ଦଶମନ୍ତପୁର୨୭/୬ କାଦୁଅ ରାସ୍ତା ଯୋଗୁଁ ଗାଁ କୁ ଯାଇ ପାରିଲାନି ଆମ୍ବୁଲାନ୍ସ । ଫଳରେ ସମ୍ପର୍କୀୟ ମାନେ ଗାଁ ଠାରୁ ଦେଢ କିମି ଦୂର ଖଟିଆ ଭାରରେ ବୋହି ଡାକ୍ତରଖାନା ନେଇ ଥିବା ଜଣାପଡିଛି । ଏ ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ନନ୍ଦି ଗାଁ ପଞ୍ଚାୟତ ଅଧିନସ୍ଥ ଭେଜି ପୁଟ ଗାଁରେ। ରୋଗୀ ଜଣକ ହେଲେ ପ୍ରଶାନ୍ତ ଖୋସଲା (୪୦) । ସୂଚନା ମୁତାବକ ପ୍ରଶାନ୍ତ କ୍ୟାନ୍ସର ରୋଗରେ ପୀଡ଼ିତ । ରୋଗ ଭଲ ହେବାକୁ ନେଇ, ଚେରି ମୂଳି ଔଷଧ ଠାରୁ ଆରମ୍ଭ କରି ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରିଆସୁଥିଲେ । ତଥାପି ସ୍ବାସ୍ଥ୍ୟ ଭଲ ହୋଇ ନ ଥିଲା । ଆଜି ପୁଣି ସ୍ବାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ହେବାରୁ ଆଉ ଥରେ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସ ଗାଡିକୁ ଫୋନ କରି ଡାକିଥିଲେ। ହେଲେ ଗାଁକୁ ପକା ରାସ୍ତା ସୁବିଧା ନାହିଁ । ବର୍ଷା ଯୋଗୁଁ, ମାଟି ରାସ୍ତା ଅବସ୍ଥା ନ କହିବା ଭଲ । ଧାନ ବିଲ ପରି କାଦୁଅ ପଚ ପଚ ହୋଇଥିବାରୁ ଆମ୍ବୁଲାନ୍ସ ଗାଁ ଭିତରକୁ ଯିବା ଲାଗି ବାରଣ କରିଥିଲା। ତେବେ ଗାଁ ଠାରୁ ଦେଢ କିମି ଦୂର ବାଣୁଆ ଗୁଡା ଗାଁ ଛକ ନିକଟରେ ଆମ୍ବୁଲାନ୍ସ ଗାଡି ଅପେକ୍ଷା କରିଥିଲା। ଏଥିରେ ସମ୍ପର୍କିୟ ଲୋକ ମାନେ ଗାଁ ଠାରୁ ଦେଢ କିମି ଦୂର ରୋଗୀକୁ ଭାର ବହି ଆମ୍ବୁଲାନ୍ସ ପାଖକୁ ନେଇ ଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ କଲେଜ୍ ଓ ହସପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା।