ଲଣ୍ଡନ,୧୩/୦୬: ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳର ଅଧିନାୟକ ପ୍ୟାଟ୍‌ କମିନ୍ସ ୩୦୦ ଟେଷ୍ଟ  ୱିକେଟ୍‌ କ୍ଲବ୍‌ରେ ସାମିଲ ହୋଇଛନ୍ତି । ସେ ବିଶ୍ୱର ୪୦ତମ ତଥା ଅଷ୍ଟ୍ରେଲିଆର ଅଷ୍ଟମ ବୋଲର  ଭାବେ ଏହି ସଫଳତା ଅର୍ଜନ କରିଛନ୍ତି । ଦକ୍ଷିଣ  ଆଫ୍ରିକା ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ୍‌  ମୁକାବିଲାରେ କମିନ୍ସ ପ୍ରଥମ ଇନିଂସରେ ଘାତକ  ବୋଲିଂ କରି ଏହି ତାଲିକାରେ ସାମିଲ ହୋଇଥିଲେ ।  ସେ ୧୮.୧ ଓଭର ବୋଲିଂ କରି ୨୮ ରନ୍‌ରେ ୬ଟି  ୱିକେଟ୍‌ ନେଇଥିଲେ । ଏହା ତାଙ୍କ ଟେଷ୍ଟ କ୍ୟାରିୟର୍‌ର  ୧୪ତମ ୫ ୱିକେଟ୍‌ ସଫଳତା ରହିଥିଲା । 

ବିଶ୍ୱ କ୍ରିକେଟ୍‌ରେ ୩୦ତମ ଓ ଅଷ୍ଟ୍ରେଲିଆର ଷଷ୍ଠ  ପେସ୍‌ ବୋଲର ଭାବେ କମିନ୍ସ ଟେଷ୍ଟ କ୍ରିକେଟ୍‌ରେ  ୩୦୦ ୱିକେଟ୍‌ ପୂରଣ କରିଛନ୍ତି । ୩୦୦ ଟେଷ୍ଟ ୱିକେଟ୍‌  ଅକ୍ତିଆର କରିବାରେ ସେ ପଞ୍ଚମ ଦ୍ରୁତତମ ସାବ୍ୟସ୍ତ  ହୋଇଛନ୍ତି । ମୋଟ୍‌ ୧୩,୭୨୫ଟି ବଲ୍‌ ପକାଇ ସେ  ୩୦୦ ୱିକେଟ୍‌ ପୂରଣ କରିଛନ୍ତି । ଦ୍ରୁତତମ ଭାବେ  ୩୦୦ ୱିକେଟ୍‌ ନେବାରେ ରେକର୍ଡ କରିଛନ୍ତି କାଗିସୋ  ରାବାଡା । ସେ ୧୧୮୧୭ଟି ବଲ୍‌ ପକାଇ  ୩୦୦ ୱିକେଟ୍‌ ପୂରଣ  କରିଥିଲେ । 

ସେହିପରି  ୧୨୬୦୨ଟି ବଲ୍‌ ପକାଇ  ପାକିସ୍ତାନର ୱାକର ୟୁନିସ୍‌, ୧୨୬୦୫ଟି  ବଲ୍‌ ପକାଇ ଦକ୍ଷିଣ ଆଫ୍ରିକାର ଡେଲ ଷ୍ଟେନ ଓ ୧୩୬୭୨ଟି ବଲ୍‌ ପକାଇ ଆଲାନ ଡୋନାଲ୍ଡ ୩୦୦  ୱିକେଟ୍‌ ପୂରଣ କରିଥିଲେ । ମ୍ୟାଚ୍‌ ଅନୁଯାୟୀ କମିନ୍ସ  ଦଶମ ଦ୍ରୁତତମ ଭାବେ ୩୦୦ ୱିକେଟ୍‌ ନେଇଛନ୍ତି ।  ସେ ୬୮ଟି ଟେଷ୍ଟ ଖେଳି ଏହି ମାଇଲଖୁଣ୍ଟ ଅତିକ୍ରମ  କରିଥିଲେ । ପୂର୍ବତନ ଅଷ୍ଟ୍ରେଲିଆ ପେସ୍‌ ବୋଲର ଡେନିସ୍‌ ଲିଲି ୩୦୦ ୱିକେଟ୍‌ ନେବାରେ ଦ୍ରୁତତମ ।  ସେ ୫୬ଟି ଟେଷ୍ଟ ଖେଳି ଏହି ସଫଳତା ଅର୍ଜନ  କରିଥିଲେ । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ରେ କମିନ୍ସ  ଇତି ମଧ୍ୟରେ ୨୦୬ଟି ୱିକେଟ୍‌ ନେଇ ସାରିଛନ୍ତି ।  ନାଥାନ ଲାୟନ୍ସ ୨୧୦ ୱକେଟ୍‌ ସହ ଏକମାତ୍ର ବୋଲର ଭାବେ କମିନ୍ସଙ୍କଠୁ ଆଗରେ ରହିଛନ୍ତି । ଅନ୍ୟ  କୌଣସି ବୋଲର ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ  ଏପର୍ଯ୍ୟନ୍ତ ୨୦୦ ୱିକେଟ୍‌ ପୂରଣ କରିନାହାନ୍ତି ।