ଭୁବନେଶ୍ୱର,୧୬/୧:  ନବୀକରଣ ହେବ ପଠାଣିସାମନ୍ତ ପ୍ଲାନେଟାରିୟମ । ନବୀକରଣ ପାଇଁ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି  । ୧୯୯୦ ମସିହାରୁ ଜନସାଧାରଣଙ୍କ ପାଇଁ ଉତ୍ସର୍ଗୀକୃତ ଏହି ପ୍ଲାନେଟାରିୟମର ଆଧୁନିକୀକରଣ ତଥା ଏହାର ବିକାଶ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ କୋଲକାତାସ୍ଥିତ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ବିର୍ଲା ଇଣ୍ଡଷ୍ଟ୍ରିଆଲ୍‌ ଆଣ୍ଡ୍‌ ଟେକ୍ନୋଲୋଜି ମ୍ୟୁଜିୟମ(ବିଆଇଟିଏମ୍‌) ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି ।

ଲୋକସେବା ଭବନସ୍ଥିତ ଉନ୍ନୟନ କମିଶନରଙ୍କ ସମ୍ମିଳନୀ କକ୍ଷରେ ପ୍ଲାନେଟାରିୟମ ନିର୍ଦ୍ଦେଶିକା ଉର୍ମିପ୍ରଭା ମହାରଣା ଏବଂ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଅନ୍ତର୍ଗତ ନ୍ୟାସନାଲ କାଉନସିଲ୍‌ ଅଫ୍‌ ସାଇନ୍‌ସ ମ୍ୟୁଜିୟମସ୍‌ ଅଧୀନସ୍ଥ ବିଆଇଟିଏମ୍‌ର ନିର୍ଦ୍ଦେଶକ ଅର୍ଣ୍ଣବ ଚାଟାର୍ଜୀଙ୍କ ମଧ୍ୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଖୁବଶୀଘ୍ର ଏକ ବୈଷୟିକ ଦଳ ଆସି ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ଚାଟାର୍ଜୀ ସୂଚନା ଦେଇଥିଲେ ।   ଏହି ଅବସରରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ ଯୋଗଦେଇ ବିଜ୍ଞାନ ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ । 

ଏହାର ନବୀକରଣ ପାଇଁ ସମସ୍ତ ସହଯୋଗ ପ୍ରଦାନ କରାଯିବ । ଏହି ଅନୁଷ୍ଠାନ ଆଗାମୀ ଦିନରେ ରାଜ୍ୟରେ ପଠାଣି ସାମନ୍ତ ସୃଷ୍ଟି କରିବାରେ ସହାୟକ ହେବ ବୋଲି କହିଥିଲେ । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଅରୁମୁଗମ୍‌ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ନବୀକରଣ ସମ୍ପର୍କରେ ବିଭିନ୍ନ ତଥ୍ୟ ଉପସ୍ଥାପନା କରିଥିଲେ ।   ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୀବ କୁମାର ମିଶ୍ର, ଇଡକୋ ପରିଚାଳନା ନିର୍ଦ୍ଦେଶକ ଡ. ପ୍ରଶାନ୍ତ କୁମାର ରେଡ୍ଡୀ, ଯୋଜନା ଓ ସଂଯୋଜନା ସ୍ୱତନ୍ତ୍ର ଶାସନ ସଚିବ ଦେବେନ୍ଦ୍ର କୁମାର ଜେନା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଅତିରିକ୍ତ ଶାସନ ସଚିବ ଶିବାନୀ ମହାନ୍ତି, ପୂଜା ମିଶ୍ର, ବିଦ୍ୟୁତପ୍ରଭା ରାଉତ, ପଦ୍ମଲୋଚନ ଦାସ, ଉପଶାସନ ସଚିବ ଚିନ୍ମୟୀ ଚେତନା ଦାସ, ଜୈବ ପ୍ରଯୁକ୍ତିବିଦ୍ୟା ଉପନିର୍ଦ୍ଦେଶକ ଶଶିକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।