ପାଟଣାଗଡ,୨୪/୧୨: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ସାକ୍ଷ୍ୟଗ୍ରହଣ ବେଳେ ସୋମବାର ବୋମା ତିଆରି ପ୍ରକ୍ରିୟାର ଡେମୋ ଭିଡିଓ ପ୍ରଦର୍ଶିତ ହୋଇଛି । ଘଟଣାର ତଦନ୍ତ ସମୟରେ ପୁଞ୍ଜିଲାଲକୁ ବୋମା ତିଆରି ପାଇଁ  ଆବଶ୍ୟକୀୟ ସାମଗ୍ରୀ ଦେବା ପରେ ସେ କିଭଳି ଭାବରେ ବୋମା ତିଆରି କରିଥିଲା ତା’ର ଡେମୋ ଦେଖାଇଥିଲା । ସେତେବେଳେ ତଦନ୍ତକାରୀ ଅଧିକାରୀ ତତ୍କାଳୀନ କ୍ରାଇମ୍‌ବ୍ରାଞ୍ଚ  ଆଇଜି ତଥା ଏବେକାର କ୍ରାଇମ୍‌ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା  ଏବଂ ପୁଲିସ ଟିମ୍‌ର ଉପସ୍ଥିତିରେ ଡେମୋର ଭିଡିଓଗ୍ରାଫି  କରାଯାଇଥିଲା । ଉକ୍ତ ଭିଡିଓକୁ ବିଚାରପତି, ସାକ୍ଷ୍ୟ ଦେବାକୁ  ଆସିଥିବା କ୍ରାଇମବ୍ରାଞ୍ଚ ଏଡିଜି ଶ୍ରୀ ବୋଥ୍ରା ଏବଂ ଉଭୟ  ପକ୍ଷର ଓକିଲଙ୍କ ଉପସ୍ଥିତିରେ ପ୍ରଦର୍ଶନ କରାଯାଇଥିଲା ।

ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ସାକ୍ଷ୍ୟ ଦେବା ପାଇଁ ସୋମବାର ଏଡିଜି ଶ୍ରୀ ବ୍ରୋଥା ପାଟଣାଗଡ଼ ଅତିରିକ୍ତ  ଜିଲ୍ଲା ଦୌରାଜଜ୍‌ କୋର୍ଟରେ ହାଜର ହୋଇଥିଲେ । ପାର୍ସଲ ବୋମା ବିସ୍ଫୋରଣ ମାମଲାର ୬୦ ନମ୍ବର ସାକ୍ଷୀ ଭାବେ  ଦ୍ୱିତୀୟ ଥର ପାଇଁ କୋର୍ଟରେ ହାଜର ହୋଇଥିଲେ । ସାକ୍ଷ୍ୟ ଗ୍ରହଣ ବେଳେ କୋର୍ଟରେ ସରକାରୀ ଓକିଲ ଚିତ୍ତରଞ୍ଜନ କାନୁନ୍‌ଗୋ ଏବଂ ଅଭିଯୁକ୍ତ ପୁଞ୍ଜିଲାଲ୍‌ ମେହେର ପକ୍ଷରୁ ଓକିଲ ପ୍ରମୋଦ ମିଶ୍ର ଉପସ୍ଥିତ ଥିଲେ । ପୁଞ୍ଜିଲାଲ ଭିଡିଓ କନଫରେନ୍ସିଂରେ ହାଜର ହୋଇଥିଲେ ।

ସରକାରୀ ଓକିଲ ଶ୍ରୀ କାନୁନ୍‌ଗୋ କହିଛନ୍ତି, ଗତ  ସେପ୍ଟେମ୍ବର ୩ରେ ଶ୍ରୀ ବୋଥ୍ରା ଦେଇଥିବା କ୍ରାଇମସିନ୍‌ ସିଡି  ପ୍ରଦର୍ଶନ ହୋଇପାରି ନ ଥିଲା । ସୋମବାର କୋର୍ଟରେ ଶୁଣାଣି  ପରେ ତାହା ପ୍ରଦର୍ଶନ କରାଯାଇଛି । ଉକ୍ତ ଘଟଣାରେ ଅଭିଯୁକ୍ତକୁ  ଧରିବା ପୁଲିସ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା । କ୍ରାଇମବ୍ରାଞ୍ଚ ଆଇଜି  ବୋଥ୍ରା ତଦନ୍ତକାରୀ ଟିମ୍‌ର ନେତୃତ୍ୱ ନେଇ କିଭଳି ଘଟଣାର  ତଦାରଖ କରିଥିଲେ, ସେତେବେଳେ କ'ଣ ସବୁ ପଦକ୍ଷେପ  ନିଆଯାଇଥିଲା ଓ କିଭଳି ପ୍ରମାଣ ପାଇଥିଲେ ସେସବୁ ସାକ୍ଷ୍ୟ  ପ୍ରଦାନ କରିଥିଲେ । ଶ୍ରୀ ବୋଥ୍ରାଙ୍କ ସାକ୍ଷ୍ୟଗ୍ରହଣ ସମ୍ପୂର୍ଣ  ହୋଇଯାଇଛି ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । 

ସୂଚନାଯୋଗ୍ୟ, ୨୦୧୮ ଫେବ୍ରୁଆରୀ ୨୩ରେ  ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଦେଶରେ ଚାଞ୍ଚଲ୍ୟ  ସୃଷ୍ଟି କରିଥିଲା । ପାଟଣାଗଡ଼ ଜବାହରଲାଲ କଲେଜର  ତତ୍କାଳୀନ ଅଧ୍ୟାପକ ରବୀନ୍ଦ୍ର ସାହୁ ଏବଂ ଭଇଁଷା କଲେଜର  ତତ୍କାଳୀନ ଅଧ୍ୟକ୍ଷା ସଞ୍ଜୁକ୍ତା ସାହୁଙ୍କ ଏକମାତ୍ର ପୁଅ ସୌମ୍ୟଶେଖର ସାହୁଙ୍କ ବିବାହରେ ଉପହାର ଭାବେ  ଆସିଥିବା ଏକ ପାର୍ସଲକୁ ଖୋଲିବା ବେଳେ ବିସ୍ଫୋରଣ  ହୋଇଥିଲା । ଏଥିରେ ନବବିବାହିତ ସୌମ୍ୟଶେଖର ଓ  ତାଙ୍କ ଜେଜେମା’ ଜେମାମଣି ସାହୁଙ୍କ ମୃତ୍ୟୁ ଘଟିଥିଲା ।  ସୌମ୍ୟଶେଖରଙ୍କ ସ୍ତ୍ରୀ ରିମାରାଣୀ ଗୁରୁତର ହୋଇଥିଲେ ।  ମାମଲାରେ କ୍ରାଇମବ୍ରାଞ୍ଚ ଭଇଁଷା କଲେଜର ଇଂଲିଶ ଅଧ୍ୟାପକ  ପୁଞ୍ଜିଲାଲ ମେହେରଙ୍କୁ ମୁଖ୍ୟ ଏବଂ ଏକମାତ୍ର ଅଭିଯୁକ୍ତ ଭାବେ  ଗିରଫ କରିଥିଲା । ଅଭିଯୁକ୍ତ ପୁଞ୍ଜିଲାଲ ଏବେ ବଲାଙ୍ଗିର  ଜିଲା କାରାଗାରରେ ବିଚାରାଧୀନ କଏଦୀ ଭାବେ ରହିଛନ୍ତି ।