୟରେ କକପିଟରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଆମେ ଜନସାଧାରଣଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛୁ ଯେ, ବିମାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ଏବଂ କୌଣସି ପ୍ରକାରର ତ୍ରୁଟି ହୋଇନାହିଁ। ଅବତରଣ ସମୟରେ ଏହି ଘଟଣା କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରାଯାଇଥିଲା । ବର୍ତ୍ତମାନ ଏହି ଘଟଣାର ତଦନ୍ତ ଚାଲିଛି।’
ସେପଟେ ଯାତ୍ରୀ ଜଣକ କାହିଁକି କକପିଟରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ IX-1086 ସକାଳ ୮ ଟାରେ ବେଙ୍ଗାଲୁରୁରୁ ଉଡ଼ାଣ ଭରିଥିଲା। ବିମାନଟି ବାରଣାସୀରେ ଅବତରଣ କରିବା ପରେ, ଅଭିଯୁକ୍ତ ଯାତ୍ରୀମାନଙ୍କୁ ସିଆଇଏସଏଫକୁ ହସ୍ତାନ୍ତର କରାଯାଇଥିଲା।
ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ , ଜଣେ ଯାତ୍ରୀ କକପିଟ୍ କ୍ୟାବିନ ଦ୍ୱାର ଖୋଲିବାକୁ ଚେଷ୍ଟା କରିଥିଲେ। ପାସକୋଡ୍ ମାରିବା କ୍ଷଣି ପାଇଲଟଙ୍କ ପାଖରେ ସିଗନାଲ୍ ପହଞ୍ଚିଥିଲା । ଯେତେବେଳେ ପାଇଲଟ୍ ସିସିଟିଭି ଫୁଟେଜ୍ ଦେଖିଲେ , ସେ ହାଇଜାକ୍ ହେବାର ଆଶଙ୍କା କଲେ ଏବଂ ଦ୍ୱାର ଖୋଲିଲେ ନାହିଁ। ତେବେ ଯାତ୍ରୀ କକପିଟ୍ ପାସକୋଡ୍ କିପରି ଜାଣିଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ହିନ୍ଦୁସ୍ତାନ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, କକପିଟ୍ ଦ୍ୱାର ଖୋଲିବାକୁ ଚେଷ୍ଟା କରୁଥିବା ଯାତ୍ରୀ ପ୍ରଥମ ଥର ପାଇଁ ବିମାନରେ ଯାତ୍ରା କରୁଥିଲେ। ଯେତେବେଳେ ତାଙ୍କୁ ପଚରାଗଲା ଯେ, ସେ ଏପରି କାହିଁକି କଲେ ? ସେ କହିଥିଲେ ଯେ, ସେ ଶୌଚାଳୟ ଭାବି କକପିଟ୍ ଦ୍ବାର ଖୋଲିବାକୁ ଚେଷ୍ଟା କରିଥିଲେ । ବିମାନର କ୍ରୁ ସଦସ୍ୟ ତାଙ୍କୁ ଏହା ଶୌଚାଳୟ ନୁହେଁ କକପିଟ୍ ବୋଲି କହିବା ପରେ ପଛକୁ ହଟିଯାଇଥିଲେ ବୋଲି ଯାତ୍ରୀ ଜଣକ କହିଛନ୍ତି ।