ମାଲକାନଗିରି,୧୬/୦୯: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର । ରୋଗୀଙ୍କ ପାଇଁ ଯଥେଷ୍ଟ ଶଯ୍ୟା ନଥିବାରୁ ପରିବାର ଲୋକଙ୍କ ସହାୟତାରେ ଚେୟାର ବସାଇ ରୋଗୀଙ୍କୁ ସାଲାଇନ ଦିଆଯାଉଥିବା ଦେଖିବାକୁ ମିଳିଛି । ଏହାର  ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ଜଣେ  ରୋଗୀଙ୍କୁ ଚେୟାରରେ ବସାଇ ସାଲାଇନ ଦିଆଯାଉଥିବା ଦେଖାଯାଇଛି । ଏହାସହ ସାଲାଇନକୁ ରଖିବା ପାଇଁ ଉପଯୁକ୍ତ  ସ୍ଥାନ ନଥିବାରୁ ରୋଗୀଙ୍କ ସମ୍ପର୍କୀୟ ହାତରେ ଧରି ଛିଡା  ହୋଇଛନ୍ତି ।

ଜିଲ୍ଲାରେ ୭ ମହଲା ବିଶିଷ୍ଟ ଅତ୍ୟାଧୁନିକ  ଚିକିତ୍ସାଳୟରେ ରୋଗୀଙ୍କୁ ଏଭଳି ଚିକିତ୍ସା ମିଳୁଛି ବୋଲି  ଆଲୋଚନା ହେଉଛି । ଏନେଇ ସିଡିଏମଓ ଡା. ବ୍ରଜବନ୍ଧୁ  ଦାସଙ୍କୁ ପଚାରିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କ୍ଷମତା  ଠାରୁ ଅଧିକ ସଂଖ୍ୟକ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ  ଦିଆଯାଉଛି । ମେଡିକାଲରେ ଶଯ୍ୟା ଅଭାବ ଦେଖାଦେଇଛି ।  ସମସ୍ତ ରୋଗୀଙ୍କ ପାଇଁ ଆବଶ୍ୟକ ଶଯ୍ୟା ନଥିବାରୁ ଏଭଳି  ସ୍ଥିତି ଉପୁଜି ଥାଇପାରେ ବୋଲି ସେ କହିଛନ୍ତି।